ଯୁଯୁମୁରା: ଯୁଯୁମୁରା ବ୍ଲକ ଅଞ୍ଚଳରେ ବଣୁଆ ଦନ୍ତା ହାତୀଙ୍କ ଉପଦ୍ରବରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ସଦର ରେଞ୍ଜ ଅଂଚଳରେ ନିୟମିତ ବ୍ୟବଧାନରେ ବ୍ୟାପକ ଭଙ୍ଗାରୁଜା କରୁଥିବା ବେଳେ ପଡ଼ିଆବାହାଲ ଓ ଧମା ରେଞ୍ଜ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି। ବେଶ କିଛି ଦିନ ଧରି ଏକ ଦନ୍ତା ହାତୀ ବନ ବିଭାଗ କର୍ମଚାରୀମାନଙ୍କୁ ଚକ୍ମା ଦେଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି। ଶନିବାର ରାତିରେ ଛାମୁଣ୍ଡା ରେଞ୍ଜ ଅନ୍ତର୍ଗତ ଗାଲଚିରାରେ ଧାନ ଫସଲ ନଷ୍ଟ କରିଥିବା ସମୟରେ ସେଠାରୁ ବାହାରି ବୁଡ଼ିଆକଁଟା ଭିଏସଏସ ସଭାପତି ଶିବଲାଲ ହରଙ୍କ ତରଭୁଜ ବଗିଚାରେ ଉପଦ୍ରବ କରିବା ପରେ ଗରଗଡ଼ବାହାଲ ଲାଇନପଡ଼ାର ଜର୍ଜ ତିର୍କୀଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି।
ପରେ ଦନ୍ତାଟି ବୀରସିଂଗଡ଼ ଗ୍ରାମର ସୂର୍ଯ୍ୟ ଭୋଇଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ବନ ବିଭାଗ ଏହି ହାତୀର ଗତିବିଧି ଉପରେ ବନ ବିଭାଗ ସତର୍କ ଦୃଷ୍ଟି ରଖି ପାରୁ ନ ଥିବା ଆଲୋଚନା ହେଉଛି। ଫଳରେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଯାହାକି ବିଭାଗ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବନ ବିଭାଗ ତୁରନ୍ତ ହାତୀର ପ୍ରତିକାର କରି ଲୋକଙ୍କ ଜୀବନ ସୁରକ୍ଷିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଜଙ୍ଗଲରେ ନିଆଁ ଲାଗିବା ଫଳରେ ହାତୀମାନେ ଜନବସତି ମୁହାଁ ହେଉଥିବା ସନ୍ଦେହ କରାଯାଉଛି।