ରାଇସୁଆଁ: ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନରେ ବଣୁଆ ହାତୀପଲଙ୍କ ଉପଦ୍ରବ ଲାଗିରହିଛି। ବନବିଭାଗର ହାତୀ ନିରୀକ୍ଷଣ ଦାୟିତ୍ୱହୀନତା ଯୋଗୁଁ ବର୍ଷ ତମାମ ବିମଳା ଫରେଷ୍ଟ ସେକ୍ସନ ଛାଡୁନାହାଁନ୍ତି ହାତୀପଲ। ବିମଳା ଫରେଷ୍ଟ ସେକ୍ସନର ଗାଁ ଗୁଡିକର ଲୋକମାନେ ରାତିରେ ଶାନ୍ତିରେ ଶୋଇପାରୁ ନାହାଁନ୍ତି। ଗତ ୩ଦିନ ହେଲା ବିମଳା, ଝାରବେଡା, ଟାଙ୍ଗିରି, କୁଣ୍ଢେଇହତା, ନମକାନୀ ଓ କୁଡୁବିଲ ଆଦି ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ଗତକାଲି ବିମଳା ଶିମିଳିସାହିର ମିଳୁ ପାତ୍ରଙ୍କ ୨ବଖରା, ଝାରବେଡା ଗ୍ରାମର କୁଶ ବେହେରାଙ୍କ ଇନ୍ଦିରା ଆବାସ ଓ ଗୋପାଳ ଘର ୩ ବଖରା ଏବଂ ବିମଳାଗ୍ରାମର ମଦନ ନାୟକଙ୍କର ୪ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଉଥିବା ଦେଖିବାକୁ ମିଳିଛି।
ମଙ୍ଗଳବାର ବିଳମ୍ବିତ ରାତିରେ ୫ଟିକିଆ ହାତୀପଲ ମଦନ ନାୟକଙ୍କ ଗୁହାଳ ଘର ଭାଙ୍ଗି ଦେଇଥିଲେ। କାନ୍ଥ ପଡ଼ିଯିବାରୁ ଗୁହାଳରେ ବନ୍ଧା ହୋଇଥିବା ବଳଦ ଓ ଅନ୍ୟ ଗୋରୁ ଆହତ ହୋଇଛନ୍ତି। ପରେ ଧାନ ଥିବା ଘରକୁ ଭାଙ୍ଗି ଧାନ ଚାଉଳ ଖାଇଥିଲେ। ସେହିଘରେ ମନର ପୁଅ ରଘୁ, ସ୍ତ୍ରୀ ସୁଲୋଚନା ଓ ପୁଅ ସୁବ୍ରତ(୧୧), ସୁଭମ(୮) ଓ ଝିଅ ସୁମିତା(୫) ଅଳ୍ପକେ ହାତୀ କବଳରୁ ବର୍ତ୍ତି ଯାଇଛନ୍ତି। ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ବିହନ ଧାନ ସମେତ ଖାଇବା ଧାନ ୧୦ ବସ୍ତା, ବିପିଏଲ ଚାଉଳ ୨ ବସ୍ତା ଖାଇ ଦେଇଛନ୍ତି। ବିମଳା ଫରେଷ୍ଟର କୌଶଲ୍ୟା ମହାନ୍ତଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଏଠାରେ ୯ଟି ହାତୀ ଅଛନ୍ତି। ଏବେ ସେମାନେ ଭାଗ ଭାଗ ହୋଇ ଗାଁ ଗହଳିରେ ପଶି ଘର ଭାଙ୍ଗିବା ସହ ଧାନଚାଉଳ ଖାଉଥିବା ଅଭିଯୋଗ ହେଉଛି। ଯେଉଁଠୁ ଖବର ଆସୁଛି ସେଠାକୁ ଯିବାକୁ ପଡୁଛି ବୋଲି ସେ ପ୍ରକାଶ କରିଥିଲେ।