ଘର ଭାଙ୍ଗିଲେ ହାତୀ

ରାଇସୁଆଁ: ତେଲକୋଇ ବ୍ଲକ୍ କାଳିଆହତା ଫରେଷ୍ଟ ସେକ୍ସନର ଗଳଦା ମୁଣ୍ଡା ସାହିରେ ହାତୀପଲଙ୍କ ଉପଦ୍ରବ ଯୋଗୁ ସାହିବାସୀ ଅତିଷ୍ଟ ହୋଇପଡ଼ିଛନ୍ତି। ସାହିର ଧନେଶ୍ଵର ମୁଣ୍ଡାଙ୍କ ଝାଟିମାଟି ୨ ବଖରା ଘର ଓ ରଘୁ ମୁଣ୍ଡାଙ୍କ ୨ ବଖରା ଟାଇଲ ଛପର ଘରକୁ ହାତୀ ଭାଙ୍ଗି ଦେଇଛନ୍ତି। ଘରେ ଥିବା ଧାନ ଚାଉଳ ଖାଇବା ସହିତ ବାସନ ଏବଂ ଅନ୍ୟାନ୍ୟ ଆସବାବପତ୍ରକୁ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି। ଆଦିବାସୀ ହୋ ସମାଜର ଧନେଶ୍ଵର ଓ ରଘୁ ଅତ୍ୟନ୍ତ ଦିନମଜୁରିଆ।  ଏମାନେ ଅଭାବ ଅନଟନ ମଧ୍ୟରେ ଦିନ କାଟୁଛନ୍ତି। ଏବେ ଚାଷ ସମୟ ଆସିବାରୁ ଘରେ ରହିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ୬ ଟିକିଆ ହାତୀପଲ ଘରଭାଙ୍ଗିବା ସହ ଧାନଚାଉଳ ଖାଇବା ଓ ଘରର ଆସବାବପତ୍ର ନଷ୍ଟ କରିଥିବା ଦେଖିବାକୁ ମିଳିଥିଲା। ଉକ୍ତ ଘଟଣାକୁ ନେଇ କାଳିଆହତା ବନପାଳ ଯଦୁମଣି ରଣାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଘଟଣା ସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡାଇବାରେ ସକ୍ଷମ ହୋଇଥିଲୁ।  ଆରଆଇ ରିପୋର୍ଟ ସହ ସେମାନେ ଆବେଦନ କଲେ ବିଭାଗ ତରଫରୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର