ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ବର୍ଷତମାମ ହାତୀ ଉପଦ୍ରବ ଲାଗି ରହିଛି। ହାତୀ ଆକ୍ରମଣରେ କିଛିଦିନ ମଧ୍ୟରେ ଦୁଇଜଣଙ୍କ ଜୀବନ ଯାଇଛି। ସନ୍ଧ୍ୟା ନ ହେଉଣୁ ଗାଁଗଣ୍ଡାରେ ହତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଗତକାଲି ରାତିରେ ଏକ ଦନ୍ତାହାତୀ ଖୁଣ୍ଟାପଡ଼ା ଗ୍ରାମରେ ପଶି ଅର୍ଜୁନା ପାତ୍ର ଓ କାଳିଆ ପାତ୍ରଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଆସବାବପତ୍ର ନଷ୍ଟ କରିଦେଇଛି। ଗ୍ରାମବାସୀ ହାତୀଟିକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେ ଗାଁ ଛାଡ଼ି ଯାଇନଥିଲା। ଦେଢ଼ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିଥିଲା।

Advertisment

ଲୋକଙ୍କୁ ମାରିବାକୁ ଗୋଡ଼ାଇଥିଲା। ବହୁ ଚେଷ୍ଟା ପରେ ହାତୀଟି ଗାଁ ଛାଡ଼ି ଯାଇଥିଲା। ଏହି ଗୋଠଛଡ଼ା ଦନ୍ତାହାତୀ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଘରଦ୍ବାର ଭାଙ୍ଗି ଧାନଚାଉଳ ଖାଉଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଆଜି ତେଲକୋଇ ରେଞ୍ଜରେ ୧୫ଟି ହାତୀ ଥିବା ଜଣାପଡ଼ିଛି। ଏଥିରେ ୪ଟି ଦନ୍ତା, ୭ଟି ମାଈ ଓ ୪ଟି ଛୁଆହାତୀ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।