ତୀର ମାଡ଼ରେ ହାତୀର ମୃତ୍ୟୁ: ପେଟରୁ ବାହାରିଲା ତୀର

କେନ୍ଦୁଝର/‌ତେଲକୋଇ/ରାଇସୁଆଁ: ତୀର ମାରି ହାତୀ ହତ୍ୟା। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳାପାଟ ସଂରକ୍ଷିତ ଜଙ୍ଗଲର କୁଳିଆପାଳ ନିକଟରୁ ଆଜି ମା’ ଓ ଛୁଆହାତୀର ଗଳିତ ମୃତଦେହ ଉଦ୍ଧାର ଏବଂ ମା’ ହାତୀ ପେଟରୁ ତୀର ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କିଛିଦିନ ହେବ ଚମ୍ପୁଆ ରେଞ୍ଜରେ ଏକ ହାତୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ତେଲକୋଇ ରେଞ୍ଜରେ ପୁଣି ଦୁଇଟି ହାତୀଙ୍କ ମୃତଦେହ ମିଳିବା ବନ ବିଭାଗର ଚିନ୍ତା ବଢ଼ାଇଛି।

ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତାଳପଦା ବିଟ୍‌ର କୁଳିଆପାଳ ନିକଟରୁ ଏକ ମାଈହାତୀ ଓ ଏକ ହାତୀ ଶାବକର ଗଳିତ ମୃତଦେହ ଠାବ ହୋଇଛି। କିଛିଦିନ ଧରି କୁଳିଆପାଳ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଏକ ମାଈ ଏବଂ ଛୁଆହାତୀର ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ତେଲକୋଇ ରେଞ୍ଜର ଶିବାଜୀ ମୋହନ ରାଓ, କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନରାଜ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁଇହାତୀଙ୍କ ମୃତ୍ୟୁ କିଛିଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ମାଈ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବା ବେଳେ ପେଟରୁ ଏକ ତୀର ବାହାରିଛି। ହାତୀକୁ କେହି ତୀର ମାରି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି। ପରିବେଶବିତ୍‌ଙ୍କ କହିବା କଥା ହେଲା, ମାଈହାତୀଟି ପୂର୍ବରୁ ହାତୀପଲରେ ଥିଲା। ହାତୀପଲରେ ଥିବା ଦନ୍ତାକୁ ଶିକାର କରିବାପାଇଁ କେହି ଉଦ୍ୟମ କରିଥିଲା। ମରାଯାଇଥିବା ତୀର ଦନ୍ତା ଦେହରରେ ନବାଜି ମାଈହାତୀଠାରେ ବାଜିଛି। ଫଳରେ ତା’ର ମୃତ୍ୟୁ ଘଟିଛି। ଛୁଆହାତୀଟି ଖାଦ୍ୟ ନ ପାଇ ପ୍ରାଣ ହରାଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ହାତୀ ଦେହରେ ତୀର ବାଜିବା ପରେ ତତ୍କାଳ ତା’ର ମୃତ୍ୟୁ ହୋଇ ନଥିବ। କିଛିଦିନ ସେ ଯନ୍ତ୍ରଣାରେ ଛଟପଟ ହେବା ପରେ ପ୍ରାଣ ହରାଇଥିବ। ହାତୀଙ୍କ ଗତିବିଧି ଉପରେ ନଜର ରଖୁଥିବା ବନ ବିଭାଗ କିପରି ଏ ସମ୍ପର୍କରେ ଜାଣିପାରିଲା ନାହିଁ ତାକୁ ନେଇ ଆଶଙ୍କା ପ୍ରକାଶ ପାଉଛି।

ହାତୀପଲଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଟ୍ରାକିଂ ବ୍ୟବସ୍ଥା ରହିଛି। ଏହି ହାତୀପଲ କୁଆଡ଼େ ଗଲେ, କେଉଁଠି ରହିଲେ ସେନେଇ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ସୂଚନା ଦିଆଯାଉଛି। ମାତ୍ର ଏଠାରେ ହାତୀ ମରିବା ପରେ ବି କେହି ଜାଣି ନପାରିବା ଟ୍ରାକିଂ ବ୍ୟବସ୍ଥା ବିଫଳ ବୋଲି ପ୍ରମାଣିତ ହେଉଛି। ଏ ସମ୍ପର୍କରେ ଡିଏଫ୍‌ଓ ଏଚଡି ଧନରାଜ କହିଛନ୍ତି, ବ୍ୟବଚ୍ଛେଦ ବେଳେ ହାତୀ ପେଟରୁ ତୀର ବାହାରିଛି। ତେଣୁ ହାତୀକୁ ହତ୍ୟା କରାଯାଇଥିବା ଜଣାପଡ଼ୁଛି। କିଏ ଏବଂ କେଉଁ କାରଣ ହାତୀକୁ ହତ୍ୟା କଲା ତାହାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ସେହିପରି ହାତୀର ମୃତଦେହ ବ୍ୟବଚ୍ଛେଦ କରିବା ତେଲକୋଇ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅଭିନ୍ନ ପଣ୍ଡା ମଧ୍ୟ ସମାନ କଥା କହିଛନ୍ତି। ହାତୀ ପେଟରୁ ୫ ଇଞ୍ଚର ଏକ ଲୁହାତୀର ବାହାରିଛି। ହାତୀ ଦୁଇଟି ସପ୍ତାହେ ତଳୁ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ବୋଲି ଡା. ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର