ବିଦ୍ୟୁତ୍ ଷ୍ଟ୍ରକଚର୍‌ରେ ପଶିଲା ହାତୀ

ଶୁଳିଆପଦା: ଗତମାସ ୧୭ ତାରିଖ ରାତିରେ ଶୁଳିଆପଦା ବ୍ଲକ୍‌ ଅଞ୍ଚଳକୁ ପଶିଥିଲେ ୭୦ରୁ ଊର୍ଦ୍ଧ୍ବ ହାତୀ। ଏହାପରଠାରୁ ଏହି ବ୍ଲକ୍ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ। ଇତିମଧ୍ୟରେ ହାତୀ ଆକ୍ରମଣରେ କାଠଶିରିଶି ଗାଁର ଜଣଙ୍କ ଜୀବନ ଯାଇଛି। ୩୦ରୁ ଅଧିକ ଘର ଭାଙ୍ଗି ସାରିଛନ୍ତି ହାତୀପଲ। ହେଲେ ସେମାନଙ୍କୁ ଘଉଡ଼ାଇବା ସମ୍ଭବ ହେଉନି। ଦଳ ଦଳ ହୋଇ ଚାରିଆଡ଼େ ବୁଲୁଛନ୍ତି ହାତୀ। କେତେବେଳେ ଜନବସତିରେ ପଶି ଘରଦ୍ବାର ଭାଙ୍ଗୁଛନ୍ତି ତ’ କେତେବେଳେ ଖରାଟିଆ ଧାନ ଫସଲ ଉଜାଡ଼ୁଛନ୍ତି। ଏତେ ସଂଖ୍ୟ ହାତୀଙ୍କ ଆଗରେ ବନ ବିଭାଗ ଏକ ପ୍ରକାର ଆତ୍ମସମର୍ପଣ କରିଦେଇଛି। କୌଣସି ମତେ ହାତୀପଲଙ୍କୁ ପଶ୍ଚିମବଙ୍ଗ ସୀମାକୁ ଘଉଡ଼ାଇବା ପାଇଁ ବନ କର୍ମଚାରୀ ଚେଷ୍ଟା ଚଳାଇଥିଲେ ବି ସେଠାକାର ଅଧିକାରୀ ନିଆଁହୁଳା ଦେଖାଇ, ବାଣ ଫୁଟାଇ ହାତୀଙ୍କ ପଥରୋଧ କରୁଛନ୍ତି। ଆଜି ଭୋର୍ ସମୟରେ ହାତୀପଲ କାଳିଆଶୋଳ, ଧାତିକା ହେଇ କେଉଟୁଣିମାରି ଜଙ୍ଗଲରେ ପ୍ରବେଶ କରିଥିଲେ। ତେବେ ଗୋଟିଏ ହାତୀ ଦଳଛଡ଼ା ହୋଇ ନଦୀ କଡ଼େକଡ଼େ ରସୁଣିଆ ଆଡ଼କୁ ଯାଇଥିଲା।

ସେଠାରୁ ଫେରି କାଳିଆଶୋଳ, ଧାତିକା ହୋଇ କୋଷ୍ଠା ନିକଟସ୍ଥ ଇଲେକ୍ଟ୍ରିକ ଷ୍ଟ୍ରକ୍‌ଚର ପରିସରରେ ପଶି ଯାଇଥିଲା। ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା। ତେବେ ହାତୀ ଏହି ଅଞ୍ଚଳକୁ ଆସିବା ଆଗରୁ ବିଦ୍ୟୁତ୍‌ କାଟ୍‌ ହୋଇଥିବାରୁ କୌଣସି କ୍ଷତି ହୋଇନଥିଲା। ପରେ ହାତୀଟି ଧରମପୁରା, ଗେଣ୍ଡାଖାଳ ଜଙ୍ଗଲରେ ପ୍ରବେଶ କରିଥିଲା। ଏପେଟେ ୬୦ରୁ ଅଧିକ ହାତୀ କେଉଟୁଣିମାରି ଅଞ୍ଚଳରେ ଧାନ ଫସଲ ନଷ୍ଟ କରୁଛନ୍ତି। ହାତୀପଲ ଜନବସତି ପାଖରେ ଥିବାରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଜାଗ କରାଉଛି ବନ ବିଭାଗ। ତେବେ ଏହି ହାତୀପଲ ଆଉ କେତେଦିନ ଶୁଳିଆପଦା ଅଞ୍ଚଳରେ ରହିବେ ବୋଲି ଲୋକେ ପ୍ରଶ୍ନ କଲେଣି।

ସମ୍ବନ୍ଧିତ ଖବର