ଚମ୍ପୁଆ ରେଞ୍ଜ ଛାଡୁ ନାହାନ୍ତି ହାତୀପଲ

ଚମକପୁର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଛାଡ଼ି ଯାଉନାହାନ୍ତି ହାତୀପଲ। ୫୬ଟି ହାତୀ ଚମ୍ପୁଆ ରେଞ୍ଜର ବିଭିନ୍ନ ସେକ୍ସନରେ ବୁଲୁଛନ୍ତି। ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ମିଳୁନଥିବାରୁ ହାତୀପଲ ବର୍ଷବର୍ଷ ଧରି ଏଠାରେ ଘୂରି ବୁଲୁଥିବା କୁହାଯାଉଛି। ତେବେ ଅନେକ ସମୟରେ ହାତୀପଲ ଗାଁରେ ପଶି ଉତ୍ପାତ କରୁଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଉଛି।

ବନ ବିଭାଗର ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ବିଭିନ୍ନ ସେକ୍ସନରେ ଆଜି ୫୬ଟି ହାତୀ ଚଳପ୍ରଚଳ କରୁଛନ୍ତି। ହାତୀପଲଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି। ଏହାଛଡ଼ାରେ ଜଙ୍ଗଲ ଉପରେ ଉଡ଼ୁଛି ଥର୍ମାଲ ଡ୍ରୋନ୍‌। ଏହି ଡ୍ରୋନ୍‌ ହାତୀପଲର ସ୍ଥିତି ଏବଂ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଉଛି। ଚମ୍ପୁଆ ରେଞ୍ଜ ଝାଡ଼ଖଣ୍ତ ରାଜ୍ୟ ସମେତ ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଲାଗିଛି। କେତେବେଳେ କେଉଁ ଦିଗରୁ ହାତୀ ଏହି ରେଞ୍ଜରେ ପ୍ରବେଶ କରୁଛନ୍ତି ତାହା ଜାଣିବା କଷ୍ଟକର ହୋଇଥାଏ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ନଦୀନାଳ ଯୋଗୁଁ ବର୍ଷସାରା ହାତୀପଲ ଏଠାରେ ଡେରା ପକାଉଛନ୍ତି।

ହାତୀ ଚଳପ୍ରଚଳ କରୁଥିବା ଜଙ୍ଗଲ ନିକଟବର୍ତ୍ତୀ ଗାଁ’ମାନଙ୍କରେ ଲୋକଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ଦୈନିକ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି। ଆଜି ଏହି ରେଞ୍ଜ ଅନ୍ତର୍ଗତ ବାମେବାରୀ ସେକ୍ସନରେ ୧୯ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ଯୋଡ଼ା ସେକ୍ସନରେ ୨୪ ଓ ବାଲିବନ୍ଧ ସେକ୍ସନରେ ୧୩ଟିକିଆ ହାତୀପଲଙ୍କୁ ଠାବ କରାଯାଇଛି। ବାଲିବନ୍ଧ ସେକ୍ସନରେ ସବୁଠାରୁ ବଡ଼ ଜଙ୍ଗଲ ଥିବାରୁ ଏଠାରେ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା କଷ୍ଟକର ହେଉଛି। ବିଭିନ୍ନ ସମୟରେ ବିଦ୍ୟୁତ୍‌ ଆଘାତ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁଁ ହାତୀଙ୍କ ମୃତ୍ୟୁ ଘଟୁଛି। କେନ୍ଦୁଝର ଡିଏଫ୍‌ଓ ଏଚ୍‌ଡି ଧନରାଜଙ୍କ ନିର୍ଦେଶକ୍ରମେ ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଗତିବିଧି ଉପରେ ଦିନରାତି ନଜର ରଖିବାକୁ ହାତୀସ୍କ୍ବାଡ୍‌, ବନରକ୍ଷୀ ଓ ଫରେଷ୍ଟରଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ଥର୍ମାଲ ଡ୍ରୋନ୍‌ ମଧ୍ୟ ବ୍ୟବହାର କରାଯାଉଛି ବୋଲି ବାଲିବନ୍ଧ ସେକ୍ସନର ବନରକ୍ଷୀ ଶ୍ରୀଧର ନାଏକ କହିଛନ୍ତି।

ସମ୍ବନ୍ଧିତ ଖବର