ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନସ୍ଥ ବେଲଘର ବନାଞ୍ଚଳରେ ୧ମାସ ହେଲା ହାତୀପଲ ଗତିବିଧି ଜାରି ରଖିଛନ୍ତି। କିନ୍ତୁ ସେମାନଙ୍କ ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଗୋଟିଏରୁ ଦୁଇଟି ହାତୀ ଅସୁସ୍ଥ ହୋଇ ବିକଟାଳ ଗର୍ଜନ କରୁଥିବା କିଛି ଗ୍ରାମବାସୀ କହିଛନ୍ତି। ବନ ବିଭାଗ ଏଦିଗରେ ଦୃଷ୍ଟି ଦେବାକୁ ସେମାନେ ଦାବି ହୋଇଛି। ବେଲଘର ବନାଞ୍ଚଳର ଲଙ୍କାଗଡ଼, ଭଣ୍ଡରଙ୍ଗୀ ଓ ଝିରିପାଣି ପଞ୍ଚାୟତର ଜଙ୍ଗଲରେ ହାତୀପଲ ଘୂରି ବୁଲୁଛନ୍ତି।
ବର୍ତ୍ତମାନ ଝିରିପାଣି ପଞ୍ଚାୟତର ଶିକ୍କି, ବରଗାଁ, ଚଜାଙ୍ଗି, ନାଲକୁଟି, ନଟକି, ସୁରାଙ୍ଗବାରୁ ଓ କୁନାବାଡ଼ା ସମେତ ଅନେକ ଗ୍ରାମରେ ହାତୀ ଘୂରି ବୁଲୁଥିବା ବେଳେ ଲୋକେ ଭୟରେ ଦିନ କାଟୁଛନ୍ତି। କୁନାବଡ଼ା ଜଙ୍ଗଲରେ ଗତ କିଛିଦିନ ହେଲା ହାତୀପଲ ଗତିବିଧି ଜାରି ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ହାତୀ ଅସୁସ୍ଥ ହୋଇଥିବା ଅନୁମାନ ହେଉଛି ବୋଲି ଗ୍ରାମର ସୁବାସ ମାଝୀ କହିଛନ୍ତି। ବେଲଘର ଜଙ୍ଗଲର ପରିସୀମା ଦିନକୁ ଦିନ କମିବାରେ ଲାଗିଥିବାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବର୍ତ୍ତମାନ ବିପଦ ସୃଷ୍ଟି ହୋଇଛି।