ଆତଙ୍କ: ଯୋଡ଼ା ସହରରେ ପଶିଲା ହାତୀ

ଯୋଡା: ଦୀର୍ଘ ଦୁଇମାସ ହେବ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଯୋଡ଼ା ସହର ଉପକଣ୍ଠରେ ହାତୀ ଉପଦ୍ରବ ଜାରି ରହିଥିଲେ ହେଁ ହାତୀ ଘଉଡ଼ାଇବାରେ ବନ ବିଭାଗ ବିଫଳ ହୋଇଛି। ଗତକାଲି ବିଳମ୍ବିତ ରାତ୍ରୀରେ ସହରର ମଧ୍ୟକୁ ହାତୀ ପଶି ସ୍ଥାନୀୟ ବାଚୁ ହଟିଂ ଓ ରମଜାନ ହଟିଂରେ ଉପଦ୍ରବ ଚଳାଇବା ଯୋଗୁଁ ସହରରେ ଆତଙ୍କ ଖେଳି ଯାଇଛି। ହାତୀ ୩ ଘର ଭାଙ୍ଗିବା ସହିତ ଗୋଟିଏ ପରିବାର ହାତୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଛନ୍ତି।
ସୂଚନା ଅନୁଯାୟୀ ଯୋଡ଼ା ସହର ଉପକଣ୍ଠ  ଭିନ୍ନ ଭିନ୍ନ ସ୍ଥାନରେ ୨୪ ହାତୀ ରହୁଛନ୍ତି  । ଏମାନଙ୍କ ମଧ୍ୟରୁ ୧୦ ହାତୀ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ସାଢ଼େ ଗୋଟାଏ ବେଳେ  ରମଜାନ ହଟିଂ ଅଞ୍ଚଳରେ  ହାତୀପଲ ପଶି ଉପଦ୍ରବ କରିବ ସହିତ  ଆତଙ୍କ ସୃଷ୍ଟି କରିଥିଲେ। ହାତୀପଲ ରାମଚନ୍ଦ୍ର ପିଙ୍ଗୁଆ, ସଞ୍ଜୀବ ସିର୍କା, ଦିଲିପ ନାଏକଙ୍କ ଘର ଭାଙ୍ଗିବା ସହିତ ରେଳ ଧାରଣା ନିକଟରେ ଥିବା ଟାଟା ଷ୍ଟିଲର  ପାଚେରି ଭାଙ୍ଗି ଦେଇଥିଲେ। ଘର ଭାଙ୍ଗିବା ସମୟରେ ରାମଚନ୍ଦ୍ର ପିଙ୍ଗୁଆ ନିଜର ଦୁଇ ପୁଅ  ଓ  ତିନି ଝିଅଙ୍କ ସହ ବାହାରକୁ ପଳାଇ ନିଜର ଜୀବନ ବଞ୍ଚାଇଥିଲେ।

ଲୋକଙ୍କ ଅଭିଯୋଗ ହେଲା, କିଛି ମାସ ହେବ ହାତୀ ପଲ ନିକଟସ୍ଥ ଇଙ୍ଗଣିଝରଣ ଜଙ୍ଗଲରେ ରହୁଛନ୍ତି । ୨୪ ହାତୀରୁ  ଚାରି ପାଞ୍ଚ ଭାଗ ହୋଇ ଜଙ୍ଗଲ ଓ ଜନ ବସତି ଆଖ ପାଖ ଅଞ୍ଚଳରେ ବୁଲୁଛନ୍ତି । ରାସ୍ତା କଡ଼ରେ ଯାତାୟାତ କରୁ ଥିବା ହେତୁ ଇଙ୍ଗ‌ାନିଝରଣ ବସ୍ତିର ଲୋକେ ଯୋଡାକୁ ଦିନ ବେଳେ ଆସିବା ପାଇଁ ଅସୁରକ୍ଷିତ ମଣୁଛନ୍ତି। ଦିନ ବେଳେ ଲୋକଙ୍କୁ ବନ ବିଭାଗ ସୁରକ୍ଷା ଦେଇ ପାରୁ ନାହିଁ । ରାତି ସମୟରେ ହାତୀର ଗତି ବିଧି ପ୍ରତି ବନ ବିଭାଗ ସତର୍କ ଦୃଷ୍ଟି ଦେଉ ନ ଥିବାରୁ ସହର ମଧ୍ୟରେ ହାତୀ ପଶି ଉପଦ୍ରବ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

ଗତ କାଲି ସହରରେ ହାତୀ ପଶିବା ପରେ ମଧ୍ୟ ବନ ବିଭାଗ କର୍ମଚାରୀ ଜାଣି ନ ପାରିବା ସମସ୍ତଙ୍କୁ ଚକିତ କରିଛି ।  ରାତ୍ରି ସମୟରେ  ବନ ବିଭାଗର ଏପରି  ଢିଲା  ବ୍ୟବସ୍ଥା ରହିଲେ ସହର ଉପକଣ୍ଠରେ ରହିଥିବା ବସ୍ତି ଲୋକଙ୍କୁ କିଏ ସୁରକ୍ଷା ଦେବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର