ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଭୁର୍ଟିଗଡ଼ ପଞ୍ଚାୟତ ତଥା ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ପୁଜୁଗୁଡ଼ା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଧାନଖଳାରେ ଶୋଇଥିବା ବେଳେ ଜଣେ ବୃଦ୍ଧଙ୍କୁ ଏକ ଦନ୍ତାହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୁଜୁଗୁଡ଼ା ଗାଁର ଖଗେଶ୍ବର ଗଉଡ଼ (୬୨)।  ସେହିପରି ହାତୀ ଆକ୍ରମଣରେ ପୁଜୁଗୁଡ଼ାର ଚନ୍ଦନ ଗଉଡ଼ (୨୭), ବିଭୁ ଗଉଡ଼, ରାଜେନ୍ଦ୍ର ଓ ମନୋଜ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବିଳମ୍ବିତ ରାତିରେ ପ୍ରଥମେ ନର୍ଲା ଓ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment

ଏ ସଂପର୍କରେ ଖବରପାଇ ଶନିବାର ସକାଳେ ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ ପାଲ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଗୁରୁ, ଗୋକୁଳ ସାହୁ, କମର୍ଦ୍ଧା ଫରେଷ୍ଟର ନବୀନ ମାଝୀ, ସିକେରକୁପା ଫରେଷ୍ଟର ଗିରିଧାରୀ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ନର୍ଲା ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଭୁର୍ଟିଗଡ଼ ପଞ୍ଚାୟତ ନିର୍ବାହୀ ଅଧିକାରୀ ରୂପାଧର ଧରୁଆ ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଲାଞ୍ଜିଗଡ଼ ବ୍ଲକ୍‌ ବିଭିନ୍ନ ପଞ୍ଚାୟତରେ ହାତୀ ଉପଦ୍ରବ ଯୋଗୁଁ ଅଞ୍ଚଳବାସୀ ଆତଙ୍କରେ ରହିଛନ୍ତି। ଏଲିଫେଣ୍ଟ ସ୍କ୍ବାଡ୍ ହାତୀ ଉପରେ ନଜର ରଖିଥିବା କହୁଥିବା ବେଳେ ପ୍ରକୃତ ପକ୍ଷରେ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ୮୦ରୁ ଅଧିକ ଲୋକଙ୍କ ଘର ଭାଙ୍ଗିଥିବା ବେଳେ ୧୫ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ୨୦୨୦ ଅକ୍ଟୋବରରେ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ବେଡ଼ାଗାଁ ପଞ୍ଚାୟତ ମଇଁଷିପେଟା ଗାଁର ସାନେ ମାଝୀ (୬୦)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଜୁନ୍‌ ୨୦୨୧ରେ ବସନ୍ତପଡ଼ା ପଞ୍ଚାୟତ ଡେଙ୍ଗସର୍ଗି ଗାଁର ରାଇ ମାଝୀ(୬୧)ଙ୍କ ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ହାତୀ ଉପଦ୍ରବ ଅଞ୍ଚଳରେ ବଢ଼ିବାରେ ଲାଗିଥିବାରୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।