ବୌଦ୍ଧ: ୪୨ ଡିଗ୍ରି ସେଲସିୟସ୍ ତାପମାତ୍ରାରେ ବୌଦ୍ଧ ଜିଲ୍ଲା ଜଳୁଛି। କେବଳ ମଣିଷ ନୁହେଁ ଜିଲ୍ଲା ପରିସୀମାରେ ଥିବା ଗୃହପାଳିତ ପ୍ରାଣୀ, ପକ୍ଷୀ ଓ ବନ୍ୟପ୍ରାଣୀ ପ୍ରଚଣ୍ଡ ତାତି ଯୋଗୁଁ ପ୍ରମାଦ ଗଣିଲେଣି। ମଣିଷ ନିଜ ପାଇଁ ଓ ଗୃହପାଳିତ ପ୍ରାଣୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରି ପାରୁଛି। ହେଲେ ଜଙ୍ଗଲରେ ରହୁଥିବା ପଶୁପକ୍ଷୀଙ୍କ ଅବସ୍ଥା ଖୁବ ଶୋଚନୀୟ ହୋଇ ପଡ଼ିଛି। ଜଙ୍ଗଲରେ ବନ୍ୟ ପ୍ରାଣୀଙ୍କ ଶୋଷ ମେଣ୍ଟାଇବା ପାଇଁ ଜଳାଶୟ ଖୋଳିବା ନିୟମ ରହିଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ଜଳାଶୟ ଖୋଳାଯାଇଥିବା କୁହାଯାଉଛି। ଏଥିପାଇଁ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।
କିନ୍ତୁ ପ୍ରକୃତ ଚିତ୍ର ହେଲା ଜଙ୍ଗଲରେ ନାମକୁ ମାତ୍ର ଜଳାଶୟ ରହିଛି। ଜଳ ସଂରକ୍ଷଣର ଉପଯୁକ୍ତ ବ୍ୟବସ୍ଥା ନାହିଁ। ଅନ୍ୟପକ୍ଷରେ ବର୍ତ୍ତମାନ ଜଙ୍ଗଲରେ ଶିକାରୀ ଓ ଗଞ୍ଜେଇ ଚାଷ ପାଇଁ ମାଫିଆ ସକ୍ରିୟ ଥିବା ଅଭିଯୋଗ ହେଉଛି। ବନ୍ୟପ୍ରାଣୀ ଶିକାର ଓ ଗଞ୍ଜେଇ ଚାଷ ପାଇଁ ଜଙ୍ଗଲରେ କ୍ଷେତ୍ର ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ନିଆଁ ଲଗାଇବା ଅଭିଯୋଗରେ ବନ ବିଭାଗ ମଧ୍ୟ କିଛି ଲୋକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଫଳ ସ୍ବରୂପ ତୃଷା ଓ ବନାଗ୍ନି ଯୋଗୁଁ ବନ୍ୟପ୍ରାଣୀ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଛନ୍ତି। ମଙ୍ଗଳବାର ରାତିରେ ଏପରି ଏକ ହାତୀପଲ ବୌଦ୍ଧ ରେଞ୍ଜ ଅଧୀନ ବୀରନରସିଂହପୁର ଗାଁରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।
ଗାଁ ନିକଟରେ ଥିବା ଗୋବିନ୍ଦ ପ୍ରଧାନଙ୍କ କଦଳୀ ବଗିଚାରେ ତାଣ୍ଡବ ରଚି ଗଛ ଭାଙ୍ଗି ଥୋଡ଼ ଖାଇଛନ୍ତି। ସେହିପରି ଅର୍ଜୁନ ପ୍ରଧାନଙ୍କ ରବି ଧାନ ଚାଷ ଦଳି ନଷ୍ଟ କରିଛନ୍ତି। ହାତୀ ଖାଇବା ସମୟର କୌଣସି ପ୍ରତ୍ୟକ୍ଷଦର୍ଶୀ ନଥିବାରୁ ହାତୀଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ଜିଲ୍ଲା ପ୍ରଶାସନଙ୍କ ପ୍ରସ୍ତାବିତ ନନ୍ଦନବନ ଅଞ୍ଚଳକୁ ପ୍ରଥମ ଥର ପାଇଁ ହାତୀ ଆସିଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାଯାଇଛି। ଜଙ୍ଗଲ ମଧ୍ୟ ଦେଇ ପ୍ରବାହିତ ହୋଇଥିବା କୌଣସି ନାଳରେ ପାଣି ନଥିବାରୁ ତୃଷାର୍ତ୍ତ ହୋଇ ନୂଆପଡ଼ା ଡ୍ୟାମକୁ ପାଣି ପିଇବାକୁ ଆସିଥିବା ଜଣାଯାଇଛି। ଫସଲ ନଷ୍ଟ କରିବା ପରେ ବୁଧବାର ନନ୍ଦନବନ ନିକଟ ଜଙ୍ଗଲରେ ଥିବା ଜଣାଯାଇଛି। ହାତୀଙ୍କୁ ଘଉଡ଼ାଇବା ସହ ଜଙ୍ଗଲରେ ପାଣିର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/8-11.jpg)