ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଥମିବାର ନାଁ ଧରୁନି। ଦୀର୍ଘ ଦିନ ହେଲାଣି ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ଗ୍ରାମରେ ହାତୀପଲ ପଶି ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ କରିଦେଉଛନ୍ତି। ଦୀର୍ଘ ୨ ମାସ ହେଲା ୫୨ ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ରହିଥିବା ଜଣାପଡ଼ିଛି।
ଗୋଟିଏ ଦଳରେ ୩୭ ଓ ଅନ୍ୟ ଦଳରେ ୧୫ ହାତୀ ରହିଛନ୍ତି। ହାତୀପଲଙ୍କ ଉତ୍ପାତ ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି। ତେଲକୋଇ, ଛାମୁଣ୍ଡା, ଦୋବଲାପାଳ, ଚନ୍ଦ୍ରଶେଖରପୁର, ଶିରିଆବାହାଳ, କାଳିଆପାଣି, ପୁରୁଣାପାଣି, କୁଲାଡେରା, ଖୁଣ୍ଟାପଡ଼ା, କନ୍ତଲେଇ, ଦୁର୍ଲ୍ଲଭପୁର, ବନବିହାରୀପୁର, ଆକୁଳ, ଭୀମକାଣ୍ଡ, ବାଲେଶ୍ଵର, କୁଣ୍ଢେଇହତା, ଶିରିଗିଡ଼ା, ନମକାନୀ, ଗୋପୀନାଥପୁର, ପଡ଼ାଙ୍ଗ, କୃଷ୍ଣପୁର, ରାଇସୁଆଁ, ରାଣୀବେଡ଼ା ପ୍ରଭୃତି ଗାଁରେ ହାତୀପଲ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ କରିଦେଉଛନ୍ତି। ଏଥି ସହିତ କେତେକ ସ୍ଥାନରେ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ଗତକାଲି ଓରିଆବିରିଦା ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ହାତୀପଲ ପଶି ଧାନ ଓ ପନିପରିବା ଫସଲ ଖାଇବା ସହିତ ମାଡ଼ିଦଳି ନଷ୍ଟ କରିଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।