ଦଳି ଦେଲେ ୫ ଏକରରୁ ଊର୍ଦ୍ଧ୍ବ ଧାନ ଫସଲ

ଜଳେଶ୍ବର/ଓଲମରା: ଜଳେଶ୍ବର ବ୍ଲକ୍ ଅଧୀନସ୍ଥ ଶ୍ୟାମନଗର ପଞ୍ଚାୟତର ସୁଖଯୋଡ଼ି ଓ କାଲାଯୋଡ଼ି ଜଙ୍ଗଲକୁ ଆଜି ଭୋର ସମୟରେ ଏକ ୧୬ଟି ଝାଡ଼ଖଣ୍ଡୀ ହାତୀ ଆସିଥିବା ଜଣା ପଡ଼ିଛି।

ଏହି ହାତୀପଲ ପଶ୍ଚିମବଙ୍ଗର ଗୋପୀବଲ୍ଲଭପୁର ଥାନା କାଶିଆ, ଚାନ୍ଦାବିଲା ଓ ନୟାଗ୍ରାମ ଜଙ୍ଗଲ ପାରି ହୋଇ ଗତକାଲି ସୁଖଯୋଡ଼ି ଓ କାଲାଯୋଡ଼ିରେ ପହଞ୍ଚିଥିଲେ। ତେବେ ଆସିବା ବାଟରେ ସର୍ଦ୍ଦାରବନ୍ଧ ପଞ୍ଚାୟତର ରାଉତରାପୁର ମୌଜାର ପାଖାପାଖି ୫ ଏକରର ରବିଧାନ ଫସଲ ହାତୀପଲ ନଷ୍ଟ କରିଥିବା ଜଣା ପଡ଼ିଛି। ବିଶେଷ କରି ଦିଲ୍ଲୀପ ସାମଲ, ସୁମନ୍ତ ଦାସ, ଗୋବିନ୍ଦ ମହାନ୍ତ ପ୍ରମୁଖଙ୍କ ଧାନ ବିଲ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରବି ଧାନ ଚାଷ ଅମଳ ହେବାକୁ ଆଉ ଦିନ କେଇଟା ବାକି ଥିବା ବେଳେ ଏକା ଥରକେ ଏ ଅଞ୍ଚଳକୁ ୧୬ଟି ହାତୀ ମାଡ଼ି ଆସିବା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ସେହିପରି ସର୍ଦ୍ଦାରବନ୍ଧ, ଶ୍ୟାମନଗର, ବରଡ଼ିହା, କଳମା, ରାଇବଣିଆ ଓ କାଳିକ ଆଦି ପଞ୍ଚାୟତର ଲୋକଙ୍କୁ ହାତୀ ଭୟ ଘାରିଛି। ହାତୀପଲ ଉପରେ ଜଙ୍ଗଲ ବିଭାଗ କର୍ମଚାରୀ ଓ ବାଲେଶ୍ବର ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ  ଅଶ୍ବିନୀ ଦାସ ହାତୀପଲର ଗତିବିଧି ଉପରେ ନଜର ରଖିଥିବା କହିଛନ୍ତି।

ସମ୍ବନ୍ଧିତ ଖବର