ତଳି କିଆରି ଦଳିଦେଲେ ହାତୀ

ତେଲକୋଇ: କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ବର୍ଷତମାମ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଧନଜୀବନ ହାନି ଘଟୁଛି। ସଞ୍ଜ ନ ହେଉଣୁ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଗାଁ ମୁହାଁ ହୋଇ ଲୋକଙ୍କ ଘରଦ୍ବାରା ଭାଙ୍ଗିବା ସହିତ ବାଡ଼ିବଗିଚା ଉଜାଡ଼ି ଦେଉଛନ୍ତି। ବର୍ତ୍ତମାନ ଧାନଚାଷ ପାଇଁ ଲୋକେ ତଳେ ପକାଇଛନ୍ତି। ଚାଷ ଆରମ୍ଭରୁ ହାତୀପଲଙ୍କ ଉପଦ୍ରବ ଆରମ୍ଭ ହୋଇଯାଇଛି। ଗତକାଲି ରାତିରେ ହାତୀପଲ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆକୁଳ ଓ ଭୀମକାଣ୍ଡ ଗ୍ରାମର ତଳି କିଆରିରେ ପଶି ଖିନ୍‌ଭିନ୍‌ କରିଦେଇଛନ୍ତି।

୨୨ ଟିକିଆ ହାତୀପଲ ଭୀମକାଣ୍ଡ ଗ୍ରାମର ବଡ଼ନାଳୀ ତଥା ଏହାର ସଲଗ୍ନ ଚାଷଜମିରେ ପଶି କ୍ଷୟକ୍ଷତି କରିଛନ୍ତି। ଲକ୍ଷ୍ମଣ ମୁଣ୍ଡା, ନିତ୍ୟାନନ୍ଦ ମୁଣ୍ଡା, ବଳରାମ ମୁଣ୍ଡା, ସୁମନ୍ତ କୁମାର ସାହୁ, ହେମନ୍ତ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ଯୁଗଳ କିଶୋର ରଣସିଂହଙ୍କ ତଳି କିଆରିକୁ ମାଡ଼ିଦଳି ନଷ୍ଟ କରିଦେଇଛନ୍ତି। ରୋଇବା ପୂର୍ବରୁ ତଳି ପଟାଳି ନଷ୍ଟ ହୋଇଯାଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଚଳିତବର୍ଷ ପ୍ରତିକୂଳ ପାଗ ସତ୍ତ୍ୱେ ଚାଷୀ ବହୁ ପରିଶ୍ରମ କରି ତଳି ପଟାଳି ପ୍ରସ୍ତୁତ କରିଥିଲେ।

କିନ୍ତୁ ଚାଷ ଆରମ୍ଭରୁ ହାତୀପଲ ତଳି ପଟାଳି ନଷ୍ଟ କରିଦେଇଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପଲରେ ୨୨ଟି ହାତୀ ରହିଛନ୍ତି। ହାତୀପଲ ବିଭିନ୍ନ ସମୟରେ କ୍ଷୟକ୍ଷତି କରୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସଠିକ୍‌ ଆକଳନ କରି ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦିଆଯାଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ତେଲକୋଇ ରେଞ୍ଜରେ ୨୫ଟି ହାତୀ ବୁଲୁଛନ୍ତି। ହାତୀ ପାଇଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଭୀମକାଣ୍ଡ ସମିତିସଭ୍ୟ ବିରଞ୍ଚି କୁମାର ବେହେରା, ସରପଞ୍ଚ ରୀନା ମାଝୀ, ଆକୁଳ ସମିତିସଭ୍ୟ ଯୁଗଳ କିଶୋର ପ୍ରଧାନ, ସରପଞ୍ଚ କୁଳମଣି ଫୁଦକାର, ଖୁଣ୍ଟାପଡ଼ା ସରପଞ୍ଚ ଲକ୍ଷ୍ମୀ ମୁଣ୍ଡା, ସମିତିସଭ୍ୟ ଅନନ୍ତ ବେହେରା, ଶିରିଗିଡ଼ା ସମିତିସଭ୍ୟ ପଦ୍ମଲୋଚନ ଦାସ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର