ଜଙ୍ଗଲମୁହାଁ ହୋଇ ଆଗକୁ ବଢ଼ି ପୁଣି ପଛକୁ ଫେରିଲା ମାଈହାତୀ

ସ୍ବାସ୍ଥ୍ୟାବସ୍ଥା ସ୍ଥିର, ରକ୍ତନମୁନା ପରୀକ୍ଷା ପାଇଁ ଗଲା

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ତଥା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଲେରୀ ବନାଞ୍ଚଳ ଲେଙ୍ଗଡ଼ା ଗ୍ରାମ ଚାଷଜମି ନିକଟରେ ୪ ଦିନ ହେଲା ରହିଥିବା ଅସୁସ୍ଥ ମାଈହାତୀର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି। କିନ୍ତୁ ଏବେବି ସେ ଦୁର୍ବଳ ଅଛି। ଗତକାଲି ରାତିରେ ଚାଷଜମିରୁ ହାତୀଟି ଜଙ୍ଗଲମୁହାଁ ହୋଇ ଧୀରେ ଧୀରେ ୧୦୦ ମିଟର ବାଟ ଆଗକୁ ଯାଇଥିଲା। କିନ୍ତୁ ଆଜି ପୁଣି ପୁରୁଣା ଜାଗାକୁ ଫେରିଆସିବା ସହ କିଛି ସମୟ ଛିଡ଼ା ହୋଇ ଶୋଇପଡ଼ିଥିବା ଦେଖିବାକୁ ମିଳିଛି। ସେହିପରି ବୋଇତାଳୁ, ତରଭୁଜ ଓ କଦଳୀରେ ହାତୀଟିକୁ ଔଷଧ ମିଶାଇ ଦିଆଯାଇଥିଲା। ଅନ୍ୟପକ୍ଷରେ ଭଞ୍ଜନଗର ବିଭିଓ ଏବଂ ଏସିଏଫ୍‌ ବିକ୍ରମଦେବ ପଟ୍ଟନାୟକ ସେଠାକୁ ଯାଇ ହାତୀର ସ୍ଥିତି ଯାଞ୍ଚ କରିଥିଲେ। ହାତୀର ଗତିବିଧି ଉପରେ କର୍ମଚାରୀମାନେ ନଜର ରଖିଥିବା ରେଞ୍ଜର୍ ଶିବରାମ ନାୟକ କହିଛନ୍ତି।

ଗତକାଲି ନନ୍ଦନକାନନର ଏକ ଡାକ୍ତରୀ ଟିମ୍‌ ଡା.ସନ୍ତୋଷ ଗୁପ୍ତାଙ୍କ ନେତୃତ୍ବରେ ଏକ ଟିମ୍ ପହଞ୍ଚି ଟ୍ରାନକୁଲାଇଜ୍ କରି ହାତୀଟିର ଚିକିତ୍ସା କରିଥିଲେ। ପାଟିରେ ସଂକ୍ରମଣ  ସହ ପ‌ୋକ ହୋଇଯାଇଥିବା ଜଣାପଡ଼ିବା ପରେ ଆବଶ୍ୟକ ସାଲାଇନ୍‌ ଓ ଭିଟାମିନ୍‌ ଇଞ୍ଜେକ୍‌ସନ୍‌ ଦିଆଯାଇଥିଲା। ଚିକିତ୍ସା ପରେ ହାତୀଟି ଉଠିଥିଲା।‌ ତେବେ ରୋଗ ବିଷୟରେ ଅଧିକ କାରଣ ଜାଣିବାକୁ ହାତୀଟିର ରକ୍ତନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି। ଏହାସହ ପାଟିର କ୍ଷତ ଶୁଖିବା ଲାଗି ଓୗଷଧ ଦିଆଯାଇଥିବା ସୂଚନା ମିଳିଛି। ତେବ‌େ ଖାଦ୍ୟ ଖାଇ ନଥିବାରୁ ହିଁ ହାତୀଟି ଦୁର୍ବଳ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର