ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ଏକମାସ ହେଲାଣି ହାତୀପଲଙ୍କ ଦୌରାତ୍ମ୍ୟ ଚିନ୍ତା ବଢ଼ାଇଦେଇଛି। ବନଖଣ୍ଡ ଅଧୀନ ମୁଜାଗଡ଼, ଜଗନ୍ନାଥପ୍ରସାଦ ଓ ତାରସିଂ ବନାଞ୍ଚଳରେ ହାତୀଙ୍କ ଗତିବିଧି ଜାରି ରହିଛି। ତେବ‌େ ତାରସିଂ ବନାଞ୍ଚଳ‌ରେ ଏକମାସ ମଧ୍ୟରେ ୧୮ଟିକିଆ ହାତୀପଲ ଅଧିକ ବିତ୍ପାତ ରଚାଇଛନ୍ତି। ଦିନରାତି ଜନବସତିମୁହାଁ ହୋଇ ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଫଳରେ ଗୋଟିଏପଟେ ଗ୍ରାମବାସୀ ଭୟଭୀତ ହୋଇ ରହୁଥିବା ବେଳେ ଚାଷୀ ମଧ୍ୟ ଫସଲ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ସେପଟେ ହାତୀପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ନୟାନ୍ତ ହୋଇସାରିଲାଣି। କାରଣ ପଲରେ ଥିବା ଛୁଆର ସୁରକ୍ଷା ପାଇଁ ଦନ୍ତା ଓ ମାଈ ହାତୀ ଅଧିକ ହିଂସ୍ର ହେଉଛନ୍ତି।

Advertisment

ଏହି ପଲରେ ବର୍ତ୍ତମାନ ୯ଟି ମାଈ, ୫ଟି ଛୁଆ ଓ ୪ଟି ଦନ୍ତାହାତୀ ଅଛନ୍ତି। ତାରସିଂ ବନାଞ୍ଚଳର ତିନିଛକିଆ, ଲେମ୍ଭାଇ, ହଳନ୍ଦଖୋଳା, ବାଲିସାହି, ଦଲକ, ଢେପସାହି, ବାରଦଣ୍ଡା, ସାମରଡ଼ା, ଗରୁଡୁପଥ, ତିରିଗୋଚ୍ଛା ଓ କ୍ଷେତମୁଣ୍ଡାଳି ଗ୍ରାମ ନିକଟରେ ସେମାନେ ଗତିବିଧି ଜାରି ରଖିଛନ୍ତି। ଭୋର୍‌ରୁ ଅପରାହ୍‌ଣଯାଏ ଗାଁ ମୁଣ୍ଡରେ ବୁଲୁଥିବା ବେଳେ ସଂଜ ନଇଁବା କ୍ଷଣି ଜନବସତିମୁହାଁ ହୋଇ ଧା‌ନକ୍ଷେତ ଭିତରେ ପଶୁଛନ୍ତି। ରାଜରାସ୍ତାକୁ ନିଜ ଅକ୍ତିଆରକୁ ନେଇଯାଉଛନ୍ତି। କ୍ଷେତ ଭିତରେ ପଶି ଯେତିକି ଫସଲ ଖାଉନାହାନ୍ତି, ତା’ଠାରୁ ଅଧିକ ଦଳିମକଚି ନଷ୍ଟ କରିଦେଉଛନ୍ତି।

ହାତୀପଲକୁ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ପ୍ରତିଦିନ ପହଞ୍ଚୁଛନ୍ତି। କିନ୍ତୁ ନିଆଁହୁଳା ଦେଖାଇବା, ମଲ୍ଟି ସଟ୍‌ ଗନ୍‌ର ପ୍ରୟୋଗ ଓ ବାଣ ଫୁଟାଯିବା ସତ୍ତ୍ବେ ହାତୀପଲ କ୍ଷେତ ଛାଡ଼ୁ ନଥିବା କିଛି କର୍ମଚାରୀ କହିଛନ୍ତି। ଗାଁ ରାସ୍ତାରୁ ଆରମ୍ଭ କରି ଜଙ୍ଗଲ ପର୍ଯ୍ୟନ୍ତ କର୍ମଚାରୀମାନେ ଗ୍ରାମବାସୀଙ୍କ ସହଯୋଗରେ ହାତୀ ଘଉଡ଼ାଇବାକୁ ରାତି ଉଜାଗର ରହୁଛନ୍ତି। ଗତ ଏକମାସ ଧରି ଏଭଳି ପ୍ରୟାସ ଜାରି ରହିଥିଲେ ବି ହାତୀପଲ ସେମାନଙ୍କ ଦିଗ ବଦଳାଇବାକୁ ଯେମିତି ନାରାଜ୍ ହୋଇଛନ୍ତି। ଫଳରେ ଜନସାଧାରଣଙ୍କ ସୁରକ୍ଷା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ୍ ପାଲଟିଛି। ବର୍ତ୍ତମାନ ପ୍ରାୟ ସମୟ ଏକ ଦନ୍ତାହାତୀ ଗ୍ରାମ ଆଡ଼କୁ ମୁହାଁଉଛି।

ଅନ୍ୟପକ୍ଷରେ ହାତୀପଲ ଭୟରେ ବିଭିନ୍ନ ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ଦେଇ ଯାତାୟାତ କରିବାକୁ ଜନସାଧାରଣ ଭୟଭୀତ ହେଉଛନ୍ତି। ଫଳରେ ବନ ବିଭାଗ ପକ୍ଷରୁ ସଚେତନତା ଜାରି ରହିଛି। ସେହିପରି ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେଉଥିବାରୁ ଅସନ୍ତୋଷ ବି ସେହି ପରିମାଣରେ ବଢ଼ିବାରେ ଲାଗିଛି।

କିନ୍ତୁ ଏକମାସ ହେଲା ଚାଷୀ ଧାନ ଓ ପନିପରିବାକୁ ହାତୀପଲଙ୍କ ଦାଉରୁ ରକ୍ଷା କରିବାକୁ ସଂଘର୍ଷ କରୁଛନ୍ତି। ବର୍ତ୍ତମାନ ଧାନ ଅମଳ ସମୟ ପାଖେଇ ଆସୁଥିବାରୁ ତୁରନ୍ତ ହାତୀପଲଙ୍କୁ ଜଙ୍ଗଲ ଭିତକୁ ଘଉଡ଼ାଇବାକୁ ଓ କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀ ଦାବି କରିଛନ୍ତି। ଅନ୍ୟପଟେ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଥାଉକି, ଉତ୍ତର ଘୁମୁସର ବନଖଣ୍ଡରେ ହାତୀ-ମଣିଷ ଲଢ଼େଇ ଏକ ଚିନ୍ତାଜନକ ପ୍ରସଙ୍ଗ ଭାବେ ଉଭା ହୋଇଛି। ଫଳରେ ମଣିଷ ଠାରୁ ହାତୀର ସୁରକ୍ଷା ଏବଂ ହାତୀ ଠାରୁ ମଣିଷର ସୁରକ୍ଷା ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି। ଗତ ଦୁଇବର୍ଷ ମଧ୍ୟରେ ଏହି ବନଖଣ୍ଡରେ ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଚଳିତବର୍ଷ ଜୁଲାଇ ମାସରୁ ଆଜିସୁଦ୍ଧା ଶିକାରୀ ଆକ୍ରମଣରେ ଦୁଇଟି ଦନ୍ତାହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବଂ ଗୋଟିଏ ହାତୀ ଅସୁସ୍ଥତା କାରଣରୁ ମୃତ୍ୟୁବରଣ କରିଛି।