ଏମିତି ଚାଲିଛି ରାଉରକେଲା ପୂର୍ତ୍ତ ବିଭାଗ: ୧୧ ବର୍ଷରେ ବଦଳିଲେ ୧୧ ନିର୍ବାହୀ ଯନ୍ତ୍ରୀ

ରାଉରକେଲା : ସହରରେ ଏମିତି ଚାଲିଛି ସରକାରୀ ଅଫିସ୍‌। ପ୍ରଶାସନିକ ଅଧିକାରୀ ହୁଅନ୍ତୁ ଅବା ବରିଷ୍ଠ ଅଧିକାରୀ ରାଉରକେଲାର ଯୋଗଦେବାର ବର୍ଷଟିଏ ବି ରହୁନାହାନ୍ତି। ରାଜନୈତିକ ଚାପ ହେଉ ଅବା ଅନ୍ୟ କିଛି କାରଣରୁ ସେମାନେ ଅନ୍ୟତ୍ର ବଦଳି ହୋଇଯାଉଛନ୍ତି। ବଦଳି ପରେ ଗୋଟିଏ ଗୋଟିଏ ବିଭାଗରେ ମାସ ମାସ ଧରି ଅଧିକାରୀ ପଦବୀ ଖାଲିପଡୁଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ ଉପରେ ୩/୪ ବିଭାଗର ଦାୟିତ୍ବ ଲଦି ଦିଆଯାଉଛି।

ନିକଟରେ ଅତିରିକ୍ତ ଜିଲ୍ଲାପାଳ ‌ଅବୋଲି ସୁନୀଲ ନରୱଣେଙ୍କ ବଦଳି ପରେ ଆର୍‌ଏମ୍‌ସି କମିଶନର ଦିବ୍ୟଜ୍ୟୋତି ପରିଡାଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଶ୍ରୀ ପରିଡା କେବଳ ଆର୍‌ଏମ୍‌ସି କମିଶନର, ସ୍ମାର୍ଟ ସିଟି ସିଇଓ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ସଚିବ ଓ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବରେ ଅଛନ୍ତି। ସେମିତି ପାନପ‌ୋଷ ଉପଜିଲ୍ଲାପାଳଙ୍କୁ ମଧ୍ୟ ଏକାଧିକ ବିଭାଗର ଦାୟିତ୍ବ ଦିଆଯାଇଛି। ଅନୁରୂପ ସ୍ଥିତି ଉପୁଜିଛି ରାଉରକେଲା ପୂର୍ତ୍ତ ବିଭାଗରେ। ଗତ ୧୧ ବର୍ଷ ମଧ୍ୟରେ ୧୧ ନିର୍ବାହୀ ଯନ୍ତ୍ରୀ ଅନ୍ୟତ୍ର ବଦଳି ହୋଇଛି। ଅର୍ଥାତ୍‌ ଜଣେ ନିର୍ବାହୀ ଯନ୍ତ୍ରୀ ମାତ୍ରେ ବର୍ଷେରୁ ଦେଢ଼ ବର୍ଷ ରହିଛନ୍ତି। ଯାହାର ସିଧାସଳଖ ପ୍ରଭାବ ପଡିଛି ସହର ବିକାଶମୂଳକ କାମରେ। ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେଉ ନାହିଁ।

ରାଉରକେଲା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ନିର୍ବାହୀ ଯନ୍ତ୍ରୀ ୟୁ.ସି. ମିଶ୍ର ସର୍ବାଧିକ ୮ ବର୍ଷ ଦାୟିତ୍ବରେ ରହିଥିଲେ। ପରବର୍ତ୍ତୀ ସମୟରେ ଯୋଗଦେଇଥିବା ନିର୍ବା‌ହୀ ଯନ୍ତ୍ରୀ ସର୍ବାଧିକ ଦୁଇ ବର୍ଷ ଦାୟିତ୍ବରେ ରହିଛନ୍ତି। ଜି.ସି. ସାହୁ ଗତ ୨୦୧୦ ଅଗଷ୍ଟ ୨୭ରୁ ୨୦୧୧ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ଦାୟିତ୍ବରେ ରହିଥିଲେ। ପରେ ‌ଯୋଗଦେଇଥିଲେ ଏଚ୍‌.ଏସ୍. ମାଝି ଦାୟିତ୍ବରେ ରହିଥିଲେ। ୧୮ ଦିନ ପରେ ଅର୍ଥାତ୍‌ ୟୁ.ସି. ମିଶ୍ର ପୁଣି ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ୨୦୧୩ ଏପ୍ରିଲ ୧୬ ଅର୍ଥାତ୍‌ ଦେଢ଼ ବର୍ଷ ରହିବା ପରେ ଅନ୍ୟତ୍ର ବଦଳି ହୋଇଯାଇଥିଲେ। ଗତ ୨୦୧୩ ଏପ୍ରିଲ ୧୭ରେ ଯୋଗ ଦେଇଥିଲେ ଏସ୍‌.ପି. ସୁତାର। ମାତ୍ର ୧୦ ମାସ ପରେ ଅର୍ଥାତ୍‌ ୨୦୧୪ ଫେବ୍ରୁଆରୀ ୨୧ରେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଥିଲା। ତାଙ୍କ ବଦଳରେ ନୂଆକରି ଯୋଗଦେଇଥିଲେ ଡି.କେ. ତ୍ରିପାଠୀ। ପାଖାପାଖି ୩ ବର୍ଷ ରହିବା ପରେ ତାଙ୍କର ଗତ ୨୦୧୭ ଜୁଲାଇ ୫ରେ ଅନ୍ୟତ୍ର ବଦଳି ହୋଇଯାଇଥିଲା। ତାଙ୍କ ସ୍ଥାନରେ ଯୋଗଦେଇଥିଲେ ପି.କେ. ପତି। ତାଙ୍କର ଗତ ୨୦୧୯ ଏପ୍ରିଲ ୩୦ରେ ରାଉରକେଲାରୁ ଅନ୍ୟତ୍ର ବଦଳି ହୋଇଯାଇଥିଲା। ସେତେବେଳେ ପାନପ‌ୋଷ ଏସ୍‌ଡିଓ ବି.କେ. ମହାନ୍ତି ୨୦୧୯ ମେ ୧ରୁ ମାତ୍ର ଦୁଇ ମାସ ଅର୍ଥାତ୍‌ ୩ ମାସ ଦାୟିତ୍ବରେ ରହିଥିଲେ। ପରେ ଯୋଗ ଦେଇଥିଲେ ଏ.କେ. ଶତପଥୀ। ମାତ୍ର ୫ ମାସ ପରେ ଅର୍ଥାତ୍‌ ୨୦୧୯ ଡିସେମ୍ବର ୩୧ରେ ତାଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଥିଲା। ତାଙ୍କ ସ୍ଥାନରେ ଯୋ‌ଗଦେଇଥିଲେ ଏସ.କେ. କର। ସେ ସେ ୨୦୨୦ ଜାନୁଆରୀ ୧୭ ପର୍ଯ୍ୟନ୍ତ ଦାୟିତ୍ବରେ ରହିଥିଲେ। ପରେ ଆସିଥିଲେ ଦୁର୍ଗା ଚରଣ ବେହେରା। ସେ ମାତ୍ର ବର୍ଷେ ଅର୍ଥାତ୍‌ ୨୦୨୧ ଫେବ୍ରୁଆରୀ ୨୩ରେ ତାଙ୍କୁ ଅନ୍ୟତ୍ର ବଦଳି ହୋଇଥିଲା। ପୁଣି ଏସ୍‌‌.କେ. କର ଦାୟିତ୍ବ ରହିଥିଲେ। ଏବେ ନୂଆ କରି ନିର୍ବାହୀ ଯନ୍ତ୍ରୀ ଭାବେ ଯୋଗଦେଇଛନ୍ତି ଏମ୍. ମହାନନ୍ଦ।

ଉଲ୍ଲେଖଯୋଗ୍ୟ, ରାଉରକେଲା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଅଧୀନରେ ଚାରିଟି ଡିଭିଜନ୍‌ ରହିଛି। ଏଗୁଡ଼ିକ ହେଲା ବଣାଇ, ପାନପୋଷ, ରାଉରକେଲା ସିଟି ଓ ଉଦିତନଗର। ରାଉରକେଲା ପୂର୍ତ୍ତ ବିଭାଗକୁ ପ୍ରତି ବର୍ଷ ମରାମତି କାମ ପ୍ରାୟ ୨୫ରୁ ୩୦ କୋଟି ଟଙ୍କା ଆସୁଛି। ଅନ୍ୟାନ୍ୟ କାମ ବାବଦରେ ପୂର୍ତ୍ତବିଭାଗ ଜରିଆରେ ପାଖାପାଖି ୨୦୦ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ରାଜନୈତିକ ଚାପରେ ନିର୍ଦ୍ଦିଷ୍ଠ ଠିକାସଂସ୍ଥାକୁ ବାରମ୍ବାର କାମ ଦେବାକୁ ନେଇ ହେଉ ଅବା ବିନା ଟେଣ୍ଡରରେ କାମ ଭାଗବଣ୍ଟାକୁ କେନ୍ଦ୍ରକରି ଅନେକ ସମୟରେ ବିଭାଗୀୟ ଅଧିକାରୀ ବିବାଦରେ ପଡୁଛନ୍ତି। ଏସବୁ କାରଣରୁ ଅଧିକାଂଶ ନିର୍ବାହୀ ଯନ୍ତ୍ରୀଙ୍କ ବଦଳି ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର