ରାଜନଗର: ବାତ୍ୟା ‘ୟାସ୍‌’ ଭୟଙ୍କର ରୂପ ନେଇ ସ୍ଥଳଭାଗକୁ ମାଡ଼ି ଆସୁଛି। ବାତ୍ୟା ଭିତରକନିକାରୁ ବାଲିଆପାଳ ମଧ୍ୟରେ ମାଡ଼ ହେବ। ରାଜନଗର ବ୍ଲକର ତାଳଚୁଆ ପଞ୍ଚାୟତର ଟିକାୟତନଗରରେ ବାତ୍ୟା ସ୍ଥଳପଥ ଛୁଇଁବ ବୋଲି ଆକଳନ କରାଯାଉଛି।
ବାତ୍ୟା ଯୋଗୁଁ ରାଜନଗରରେ ବ୍ୟାପକ କ୍ଷୟକ୍ଷତି ହେବା ଆଶଙ୍କା କରାଯାଉଥିବାରୁ ଏହାର ମୁକାବିଲା ପାଇଁ ସରକାର ଅଂଟା ଭିଡିଛନ୍ତି। ଧାମରାରୁ ଟିକାୟତନଗର ମଧ୍ୟରେ ବାତ୍ୟା ମାଡ଼କଲେ ରାଜନଗର ବ୍ଲକର ୧୧ଟି ପଂଚାୟତ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ, କୃଷ୍ଣନଗର, ଖମାରସାହି, ଡାଙ୍ଗମାଳ, ଇଶ୍ବରପୁର, ଘଡିଆମାଳ ପ୍ରଭୃତି ପଂଚାୟତ ଅଧିକ ଭାବେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି।

Advertisment

ଗତକାଲିଠାରୁ ରାଜନଗରରେ ସ୍ଥାନାନ୍ତର ପକ୍ରିୟା ଆରମ୍ଭ ହୋଇଥିଲା। ଆଜି ରିପୋର୍ଟ ଲେଖା ହେବା ବେଳକୁ ୨୦ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରି ଆଶ୍ରୟସ୍ଥଳରେ ରଖାଯାଇଛି। କେତେକ ସ୍ଥାନରେ ଲୋକେ ଆସୁ ନଥିବାରୁ ପୁଲିସ ସହାୟତାରେ ଲୋକଙ୍କୁ ଆଶ୍ରୟସ୍ଥଳକୁ ଆଣିବାକୁ ପଡୁଛି। ରାଜନଗର ବ୍ଲକର ୪୬ଟି ବାତ୍ୟା ଆଶ୍ରୟସ୍ଥଳ ସମେତ ୧୦୦ଟି ଆଶ୍ରୟସ୍ଥଳରେ ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ପବନ ଓ ବର୍ଷା ସହିତ ଉଚ୍ଚ ଜୁଆର ଜନବସତିକୁ ମାଡ଼ି ଆସିବାର ସମ୍ଭାବନା ରହିଛି। ଏପରିକି ୩ମିଟର ଉଚ୍ଚର ଜୁଆର ଆସିବାର ସମ୍ଭାବନା ରହିଛି।
ସେଥିପାଇଁ ନଈ, ସମୁଦ୍ରକୂଳିଆ ଲୋକ ତଥା ଚାଳଘର, ଏପରିକି ଗୋଟିଏ ମହଲା କୋଠାଘରେ ଥିବା ଲୋକଙ୍କୁ ଆଶ୍ରୟସ୍ଥଳକୁ ଚାଲି ଆସିବାକୁ କିମ୍ବା ୨ ମହଲା ଘରେ ଆଶ୍ରୟ ନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ରାଜନଗର ବ୍ଲକ କାର୍ଯ୍ୟାଳୟରେ ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀ ଦାସ ରାଜନଗର ବ୍ଲକ ପ୍ରଶାସନ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସହିତ ବାତ୍ୟାର ମୁକାବିଲା ପାଇଁ କି କି ପଦକ୍ଷେପ ନିଆଯାଇଛି ସେ ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଦାସଙ୍କ ସହିତ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧୃବ ସାହୁ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ବରିଷ୍ଠ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମା ରାଜନଗରରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ୍‌ପି ସମ୍ପଦ ମଦକର, ଉପ-ଜିଲ୍ଲାପାଳ ନିରଂଜନ ବେହେରା, ଏପିଡି ମନ୍ଦରଧର ମହାଳିକ ପ୍ରମୁଖ ବିଭିନ୍ନ ଅଂଚଳ ପରିଦର୍ଶନ କରିବା ସହ ଲୋକଙ୍କୁ ଆଶ୍ରୟସ୍ଥଳକୁ ଆସିବାକୁ ବୁଝାଉଛନ୍ତି।

ଅନ୍ୟପକ୍ଷରେ, ଆଜି ସକାଳ ୮ଟାରେ ଥାନପତି ଜୁନୁସନଗର ଲୁଣା ଘେରିବନ୍ଧ ଡେଇଁ ପାଟ୍ଟଶାଳା ନଦୀର ଜୁଆର ପାଣି ଜନବସତିକୁ ପଶିଛି। ଈଶ୍ବରପୁର ପଂଚାୟତର ପୁରୁଷୋତ୍ତମପୁର ଗାଁରେ ଲୁଣା ଜୁଆର ପାଣି ମାଡ଼ି ଯାଇଥିଲା। ଜୁଆର ପାଣି ମାଡ଼ିଯିବା ପରେ ପୁରୁଷୋତ୍ତମପୁର ଲୋକଙ୍କୁ ଜୁନୁସନଗର ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। କେରେଡ଼ାଗଡ଼-ଅଳତାଙ୍ଗ ଲୁଣା ଘେରି ବନ୍ଧର କୋଇଲିପୁର ଓ ବଡକୋଟ ନିକଟରେ ଜୁଆର ପାଣି ବେଳେବେଳେ ବନ୍ଧ ଡେଇଁ ଭେଡ଼ା ମଧ୍ୟକୁ ପଶୁଛି। ସେଠାରେ ବନ୍ଧ ଭାଙ୍ଗିବାର ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ରାଜନଗର ବ୍ଲକର ୪୮ଟି ଗାଁ ସମୁଦ୍ର କୂଳରେ ଓ କୂଳଠାରୁ ଦୁଇ କିମି ମଧ୍ୟରେ ଅବସ୍ଥିତ। ଏପରି ସ୍ଥିତିରେ ଜୁଆର ଉଠିଲେ କିପରି ଲୋକଙ୍କୁ ସୁରକ୍ଷା ଦିଆଯିବ, ସେ ନେଇ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଲୁଣା ଜୁଆର ଉଠିବ କୁହାଯାଇ ସମୁଦ୍ରକୂଳିଆ ଲୋକମାନଙ୍କୁ ଆଶ୍ରୟସ୍ଥଳକୁ ଯିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

‌ସେହଭଳି, ଘୂର୍ଣ୍ଣିବଳୟରେ ୫୦ ଘର ଭାଙ୍ଗିଯାଇଥିବାବେଳେ କନିଷ୍ଠଯନ୍ତ୍ରୀଙ୍କ ସମେତ ୨ ଆହତ ବାତ୍ୟା ମାଡ଼ ନେବା ପୂର୍ବରୁ ଘୂର୍ଣ୍ଣିବଳୟ କ୍ଷୟକ୍ଷତି କରି ଟ୍ରେଲର ଦେଖାଇଛି। ଆଜି ଦିନ ପ୍ରାୟ ୨ଟାରେ ହଠାତ୍ ଘୂର୍ଣ୍ଣିବଳୟ ରାଜନଗର ବ୍ଲକର ଡାଙ୍ଗମାଳ ଓ ଖମାରସାହି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି କରିଛି। ଡାଙ୍ଗମାଳ ପଂଚାୟତର ବଡ଼ଆଡ଼ିଆ ଓ ତ୍ରିଲୋଚନପୁର ଗାଁର ପ୍ରାୟ ୫୦ ଚାଳଛପର ଓ ଆଜବେଷ୍ଟସ ଘରକୁ ଉଡାଇ ନେଇଛି। ଏପରିକି ଗୋଟିଏ ନଡିଆ ଗଛକୁ ଭାଙ୍ଗି ନେଇ ଗୋଟିଏ କିମି ଦୂରରେ ଫୋପାଡ଼ିଥିବା ଜଣାପଡ଼ିଛି। ଘୂର୍ଣ୍ଣିବଳୟ ଏତେ ଭୟଙ୍କର ଥିଲା ଯେ ୨୦ଟି ଘରକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି।

ବରାଡ଼ିଆ ଗାଁର ରମଣୀରଂଜନ ବେହେରା ପରିବାର ସଦସ୍ୟଙ୍କୁ ଧରି ଆଶ୍ରୟସ୍ଥଳକୁ ଯିବା ବାହାରୁଥିବା ବେଳେ ହଠାତ୍ ଘୂର୍ଣ୍ଣିବଳୟ ଆସିଥିଲା। ଏଥିରେ ତାଙ୍କର ଘର ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି। ଘର ଭିତରେ ତାଙ୍କର ୧୦ ବର୍ଷର ଝିଅ ରହିଯାଇଥିଲା। ମାଟି ତଳୁ ତାକୁ ଉଦ୍ଧାର କରାଯାଇ ଡାଙ୍ଗମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି ବରାଡ଼ିଆ ବିଦ୍ୟୁତ ବିଭାଗର ଗ୍ରିଡ୍‌ ପାଚେରିକୁ ଭାଙ୍ଗି ଦେଇଛି। ଗ୍ରିଡ୍‌ ଘରର ଝରକା ତାଡ଼ି ନେଇ ଘର ଭିତରେ ଫୋପାଡ଼ିଛି। ନିଜ କାର୍ଯ୍ୟାଳୟରେ ଥିବା ବିଦ୍ୟୁତବିଭାଗର କନିଷ୍ଠଯନ୍ତ୍ରୀ ବନଜ କୁମାର ରାଉତଙ୍କ ମୁଣ୍ତରେ ଝରକା ବାଡ଼େଇ ହୋଇଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାଙ୍ଗମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତ୍ରିଲୋଚନପୁରରୁ ଖୋଳା ମଧ୍ୟରେ ଶହେରୁ ଅଧିକ ଗଛ ଭାଙ୍ଗିଛି। ଖମାରସାହି ପଂଚାୟତର ରାଜେନ୍ଦ୍ରନାରାୟଣପୁର ଓ ଘଡିଆମାଳ ପଂଚାୟତର ନୂଆ ଗାଁରେ ଘୂର୍ଣ୍ଣିବଳୟ ବ୍ୟାପକ କ୍ଷୟକ୍ଷତି କରିଛି।