ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କ ଘର ସମେତ ଏଗାରଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ବାସଭବନ ସମେତ ଏଗାରଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। କଟକ ଭିଜିଲାନ୍ସ ଦ୍ବାରା ଏହି ଚଢ଼ାଉ ଆଜି ସକାଳୁ ଆରମ୍ଭ ହୋଇଥିବାର ଖବର ମିଳିଛି। ବାରପଦାରେ ସେ ଭଡ଼ା ଘରେ ରହୁଛନ୍ତି।

୧୦ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ୩୦ କର୍ମଚାରୀ ଏହି ଚଢ଼ାଉରେ ନିୟୋଜିତ ଅଛନ୍ତି।। ଚଢ଼ାଉ ଚାଲିଥିବା ସ୍ଥାନଗୁଡିକ ହେଲା ଭୁବନେଶ୍ୱର ପ୍ଲଟ ନମ୍ବର ୨୪୦୪/ ଇବି-୫୦୨ଉପରେ ଅବସ୍ଥିତ ଚାରିମହଲା କୋଠା, ଫ୍ଲାଟ ନମ୍ବର ୧୦୫, ବିଜୟ ଏନକ୍ଲେଭ, ଶୈଳଶ୍ରୀ ବିହାର, ଭୁବନେଶ୍ୱର,  ଭୁବନେଶ୍ୱରର କଳିଙ୍ଗ ବିହାରରେ ନିର୍ମାଣାଧୀନ କୋଠା, ବାଲେଶ୍ବରରରେ ଚାରି ମହଲା କୋଠା, ବାଲିଆପାଳରେ ପୈତୃକ ବାସଭବନ, ବାଲେଶ୍ବରର ସଦରରେ ଶଶୁର ଘର, ବାଲେଶ୍ବରର ଏଲଆଇସି କଲୋନି ନିକଟରେ ଥିବା ଜ୍ୱାଇଁଙ୍କ ଭଡ଼ା ଘର , ବାଲିଆପାଳରେ ଥିବା ଜ୍ୱାଇଁଙ୍କ ପୈତୃକ ଘର, ବାରିପଦାରେ ସନ୍ତୋଷ ଦାସଙ୍କ ଭଡ଼ା ଘର, ବାରପଦାରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ, ମୟୂରଭଞ୍ଜର ବାଇସିଙ୍ଗାରେପୁଅଙ୍କ ଭଡା ଘର।

କଟକ ଭିଜିଲାନ୍ସ ଡିଏସପି ପି .କେ ଦ୍ବିବେଦୀଙ୍କ ସହ ୫ଜଣ କର୍ମଚାରୀ ବାଲିଆପାଳରେ ଚଢ଼ାଉ କରୁଛନ୍ତି। ଏଠାରେ କେବଳ ସନ୍ତୋଷ ଦାସଙ୍କ ବାପା ରହନ୍ତି। ଏଠାରେ ଥିବା ତାଙ୍କ ଜମିବାଡ଼ି ଓ ସଂପତ୍ତିର ଆକଳନ କରୁଛନ୍ତି ଭିଜିଲାନ୍ସ ଟିମ୍।  ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଏଅଞ୍ଚଳରେ ଏହା ଏକ ବଡ଼ ଧରଣର ଭିଜିଲାନ୍ସ ଚଢ଼ାଉ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର