ଘରେ ବସି ଦରମା ନେଉଛନ୍ତି ୧୧ ସୁପରଭାଇଜର୍‌

ତଦନ୍ତ ନିର୍ଦ୍ଦେଶ ଦେଲେ ବିଡିଓ, ଯାତାୟାତ ଖର୍ଚ୍ଚ ମିଳୁନଥିବା ଆଳ

ଗୋପ : ଗୋପ ବ୍ଲକ୍‌‌ ଶିଶୁ ବିକାଶ କାର୍ଯ୍ୟାଳୟରେ ଅଧୀନରେ ଚାଲିଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡିକ ପାଳିରେ ଚାଲୁଥିବା ଖବର‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଗୋପ ବ୍ଲକ୍‌ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେଉଁ ପରିସ୍ଥିତିରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାଳିରେ ଚାଲୁଛି, ତାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅନ୍ୟପକ୍ଷରେ ଗୋପ ବ୍ଲକ୍‌ରେ ଥିବା ୨୮୭ ଟି ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଥିବା ବେଳେ ୨୮୩ କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ କେନ୍ଦ୍ର ଚଲାଉଥିବା ବେଳେ ୪ଟି କେନ୍ଦ୍ରରେ କର୍ମୀ ନାହାନ୍ତି। ସେଥିରୁ ୭ ଟି କେନ୍ଦ୍ରରେ ସହାୟିକା ମଧ୍ୟ ନାହାନ୍ତି। ମାତ୍ର ଏହି ସବୁ କେନ୍ଦ୍ରର ତଦାରଖ କରିବା ଦାୟିତ୍ବ ୧୨ ଜଣ ସୁପରଭାଇଜରଙ୍କ ଉପରେ ନ୍ୟସ୍ତ ଥିବା ବେଳେ ସେଥିମଧ୍ୟରୁ ୧୧ ଜଣ କୌଣସି କେନ୍ଦ୍ରକୁ ଯାଇନଥିବା ଜଣାପଡ଼ିଛି। ଯାତାୟାତ ବାବଦ ଖର୍ଚ୍ଚ ସରକାର ବନ୍ଦ କରି ଦେଇଥିବାରୁ ସୁପରଭାଇଜରମାନେ ଆଉ କେନ୍ଦ୍ରକୁ ତଦାରଖ ପାଇଁ ଯାଉନଥିବା ଜଣାପଡ଼ିଛି।

ଜଣେ ଜଣେ ସୁପରଭାଇଜର୍‌ଙ୍କ ଅଧୀନରେ ୨୦ରୁ ୨୫ଟି ଅଙ୍ଗନବାଡ଼ି କେନ୍ଦ୍ର ରହୁଥିବା ବେଳେ ବର୍ଷାଧିକ କାଳ ତଦାରଖ ଅଭାବରୁ ଶିଶୁମାନଙ୍କ ପ୍ରାକ୍ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଏହି କେନ୍ଦ୍ରଗୁଡ଼ିକ ଅନିୟମିତତାର ପେଣ୍ଠସ୍ଥଳୀ ପାଲଟିଛି। ସିଡିପିଓ ପଦବି ଖାଲିପଡ଼ିଥିବାରୁ ସେହି ଦାୟିତ୍ବରେ ଗୋପ ବିଡିଓ ରହଥିବା ବେଳେ ସୁପରଭାଇଜରମାନଙ୍କ ମଧ୍ୟରୁ ଜଣେ ସୁପରଭାଇଜର ସିଡିପିଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ଏହି ୧୧ ଜଣ ସୁପରଭାଇଜର ଏବେ ଘରେ ବସି ଦରମା ନେଉଥିବାର ଅଭିଯୋଗ ଅନେକ କେନ୍ଦ୍ରର କର୍ମୀମାନେ ନିଜ ନାମ ଗୋପନ ରଖି କହିଛନ୍ତି। ଏହି ସୁପରଭାଇଜରମାନେ ଘରେ ବସି ବିଭିନ୍ନ କେନ୍ଦ୍ରର କର୍ମୀମାନଙ୍କୁ ଫୋନ୍ ଜରିଆରେ ବୁଝିଦେଇ ନିଜ କାର୍ଯ୍ୟ ତୁଲାଉଥିବା ବେଳେ କର୍ମୀମାନେ ଯାହା ରିପୋର୍ଟ ଦେଉଛନ୍ତି ତାହାକୁ ଏହି ସୁପରଭାଇଜରମାନେ ବିନା ତଦାରଖରେ ଓ ବିନା ନୀରିକ୍ଷଣରେ ଉଚ୍ଚ ଅଧିକାରୀଙ୍କୁ ପଠାଇଦେଇ ନିଜ କାମ ସାରି ଦେଉଛନ୍ତି। ଫଳରେ ଗୋପ ବ୍ଲକ୍‌ରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଅବ୍ୟବସ୍ଥା ଦେଇ ଗତିକରୁଛନ୍ତି। ଏନେଇ ସୁପରଭାଇଜର ସୁଚିତ୍ରା ପ୍ରଧାନ କହିଛନ୍ତି ଯେ ସରକାର ଆମକୁ ୨୦୧୯ ଏପ୍ରିଲ ମାସଠାରୁ ଯାତାୟାତ ଖର୍ଚ୍ଚ ଦେଉନାହାନ୍ତି। ଆମେ କେମିତି ଯିବୁ। ତାଙ୍କ ଅଧିନରେ ଚାଲୁଥିବା ସମୁଦାୟ ୨୨ ଟି କେନ୍ଦ୍ରକୁ ବହୁଦିନ ହେବ ତଦାରଖରେ ଯାଇନାହାନ୍ତି ବୋଲି ନିଜ ପ୍ରତିକ୍ରିୟାରେ ସ୍ବୀକାର କରିଛନ୍ତି।

ସ୍ଥାୟୀ ସୁପରଭାଇଜରମାନେ ମାସକୁ ୫୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ଦରମା ଆକାରରେ ପାଉଥିବା ବେଳେ ଅସ୍ଥାୟୀ ଭାବେ କାର୍ଯ୍ୟରତ ୯ ଜଣ ସୁପରଭାଇଜର ମାସିକ ୩୬ହଜାର ୮୦୦ ଟଙ୍କାର ଦରମା ପାଉଛନ୍ତି। କିନ୍ତୁ ଯାତାୟାତ ଖର୍ଚ୍ଚର ଆଳରେ ସୁପରଭାଇଜର ମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ତଦାରଖ କରିବାକୁ ନ ଯାଇ କେନ୍ଦ୍ରର ଭାଗ୍ୟ କର୍ମୀ/ସହାୟକଙ୍କ ହାତରେ ଛାଡ଼ି ଦେଇଛନ୍ତି।ଏହି କେନ୍ଦ୍ର କେବଳ ଶିଶୁ ନୁହେଁ ଗର୍ଭବତୀ ମହିଳା, ପ୍ରସୂତିମାନଙ୍କୁ ସରକାରଙ୍କ ଦ୍ବାରା ପ୍ରଦତ୍ତ ସୁଷମ ଖାଦ୍ୟ ଦାୟିତ୍ବ ତୁଲାଉଛନ୍ତି। ଏତଦ୍‌ବ୍ୟତୀତ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ ଯୋଜନା ମଧ୍ୟ ସେମାନଙ୍କ ଦ୍ବାରା ରୂପାୟନ ହେଉଛଇ। କିନ୍ତୁ ତଦାରଖ ଅଭାବରୁ କର୍ମୀମାନେ କିଏ ଘରେ ରହି ସହାୟିକାଙ୍କ ମାଧ୍ୟମରେ କାମ ଚଲାଉଛନ୍ତି ତ କିଏ ସପ୍ତାହକେ ଦୁଇ/ତିନି ଦିନ କେନ୍ଦ୍ର ଖୋଲୁଛନ୍ତି। ଏ ନେଇ ସିଡିପିଓ ଦାୟିତ୍ବରେ ଥିବା ଗୋପ ବିଡିଓ ଦୀପ୍ତିରାଣୀ ଦାସ କହିଛନ୍ତି ଯେ ମୁଁ କେବଳ ଡିଡିଓ ଦାୟିତ୍ବରେ ରହିଛି। କିନ୍ତୁ କେନ୍ଦ୍ରର କର୍ମୀଙ୍କଠାରୁ ଆରମ୍ଭ କରି ସୁପରଭାଇଜର ଦାୟିତ୍ବରେ ଥିମା ଅଧିକାରୀଙ୍କ କାର୍ଯ୍ୟକଳାପ ବେଶ୍‌ ଚିନ୍ତାଜନକ। ତେଣୁ ଏ ସମସ୍ତ ଘଟଣାର ତଦନ୍ତପାଇଁ ନିର୍ଦ୍ଦେଶ ଦିଆଯାଇଛଇ। ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର