ଭୁବନେଶ୍ବର: ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ୍‌ କାର୍ଡ। ୬ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ରାସନ୍‌ କାର୍ଡ ମିଳିବ। ପାରମ୍ପରିକ କାର୍ଡ ବଦଳରେ ଏଥର ରଙ୍ଗିନ କାର୍ଡ ପାଇବେ ହିତାଧିକାରୀ। ଚଳିତମାସ ୨୨ତାରିଖ ସୁଦ୍ଧା ନୂଆ ରାସନ୍‌ କାର୍ଡ ପ୍ରସ୍ତୁତ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଢେଙ୍କାନାଳରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାସନ୍‌ କାର୍ଡ ବଣ୍ଟନର ଶୁଭାରମ୍ଭ କରିପାରନ୍ତି।

Advertisment

ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବ ସରକାର ସମୟରେ ଯୋଡ଼ି ‌ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ଲାଗି ରାଜ୍ୟ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି। ଇ-କେୱାଇସି ଜରିଆରେ କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ ଅନେକ ଅଯୋଗ୍ୟ ଓ ଭୂତ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ନୂଆ ଯୋଗ୍ୟ ହିତାଧିକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ପରେ ରାସନ୍‌ କାର୍ଡ ପ୍ରଦାନ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଲି ହୋଇଥିବା ସ୍ଥାନରେ ହିଁ ନୂଆ କାର୍ଡ ଦିଆଯିବ। ୨୦ତାରିଖ ସୁଦ୍ଧା ରଙ୍ଗିନ ରାସନ୍‌ କାର୍ଡର ପିଡିଏଫ୍‌ ପ୍ରସ୍ତୁତ କରି ଏହାକୁ ଉଭୟ ପକ୍ଷରୁ ଲାମିନେଟ୍ କରିବେ। ବ୍ଲକ୍ ଓ ପୌରାଞ୍ଚଳରେ କାର୍ଯ୍ୟରତ ଅଧିକାରୀ ଏହି ନୂଆ କାର୍ଡ ବାଣ୍ଟିବେ। କେବେ କାର୍ଡ ବଣ୍ଟାଯିବ ସେ ସଂପର୍କରେ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଜଣାଇ ଦିଆଯିବ। ନୂଆ ରାସନ୍‌ କାର୍ଡ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଅର୍ଥ ଜିଲ୍ଲାମାନଙ୍କୁ ପ୍ରଦାନ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। 

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପୂର୍ବ ସରକାର ସମୟରେ ଯେଉଁମାନେ ରାସନ୍‌ କାର୍ଡ ପାଇଁ ଆବେଦନ କରିଥିଲେ ଓ କାର୍ଡ ପାଇ ନ ଥିଲେ ସେମାନଙ୍କ ଯାଞ୍ଚ ଶେଷ ହୋଇଛି। ପ୍ରାୟ ୬ଲକ୍ଷ ନୂଆ ହିତାଧିକାରୀଙ୍କୁ କାର୍ଡ ଦିଆଯିବ। ଯେଉଁ ଗରିବ ଲୋକମାନେ କାର୍ଡ ପାଇନାହାନ୍ତି ସେମାନେ ରାସନ୍‌ କାର୍ଡ ପାଇଁ ଆବେଦନ କରନ୍ତୁ। ପୋର୍ଟାଲ ଏବେ ବି ଖୋଲା ରହିଛି। ଇ-କେୱାଇସି ଯୋଗୁଁ ବହୁ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଛନ୍ତି, ଆଗକୁ ମଧ୍ୟ ପଡ଼ିବେ। ବର୍ତ୍ତମାନସୁଦ୍ଧା ୨୫ଲକ୍ଷ ହିତାଧିକାରୀ ନିଜର ଇ‌-କେୱାଇସି କରିନାହାନ୍ତି। ତେବେ ରଙ୍ଗିନ ରାସନ୍‌ କାର୍ଡକୁ ନେଇ ଶ୍ରୀ ପାତ୍ର କହିଛନ୍ତି ଯେ ରାଜ୍ୟରେ ଏବେ ନୂଆ ସରକାର, ନୂଆ ଢାଞ୍ଚା ଓ ଷ୍ଟାଇଲ ହେଲେ ଅସୁବିଧା କେଉଁଠି?