ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ତିନି ଖଣ୍ଡ ଗ୍ରାମର ଯୋଗ୍ୟ ହିତାଧିକାରୀ ୮ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ହିତାଧିକାରୀମାନେ ଘର ପାଇବା ପାଇଁ ନାମ ପଞ୍ଜୀକରଣ କରିଥିଲେ ହେଁ ନନ୍ଦାହାଣ୍ଡି ବ୍ଲକର ମେଣ୍ଟ୍ରି ପଞ୍ଚାୟତର ଏସଇସିସି ତାଲିକାରେ ଏମାନଙ୍କ ନାମ ରହିଛି। ଏଥିଯୋଗୁଁ କାହାରିକୁ ଘର ମିଳିପାରୁନି। ହିତାଧିକାରୀମାନେ ପଞ୍ଚାୟତ ଓ ବ୍ଲକ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିବା ସହିତ ବହୁବାର ଗଣାମଧ୍ୟମରେ ପ୍ରକାଶ ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଅନ୍ୟପଟେ ପ୍ରଶାସନିକ ଅଧିକାରୀଙ୍କ ଭୁଲ ଯୋଗୁଁ ଆମେ ସରକାରୀ ଯୋଜନାରେ ଘର ପାଇବାରୁ ବଞ୍ଚିତ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।
ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତର ରାଜସ୍ବ ଗ୍ରାମ ଖଣ୍ଡିଆଗୁଡ଼ାର ଦୁଇଟି ପଡ଼ା ଗ୍ରାମ ହେଉଛି କେନ୍ଦୁଗୁଡ଼ା ଓ ମହୁଲକୋଟ। ମହୁଲକୋଟରେ ବର୍ତ୍ତମାନ ୧୧୬ଟି ପରିବାର ରହୁଛନ୍ତି। ଏଠାକାର ଅଧିବାସୀ ପୂର୍ବରୁ ଅଳଗନି, ଗୌଡ଼ କୁରୁମୁଲି, ପରଜା କୁରୁମୁଲି, ମୁଣ୍ଡାଗୁଡ଼ା ଭଳି ଗ୍ରାମରେ ରହୁଥିଲେ। ଇନ୍ଦ୍ରାବତୀ ନଦୀବନ୍ଧ ବହୁମୁଖୀ ଯୋଜନା ଦ୍ୱାରା ୩୦ ବର୍ଷ ତଳେ ବିସ୍ଥାପିତ ହେବା ପରେ ଏହି ସମସ୍ତ ଗ୍ରାମର ଲୋକେ ମହୁଲକୋଟ ଗ୍ରାମରେ ବସତି ସ୍ଥାପନ କରି ରହୁଛନ୍ତି। ସମସ୍ତେ କୁଲି କରି ଜୀବିକା ନିର୍ବାହ କରୁଥିଲେ ହେଁ ୮ବର୍ଷ ହେଲା କାହାରିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିପାରିନି। ବର୍ତ୍ତମାନ ତେନ୍ତୁଳିଖୁଣ୍ଟି ବ୍ଲକର ୩୪୫୬ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇଁ ତାଲିକାଭୁକ୍ତ ହୋଇଥିବା ବେଳେ ମହୁଲକୋଟର ହିତାଧିକାରୀ ଏଥିରୁ ବାଦ ପଡ଼ିଛନ୍ତି। ଏହି ଗ୍ରାମର ହିତାଧିକାରୀଙ୍କ ତାଲିକା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଞ୍ଚାୟତ ଅନ୍ତର୍ଗତ ଖଡିଆଗୁଡା ଗ୍ରାମର ଏଇସିସି ତାଲିକାଭୁକ୍ତ ହୋଇଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିବା ତେନ୍ତୁଳିଖୁଣ୍ଟି ପିଇଓ ପ୍ରତାପ ରୁଦ୍ର ଷଡ଼ଙ୍ଗୀ କହିଛନ୍ତି।
ଏଭଳି ତ୍ରୁଟିର ସମାଧାନ କରି ଆବାସ ଯୋଜନାରେ ସାମିଲ କରିବା ନିମନ୍ତେ ବହୁବାର ଜନପ୍ରତିନିଧି ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ ନ କରିବା ପରିତାପର ବିଷୟ ବୋଲି ହିତାଧିକାରୀମାନେ କହିଛନ୍ତି। ଏପରିକି ଏଭଳି ତ୍ରୁଟି ଯୋଗୁଁ ଉପରୋକ୍ତ ୩ଖଣ୍ଡ ଗ୍ରାମର ହିତାଧିକାରୀ ୨୦୧୫-୧୬ ଆର୍ଥିକ ବର୍ଷଠାରୁ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଖଣ୍ଡିଆଗୁଡ଼ା ରାଜସ୍ବ ଗ୍ରାମରେ ୬୫ଟି ଏବଂ ଏହାର ପଡ଼ା ଗାଁ କେନ୍ଦୁଗୁଡ଼ାରେ ୧୬୦ଟି ପରିବାର ବସବାସ କରୁଥିବା ବେଳେ ଯୋଗ୍ୟ ହିତାଧିକାରୀ ୮ବର୍ଷ ହେଲା ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ରହିଛନ୍ତି। ପ୍ରଶାସନ ପକ୍ଷରୁ ହୋଇଥିବା ତ୍ରୁଟିର ସମାଧାନ କରାଗଲେ ଗରିବ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ଉପକୃତ ହୋଇପାରିଥାନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏନେଇ ତେନ୍ତୁଳିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ଏହି ୩ଖଣ୍ଡ ଗ୍ରାମର ଏସ୍ଇସିସି ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ସାମିଲ ହେବାର ସମ୍ଭାବନା ରହିଥିବା କହିଛନ୍ତି।