ବୁଗୁଡ଼ା: ‘ଫନି’ ବାତ୍ୟା ପରେ କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବାସ ଯୋଗାଇବାକୁ ୩ ବର୍ଷ ତଳେ ପ୍ରଶାସନ ପକ୍ଷରୁ ସର୍ଭେ ସହ ହିତାଧିକାରୀ ଚୟନ କରାଯାଇଥିଲା। ଅଧିକାରୀମାନେ ଘରକୁ ଘର ବୁଲି ଜିଓ ଡ୍ୟାଗ୍ କରିବା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଏହି ତାଲିକାକୁ ବି ସଂପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଟଙ୍ଗାଯାଇଛି। ତେବେ, ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ୍ରେ ଏହି ତାଲିକା ପ୍ରସ୍ତୁତିରେ ବ୍ୟାପକ ବେନିୟମ ଓ ତ୍ରୁଟି ହୋଇଥିବା ନେଇ ଅଭିଯୋଗ ଆସିଛି।
ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍ରେ ରହିଛି ସମୁଦାୟ ୨୧ଟି ପଞ୍ଚାୟତ। ଏହି ପଞ୍ଚାୟତର ମୋଟ୍ ୨ହଜାର ୬୪ ଜଣ ହିତାଧିକାରୀଙ୍କ ନାମ ତାଲିକାରେ ରହିଛି। ତନ୍ମଧ୍ୟରୁ ମାଣିତରା ପଞ୍ଚାୟତରୁ ସର୍ବାଧିକ ୧୯୩ ଜଣ ଓ କରଡ଼ାବାଡ଼ି ପଞ୍ଚାୟତରୁ ସର୍ବନିମ୍ନ ୧୨ ଜଣ ହିତାଧିକାରୀଙ୍କ ନାମ ତାଲିକାଭୁକ୍ତ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ନୂଆ ତାଲିକାରେ ୯୦ ପ୍ରତିଶତ ହିତାଧିକାରୀଙ୍କ ପାଖରେ ବାଇକ୍, ସ୍କୁଟି ଓ ଫ୍ରିଜ୍ ରହିଛି। ଏ ନେଇ କେବଳ ଜନସାଧାରଣ ନୁହନ୍ତି, ଜନପ୍ରତିନିଧି ମଧ୍ୟ ଅଭିଯୋଗ ଉଠାଇଛନ୍ତି। ଏହିଭଳି ଅଭିଯୋଗ ପରେ ବିଗୁଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ତ୍ବରିତ୍ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ୨୪ ତାରିଖ ସୁଦ୍ଧା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହିତ ନିର୍ଦ୍ଧାରିତ ଫର୍ମ ପୂରଣ କରି ବ୍ଲକ୍ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ପକାଇବା ପାଇଁ କୁହାଯାଇଛି। ଅଭିଯୋଗକାରୀଙ୍କ ନାମ ଗୋପନ ରଖାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ହୋଇଛି।
ଅନ୍ୟପକ୍ଷରେ, ବହୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଭଗବାନପୁର ପଞ୍ଚାୟତର ନୂଆପାଣିକେଶ୍ୱର ଓ ମହୁଲପଲ୍ଲୀ ଗ୍ରାମର କୌଣସି ହିତାଧିକାରୀଙ୍କ ନାମ ଏହି ତାଲିକାରେ ନାହିଁ। ଭୁଲ୍ ତଥ୍ୟ ସଂଗ୍ରହ ଓ ଉପରଠାଉରିଆ ସର୍ଭେ ଯୋଗୁଁ ଏଭଳି ଅବ୍ୟବସ୍ଥା ହୋଇଛି। ବହୁ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଥିବା ବେଳେ ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି। କେତେଜଣ ଜନପ୍ରତିନିଧି ମଧ୍ୟ ଏହି ଅଭିଯୋଗ କରିଥିବା ଦେଖିବାକୁ ମିଳିଛି।