ଦଶରଥପୁର : ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବ୍ୟାପକ ହେରଫେର କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଶତାଧିକ ଗରିବ ଲୋକ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତ କଣ୍ଟିବାଙ୍କ ଗ୍ରାମର ମନ୍ମଥ ପରିଡ଼ା ଜଣେ ଅତି ଗରିବ ଶ୍ରେଣୀର ବ୍ୟକ୍ତି। ପରିବାର କହିଲେ ତାଙ୍କ ପତ୍ନୀ ସଂଜୁଲତା ପରିଡ଼ା, ପୁଅ ସୋମ ପ୍ରକାଶ ପରିଡ଼ା ଓ ଝିଅ ଲିପ୍ସାରାଣୀ ପରିଡ଼ା। ତାଙ୍କ ପୁଅ ଓ ଝିଅ ସମ୍ପୂର୍ଣ୍ଣ ଭିନ୍ନକ୍ଷମ। ଭିନ୍ନକ୍ଷମ ଭତ୍ତା ୭୦୦ ଟଙ୍କା ସ୍ଥାନରେ ୫୦୦ ଟଙ୍କା ମିଳୁଛି। ରାସନ କାର୍ଡ ଥିଲେ ମଧ୍ୟ ଭିନ୍ନକ୍ଷମ ପୁଅଝିଅଙ୍କ ନାଁରେ ସାମଗ୍ରୀ ମିଳୁନି। ସେହିପରି ବାତ୍ୟାରେ ଘର ଭାଙ୍ଗିବା ସହ ବନ୍ୟାରେ ଘର ଭିତରେ ଆଣ୍ଠୁଏ ଲେଖାଏଁ ପାଣି ଜମିଥିଲା।

Advertisment

ଏଥିନେଇ ସେ ସହାୟତା ପାଇଁ ଆର୍‌ଆଇଙ୍କଠାରୁ ସରପଞ୍ଚଙ୍କ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ ପାଲ ଖଣ୍ଡେ କିମ୍ବା ଘର ଭଙ୍ଗା ସହାୟତା ମିଳିପାରିନଥିଲା। ୨ ପୁଅଝିଅଙ୍କ ମାସିକ ଔଷଧ ଖର୍ଚ୍ଚ ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ‌ ହେଉନାହିଁ। ଚିକିତ୍ସା କରିବା ତ ଦୂରର କଥା ବର୍ଷରେ ଥରେ ଘର ଛପର କରିବା ମଧ୍ୟ କଷ୍ଟସାଧ୍ୟ ହେଉଛି। ଛପର ଫୁଟିଗଲାଣି। ଏଭଳି ପରିସ୍ଥିତିରେ ଗତି କରୁଥିବା ମନ୍ମଥଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହେବା ସହ ସ୍ବାସ୍ଥ୍ୟସେବା ମଧ୍ୟ ପାଉନାହାନ୍ତି। ତୁରନ୍ତ ଏହି ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।