ଭୁବନେଶ୍ବର: ଲୋକପ୍ରିୟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବା କାରଣରୁ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ସେପ୍ଟେମ୍ବର ୪ ତାରିଖରୁ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ଶ୍ରୀ ମଜୁମଦାର ଏପର୍ଯ୍ୟନ୍ତ କୋମାରୁ ବାହାରି ନାହାନ୍ତି। ଗଭୀର ସ୍ନାୟୁଗତ ରୋଗ ସହିତ ନିମୋନିଆ, କିଡ୍‌ନି ଓ ଯକୃତ ରୋଗରେ ଆକ୍ରାନ୍ତ ଶ୍ରୀ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ତାଙ୍କୁ ସେପ୍ଟେମ୍ବର ୨୫ ତାରିଖରେ ଆଇସିୟୁରୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। 

Advertisment

ବର୍ତ୍ତମାନ କିଡ୍‌ନି ଓ ଯକୃତର ଅବସ୍ଥ‌ା ପୂର୍ବାପେକ୍ଷା ସୁସ୍ଥ ଥିଲେ ମଧ୍ୟ ସ୍ନାୟୁଗତ ସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ। ସ୍ନାୟୁଗତ ସ୍ଥିତିରେ କ୍ରମାଗତ ଭାବେ ଅବନତି ଘଟିବା ଓ ବିଭିନ୍ନ ଅଙ୍ଗରେ ନୂଆ ସଂକ୍ରମଣ ହୋଇଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ତାଙ୍କୁ ପୁନର୍ବାର ଆଇସିୟୁରେ ଭର୍ତ୍ତି କରାଯିବା ସହିତ ଭେଣ୍ଟିଲେଟର୍‌ ସପୋର୍ଟରେ ରଖାଯାଇଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌କୁ ଶ୍ରୀ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍‌ଣ ନଜର ରଖିବା ଲାଗି ଏମ୍‌ସ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।