ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାରେ ମାଓବାଦୀମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ଛତିଶଗଡ଼ ସରକାର ମାଓବାଦୀ ଦମନ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ମାଓବାଦୀମାନେ ବର୍ତ୍ତମାନ ସୁନାବେଡ଼ା ଅଭୟାରଣ୍ୟରେ ଆଡ୍ଡା ଜମାଇଥିବା ଚର୍ଚ୍ଚା ହେଉଛି। ଗତ ୧ ତାରିଖରେ ସୁନାବେଡ଼ା ଅଭୟାରଣ୍ୟର ପାଟଦରା ସଂରକ୍ଷିତ ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପକୁ ଯବାନମାନେ ଠାବ କରିଥିଲେ। ଏହି କ୍ୟାମ୍ପରୁ ତେଲୁଗୁ ଭାଷାରେ ଲେଖାଥିବା ବହି ଓ କାଗଜପତ୍ର ମିଳିଥିଲା। ତେଣୁ ବର୍ତ୍ତମାନ ଉଭୟ ରାଜ୍ୟର ସୀମାରେ ତେଲୁଗୁ ଓ ଛତିଶଗଡ଼ ମାଓବାଦୀମାନେ ସକ୍ରିୟ ଥିବା ନୂଆପଡ଼ା ଏସ୍ପି ଜି.ଆର୍. ରାଘବେନ୍ଦ୍ର କହିଛନ୍ତି।
ମାଓବାଦୀମାନେ ସୀମାନ୍ତ ଅଞ୍ଚଳର ଗୁପ୍ତ ସ୍ଥାନରେ ରହି ବିଭିନ୍ନ ଘାତକ ମାରଣାସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ତିଆରି କରୁଥିବା ଜଣାଯାଇଛି। ମାଓବାଦୀ କ୍ୟାମ୍ପରୁ ଜବତ ହୋଇଥିବା ୟୁବିଜିଏଲ୍ (ଅଣ୍ଡର ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍)ରୁ ଏହା ସ୍ପଷ୍ଟ ହୋଇଛି। ଏହାସହିତ ଏହି ୟୁବିଜିଏଲ୍ କିପରି ତିଆରି କରାଯାଏ ତାର ନକ୍ସା (କାଗଜରେ କଟାଯାଇଥିବା ଚିତ୍ର) ମଧ୍ୟ ପୁଲିସ ହାତରେ ଲାଗିଛି। ବର୍ତ୍ତମାନ ଧମତରୀ-ଗରିଆବନ୍ଧ-ନୂଆପଡ଼ା ଭିଡିଜନର ନେତୃତ୍ବ ଜଣେ ତେଲୁଗୁ ମାଓବାଦୀ ନେଉଥିବା ଚର୍ଚ୍ଚା ହେଉଛି। ମାଓବାଦୀମାନେ ସୁନାବେଡ଼ା ଅଭୟାରଣ୍ୟରେ ରହି ଉଭୟ ଓଡ଼ିଶା-ଛତିଶଗଡ଼ ରାଜ୍ୟରେ ଏକ ବଡ଼ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଅନୁମାନ କରାଯାଉଛି। ପ୍ରକାଶ ଯେ, ୨୧ ଜୁନ୍ ୨୦୨୨ରେ ବୋଡ଼େନ ଥାନା ପାଟଦରା ରାସ୍ତାରେ ମାଓବାଦୀମାନେ ୩ ଜଣ ସିଆର୍ପିଏଫ୍ ଯବାନଙ୍କୁ ୟୁବିଜିଏଲ୍ ଦ୍ବାରା ଆକ୍ରମଣ କରିଥିଲେ।
ସାପ୍ତାହିକ ହାଟରେ ନକ୍ସଲ ଆକ୍ରମଣ, ୨ ଡିଆର୍ଜି ଯବାନ ଗୁରୁତର
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଜାଗରଗୁଣ୍ଡା ସାପ୍ତାହିକ ହାଟରେ ଯବାନଙ୍କ ଉପରେ ନକ୍ସଲ ଆକ୍ରମଣ କରିଛନ୍ତି। ଏଥିରେ ୨ଜଣ ଡିଆର୍ଜି ଯବାନ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣ ପରେ ଯବାନଙ୍କ ଠାରୁ ଦୁଇଟି ବନ୍ଧୁକ ନକ୍ସଲ ଛଡ଼ାଇ ନେଇଥିବା ସୂଚନା ମିଳିଛି। ଜାଗରଗୁଣ୍ଡା ଦୁର୍ଗମ ଅଞ୍ଚଳରେ ରହିଥିବା ବେଳେ ଏଠାକାର ସାପ୍ତାହିକ ହାଟ ଉପରେ ଆଖପାଖ ଅଞ୍ଚଳର ଲୋକ ନିର୍ଭର କରନ୍ତି। ଏପରିକି ନକ୍ସଲ ମଧ୍ୟ ଦୈନନ୍ଦିନ ସାମଗ୍ରୀ ପାଇଁ ଏହି ହାଟକୁ ଆସିଥାନ୍ତି। ଆଜି ରବିବାର ସାପ୍ତାହିକ ହାଟ ବସିଥିବା ବେଳେ ଡିଆର୍ଜି ଯବାନ ସୁରକ୍ଷା ଯୋଗାଉଥିଲେ। ସାଦା ପୋଷାକରେ ଆସିଥିବା ନକ୍ସଲ ହଠାତ୍ ଆକ୍ରମଣ କରିଥିଲେ। ସୁରକ୍ଷା କର୍ମୀ କିଛି ବୁଝିବା ପୂର୍ବରୁ ବନ୍ଧୁକ ଛଡ଼ାଇ ନକ୍ସଲ ଚାଲିଯାଇଥିଲେ। ଆହତ ଦୁଇ ଡିଆର୍ଜି ଯବାନ ହେଲେ କରତମ ଦେବା ଏବଂ ସୋଡ଼ି କନ୍ନା। ଉଭୟଙ୍କୁ ପ୍ରଥମେ ସୁକମା ପରେ ଏୟାର ଲିଫ୍ଟ କରି ରାୟପୁର ସ୍ଥାନାନ୍ତର କରାଯାଇଥିଲା। ନକ୍ସଲଙ୍କ ଏଭଳି ହମ୍ଲା ପରେ ସୁରକ୍ଷାକର୍ମୀ ତତ୍ପରତା ପ୍ରକାଶ କରିଛନ୍ତି। ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍କୁ ଜୋର୍ଦାର କରାଯାଇଛି। ଆହତ ଦୁଇ ଯବାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ଏସ୍ପି କିରଣ ଚୌହାନ ସୂଚନା ଦେଇଛନ୍ତି।