ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇମାମୀ-କିସ୍‌ ଆବାସିକ ବିଦ୍ୟାଳୟ ଲୋକାର୍ପିତ: ନିଃଶୁଳ୍କ ଶିକ୍ଷାଲାଭ କରିବେ ୧୨ଶହ ଗରିବ ଛାତ୍ରଛାତ୍ରୀ

ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଆମ ଉଦ୍ୟମକୁ ଏହା ଆହୁରି ଶକ୍ତିଶାଳୀ କରିବ: ମୁଖ୍ୟମନ୍ତ୍ରୀ

 

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ରେମୁଣାସ୍ଥିତ ଆର୍ମଳା‌ଠାରେ ଇମାମୀ ଓ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍‌ସ(କିସ୍‌) ପକ୍ଷରୁ ନିର୍ମିତ ଏକ ଆବାସିକ ବିଦ୍ୟାଳୟକୁ ସୋମବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୨ ଏକର ଜମିରେ ନିର୍ମିତ ଏହି ସ୍କୁଲ ପାଇଁ ୫୦ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ କିସ୍‌ ପକ୍ଷରୁ ୩୬ କୋଟି ଏବଂ ଇମାମୀ ପକ୍ଷରୁ ୧୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଗୁଣାତ୍ମକ ଶିକ୍ଷା ପାଇଁ ଏହିଭଳି ବିଦ୍ୟାଳୟ ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବ। ଇମାମୀ ଓ କିସ୍‌ର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇ କିସ୍‌ ପକ୍ଷରୁ ଭୁବନେଶ୍ବର, ମୟୂରଭଂଜ ଓ ବଲାଙ୍ଗୀର ଭଳି ଅନେକ ସ୍ଥାନରେ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ବେଳେ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଏଭଳି ବିଦ୍ୟାଳୟ ଖୋଲାଯିବାର ଲକ୍ଷ୍ୟ ରହିଥିବା ଖୁସିର କଥା ବୋଲି କହିଥିଲେ। ଶିକ୍ଷା ହିଁ ରୂପାନ୍ତରର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ପରିବର୍ତ୍ତନ ଆଣିଥାଏ। ଏଥିରେ ୧୨ଶହ ଗରିବ ପିଲା ମାଗଣାରେ ପାଠ ପଢ଼ିବାର ବ୍ୟବସ୍ଥା ଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ରାଜ୍ୟ ସରକାର ଶିକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ବ ଦେଇଛନ୍ତି। ୫-ଟି ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣକୁ ପ୍ରାଥମିକତା ଦିଆଯାଇଛି। ସାରାରାଜ୍ୟରେ ବର୍ତ୍ତମାନ ପାଖାପାଖି ୪ହଜାର ରୂପାନ୍ତରିତ ହାଇସ୍କୁଲ ପ୍ରତିଷ୍ଠା ହୋଇସାରିଛି ବୋଲି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହିସବୁ ସ୍କୁଲରେ ହୋଇଥିବା ସୁବିଧା ଓ ଭିତ୍ତିଭୂମି ପଲାଙ୍କ ମଧ୍ୟରେ ପାଠ ପ୍ରତି ବହୁତ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଛି। ପିଲାଙ୍କ ମନରେ ଭବିଷ୍ୟତ ପାଇଁ ଦୃଢ଼ ସଂକଳ୍ପ ସୃଷ୍ଟି କରିଥିବା ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ବାଲେଶ୍ବରରେ ଇମାମୀ ଓ କିସ୍‌ର ଉଦ୍ୟମରେ ନବନିର୍ମିତ ସ୍କୁଲ ପାଇଁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖି ଏହାଦ୍ବାରା ବାଲେଶ୍ବରରେ ଗରିବ ଜନଜାତି ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ହେବ ବୋଲି ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କିଟ୍‌ ଓ କିସ୍‌ର ସଂସ୍ଥାପକ ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣ ଦେଇ ଦୁର୍ବଳ ଶ୍ରେଣୀର ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍‌ର ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଶେଷରେ ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର