ଇମାମୀ କାଗଜକଳରେ ଉତ୍ପାଦନ ବନ୍ଦ

ବାଲେଶ୍ବର: କରୋନା ମୁକାବିଲା ପାଇଁ ସାରାଦେଶ ଏବେ ଲକ୍‌ଡାଉନ୍। ଏହିଭଳି ସ୍ଥିତିରେ ଇମାମୀ କାଗଜକଳର ଉତ୍ପାଦନ ଠପ୍‌ ହୋଇଯାଇଛି। ଫଳରେ, କାଗଜ (ନିଉଜ୍ ପ୍ରିଣ୍ଟ)ର ଘୋର ଅଭାବ ଦେଖାଦେଇଛି। ଏହାର ପ୍ରଭାବ ଖବରକାଗଜ ମୁଦ୍ରଣ ସଂସ୍ଥା ଉପରେ ପଡ଼ିଛି। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ବାଲଗୋପାଲପୁରରେ ରହିଛି ଇମାମୀ କାଗଜକଳ। ବାର୍ଷିକ ପ୍ରାୟ ୩ ଲକ୍ଷ ଟନ୍ ଉତ୍ପାଦନ କ୍ଷମତା ରଖିଥିବା ଏହି କାଗଜକଳରୁ ଦିନକୁ ୮ ଶହ ଟନ୍ କାଗଜ (ନିଉଜ୍ ପ୍ରିଣ୍ଟ) ଓ ପ୍ୟାକେଜିଂ ବୋର୍ଡ ଉତ୍ପାଦିତ ହୋଇଥାଏ। ସମଗ୍ର ଦେଶରେ ଇମାମୀ କାଗଜର ସ୍ବତନ୍ତ୍ର ଚାହିଦା ରହିଛି। ଇଂରାଜୀ ଖବରକାଗଜଠୁ ଆରମ୍ଭ କରି ହିନ୍ଦୀ, ଓଡ଼ିଆ ତଥା ଅନ୍ୟାନ୍ୟ ରାଜ୍ୟର ବହୁ ଆଞ୍ଚଳିକ ଭାଷାର ଖବରକାଗଜ ସଂସ୍ଥା ଇମାମୀ କାଗଜକଳରୁ କାଗଜ ନେଇଥା’ନ୍ତି। ତେବେ, କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲାଗୁ କରାଯାଇଥିବା ଲକ୍‌ଡାଉନ୍ ପାଇଁ ଇମାମୀ କାଗଜକଳକୁ କଞ୍ଚାମାଲ ଆସିବା ବନ୍ଦ ହୋଇଗଲାଣି। ଏଭଳି ପରିସ୍ଥିତିରେ କମ୍ପାନିର ସମସ୍ତ କର୍ମଚାରୀ ଓ ଶ୍ରମିକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେପଟେ କଞ୍ଚାମାଲ ଧରି ଆସିଥିବା ରାଜ୍ୟ ଓ ରାଜ୍ୟ ବାହାରର ଶତାଧିକ ଟ୍ରକ ଇମାମୀ ଆଖପାଖ ଅଞ୍ଚଳରେ ରାସ୍ତା ପାର୍ଶ୍ବରେ ଗାଡ଼ି ରଖି କିଏ କୁଆଡ଼େ ପଳାଇଛନ୍ତି। ଇମାମୀ କାଗଜକଳରେ ବର୍ତ୍ତମାନ ୩ ହଜାର ଦୈନିକ ଓ ଚୁକ୍ତିଭିତ୍ତିକ କର୍ମଚାରୀ କାମ କରୁଥିବାବେଳେ କରୋନା ପାଇଁ ସମସ୍ତଙ୍କୁ ଛୁଟି ଦିଆଯାଇଛି। କମ୍ପାନି ପରିସରରେ କେବଳ ପାଣି, ବିଦ୍ୟୁତ୍, ସଫେଇ ଓ ରକ୍ଷଣାବେକ୍ଷଣ ପାଇଁ ମାତ୍ର ୧୦୦ କର୍ମଚାରୀଙ୍କୁ ରଖାଯାଇଛି।

ପ୍ରକାଶଥାଉକି, ସମାନ କାରଣରୁ ଗତ ୨୯ ତାରିଖରେ ରାୟଗଡ଼ାସ୍ଥିତ ଜେକେ କାଗଜକଳକୁ ମଧ୍ୟ ବନ୍ଦ କରିଦିଆଯାଇଛି। କାଗଜକଳଗୁଡ଼ିକ ଏଭଳି ସ୍ଥିତି ଦେଇ ଗତି କରୁଥିବାବେଳେ ଅନ୍ୟପଟେ ସରକାର ଖବରକାଗଜ ଶିଳ୍ପର ମାଲିକମାନଙ୍କୁ ପ୍ରସାରଣ ସେବାକୁ ଅବ୍ୟାହତ ରଖିବା ପାଇଁ ଅନୁରୋଧ କରିଛନ୍ତି। ଗୋଟିଏ ପଟେ ଯାତାୟାତ ସୁବିଧା ଉପରେ କଟକଣା ଓ ଅନ୍ୟପଟେ କାଗଜ ଉତ୍ପାଦନ କରୁଥିବା କାଗଜକଳକୁ ବନ୍ଦ ରଖିବାକୁ ନିର୍ଦେଶ ଜାରି ହୋଇଛି। ଏଥିସହ ସରକାରୀ କଟକଣା ଯୋଗୁଁ ବହୁ ଅର୍ଡର ବାତିଲ ହେଉଥିବା କହିଛନ୍ତି ଇମାମୀ କାଗଜକଳର ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ପାଢ଼ୀ। ‘ମୁଦ୍ରିତ ଗଣମାଧ୍ୟମ ପାଇଁ ପର୍ଯ୍ୟାପ୍ତ ପରିମାଣରେ କାଗଜର ଆବଶ୍ୟକତା ରହିଛି। କିନ୍ତୁ କରୋନା ପାଇଁ ସବୁ କିଛି ବାଧାପ୍ରାପ୍ତ ହୋଇଛି। ତେବେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା କଞ୍ଚାମାଲ ଗାଡ଼ିଗୁଡ଼ିକ କିପରି କାଗଜକଳକୁ ଆସିପାରିବ ସେ ନେଇ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଅନୁରୋଧ କରାଯାଇଛି, ‘ ଶ୍ରୀ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର