ରାଉରକେଲା: ବିଜ୍ଞାନ, ଜ୍ଞାନକୌଶଳ, ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କର। କାରଣ ସଂପ୍ରତି ନିଜ ନିଜ ସ୍ବପ୍ନ ପୂରଣ ପାଇଁ ଭାରତରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଯେ କୌଣସି କ୍ଷେତ୍ରକୁ ବୃତ୍ତି ପାଇଁ ଚୟନ କଲେ ବି, ସେଥିରେ ଶ୍ରେଷ୍ଠ ହେବାକୁ ପ୍ରୟ‌ାସ କର। ତୁମର ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ।
Advertisment
ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)ର ୧୦ମ ସମାବର୍ତ୍ତନ ସମାରୋହରେ ଅଧ୍ୟକ୍ଷତାକରି ଅନୁଷ୍ଠାନର କୁଳାଧିପତି ତଥା ରାଜ୍ୟପାଳ ଶ୍ରୀ ଦାସ କହିଲେ, ନୂଆ ଶିକ୍ଷା ନୀତି ହେଉ ବା ଷ୍ଟାର୍ଟ‌୍ଅପ୍‌କୁ ପ୍ରୋତ୍ସାହନ, ପ୍ରତିଟି କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବହୁବିଧ ନୀତି, ଯୋଜନା ପ୍ରଣୟନ କରିଛନ୍ତି। ଯେହେତୁ ଆଜିର ଯୁବପିଢ଼ି କାନ୍ଧରେ ଭାରତର ଭବିଷ୍ୟତ ନିର୍ଭରଶୀଳ, ତେଣୁ ସେମାନେ ଅଧିକ ତତ୍ପର ଓ ସତର୍କ ହୁଅନ୍ତୁ। ଗବେଷଣା ଦିଗରେ ଆହୁରି ଅଗ୍ରଗତିର ଆବଶ୍ୟକତା ରହିଛି। ସମସ୍ତେ ଆଗାମୀ ୧୦ ବର୍ଷ କଥା ଚିନ୍ତାକରନ୍ତୁ। ତଦନୁଯାୟୀ ନିଷ୍ଠାପର ଓ ଶୃଙ୍ଖଳିତ ଅଧ୍ୟବସାୟ ଜାରିରଖନ୍ତୁ। ବୌଦ୍ଧିକ ଜ୍ଞାନର ପରିସୀମା ବଢ଼ାଅ ବୋଲି ରାଜ୍ୟପାଳ ପରାମର୍ଶ ଦେଇଥିଲେ।
publive-image
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ନିର୍ମାଣ ଓ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଲେ, ବିପିୟୁଟି ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି। ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପାଠ୍ୟକ୍ରମ ଆରମ୍ଭ, ‘ନୂଆ ଓଡ଼ିଶା ପୋର୍ଟାଲ’ ମାଧ୍ୟମରେ ଦକ୍ଷତା ବିକାଶ କୋର୍ସ‌ ପାଇଁ ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ହିତ ପାଇଁ ବିଭିନ୍ନ ଶିଳ୍ପ ଓ ଗବେଷଣା ପ୍ରତିଷ୍ଠାନ ସହ ଚୁକ୍ତିନାମା କରିଛି। ଏହାବ୍ୟତୀତ ଶିକ୍ଷକ ବିକାଶ କାର୍ଯ୍ୟକ୍ରମ, ଟେକ୍‌ କାର୍ନିଭାଲ୍‌ ଆଦି ଆୟୋଜନ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। କୁଳପତି ପ୍ରଫେସର ଅମୀୟ କୁମାର ରଥ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ଇଞ୍ଜିନିଅରିଂ ଓ ଟେକ୍ନୋଲୋଜି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାକ୍‌ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏସ୍‌ସି ଶର୍ମା, ଡିଆର୍‌ଡିଓ (ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେସନ୍‌ ସିଷ୍ଟମ୍‌) ମହାନିର୍ଦ୍ଦେଶକ ଡ. ବିନୟ କୁମାର ଦାସ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ସମ୍ମାନଜନକ ଡିଏସ୍‌ସି ଉପାଧି ପ୍ରଦାନ କରାଯାଇଥିଲା। ଇଞ୍ଜିନିଅରିଂ, ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି ବର୍ଗରେ ମୋଟ୍‌ ୧୧୯ ଜଣ ସ୍ବର୍ଣ୍ଣପଦକ ଓ ୭୩ ଜଣ ପିଏଚ୍‌ଡି ଡିଗ୍ରି ପାଇଥିଲେ। ଏହାସହ ୨୦୧୮-୧୯ ଶିକ୍ଷାବର୍ଷରୁ ୨୦୨୨-୨୩ ଶିକ୍ଷାବର୍ଷ ମଧ୍ୟରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା।