ମଠ ଛାଡ଼ୁନାହାନ୍ତି ମହନ୍ତ : ପୁଲିସ ଘେରରେ ଏମାର ମଠ, ଦେବୋତ୍ତର କମିସନର୍‌ଙ୍କ ଦେଖାନାହିଁ

ଧ୍ୟାନ ମୁଦ୍ରାରେ ବସିଛନ୍ତି ମଠ ମହନ୍ତ, ଜଗିଲେ ୨୬ ପ୍ଲାଟୁନ୍ ଫୋର୍ସ , ଭାଙ୍ଗିବା ପାଇଁ ଲାଗିଛି ୯ ହାଇଡ୍ରା ଓ ଡ୍ରିଲର ମେସିନ୍

ପୁରୀ : ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜଦାସ ମଠ ଛାଡୁନାହାନ୍ତି। ପୁଲିସ ଓ ପ୍ରଶାସନିକ ଅଧିକାରୀ ଯେତେ ବୁଝାସୁଝା କଲେ ବି ସେ ତାଙ୍କ ଜିଦରେ ଅଟଳ ଅଛନ୍ତି। ସେପଟେ ମଠ ବା‌ହାରେ ଡୋଜର ଓ ଜେସିବି ଦ୍ବାରା ମଠର ବିପଦସଙ୍କୁଳ କୋଠା ଭଙ୍ଗା ଚାଲିଛି। ଭଙ୍ଗାରୁଜା ଯୋଗୁ ମଠ ବି ଧୀରେ ଧୀରେ ଅସୁରକ୍ଷିତ ହୋଇପଡିଛି। କେତେବେଳେ ଗଳି ପଡିବାର ସମ୍ଭାବନା ରହିଛି। ମଠ ପ୍ରତି ବିପଦ ଥିବା ବେଳେ ମହନ୍ତ ଓ ତାଙ୍କ ପରିବାର ମଠ ଛାଡୁନଥିବାରୁ ପ୍ରଶାସନର ଚିନ୍ତା ବଢିଛି। ତେବେ ମହନ୍ତ ରହସ୍ୟଜନକ ଭାବେ ମଠ ଭିତରେ ବସି ରହିବା ଘଟଣାକୁ ନେଇ ସ‌ନ୍ଦେହ ପ୍ରକଟ ହୋଇଛି। ମଠ ମହନ୍ତ ‌ଘର ଛାଡୁନଥିବା କାରଣରୁ ସେଠାରେ କିଛି ଗୁପ୍ତ ଧନ ଥିବା ନେଇ ସ‌ନ୍ଦେହ କରାଯାଇଛି। ଏହାକୁ ନେଇ ପୁଲିସ ମଠ ଉପରେ କଡା ନଜର ରଖିଛି। କିଏ ଯାଉଛନ୍ତି, ଆସୁଛନ୍ତି ତ‌ା ଉପରେ ନଜର ରଖିଛି ପୁଲିସ। ମଠରେ ପୂର୍ବରୁ ବାହାରିଥିବା ୪୫ଟି ରୁପା ଇଟାର ସନ୍ଧାନ ମିଳୁନଥିବାରୁ ଏହି ଇଟା ଏବେ ବି ମଠରେ ଥିବା ନେଇ ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଦେବୋତ୍ତର କମିସନଙ୍କ ଅଧୀନରେ ମଠ ଆସୁଥିଲେ ବି ତାଙ୍କର ଦେଖା ନମିଳିବା ଓ ତାଙ୍କୁ ଉଚ୍ଛେଦରେ ସଂପୃକ୍ତ କରାଯାଉନଥିବାରୁ ମଠାଧୀଶମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସବି‌େଶଷ ସୂଚନା ଅନୁଯାୟୀ, ଆଜି ବିଳମ୍ବିତ ରାତିରେ ମହନ୍ତଙ୍କୁ ଘରୁ ବାହାର କରିବାକୁ ଯୋଜନା କରିଛି ପୁଲିସ। ରାତି ୧୧ଟା ସୁଦ୍ଧା‌ ଏକ କଣ୍ଟେନର ସିଂହଦ୍ବାରରେ ପହଞ୍ଚିଛି। ଏହି କଣ୍ଟେନରରେ ମହନ୍ତଙ୍କୁ ରଖିବା ପାଇଁ ଯୋଜନା କରାଯାଇଛି।

ଧ୍ୟାନ ମୁଦ୍ରାରେ ବସିଛନ୍ତି ମଠ ମହନ୍ତ

ପୁରୀ : ଆଜି ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ବେଳେ ଏମାର ମଠ ମହନ୍ତ ମଠ ପରିସରରେ ଥିବା ନିଜ କକ୍ଷରେ ଧ୍ୟାନରତ ଥିବା ନେଇ ଚର୍ଚ୍ଚା ହୋଇଥିଲା। ମଠ ବାହାରେ ଏକାଧିକ ଜେସିବି, ପ୍ରଶାସନିକ ଅଧିକାରୀ ଓ ପୁଲିସ ଫୋର୍ସ ଥିବା ବେଳେ ମଠ ମହନ୍ତ କିନ୍ତୁ ତାଙ୍କ କୋଠରିରୁ ବାହାରି ନଥିଲେ। ମଠ ସୁରକ୍ଷିତ ଥିବା ଦର୍ଶାଇ ସେ ଉଚ୍ଛେଦକୁ ବିରୋଧ ପୂର୍ବକ କୋଠରିରୁ ବାହାରିନଥିବା କୁହାଯାଉଛି। ତେବେ ଏ ସଂପର୍କରେ ମଠ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ ମହନ୍ତଙ୍କ କିଛି ପାଖଲୋକ ସେ ଧ୍ୟାନରତ ଥିବା ସୂଚନା ଦେଇଥିଲେ। ମଠ ପରିସରରେ ମହନ୍ତ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଖଣ୍ଡ ଦୀପ ଜାଳି ବସିଛନ୍ତି ବୋଲି ତାଙ୍କର ନିକଟତମ ବ୍ୟକ୍ତି କହିବା ପରେ ଆଜି ଦିନତମାମ୍ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

ଜଗିଲେ ୨୬ ପ୍ଲାଟୁନ୍ ଫୋର୍ସ , ଭାଙ୍ଗିବା ପାଇଁ ଲାଗିଛି ୯ ହାଇଡ୍ରା ଓ ଡ୍ରିଲର ମେସିନ୍

ପୁରୀ : ଏମାର ମଠ ଉଚ୍ଛେଦକୁ ଶୃଙ୍ଖଳିତ କରିବା ସହ ଆଇନଶୃଙ୍ଖଳା ଉପରେ ନଜର ରଖିବା ପାଇଁ ଆଜି ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ଓଏସ୍‌ଏଏଫଙ୍କ ସମେତ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଥିଲେ। ଜଣେ ପ୍ରୋବେସନାରୀ ଆଇଏଏସ୍‌ଙ୍କ ସମେତ ୧୫ରୁ ଅଧିକ ଅଧିକାରୀ ବି ତତ୍ତ୍ବାବଧାନ ଦାୟିତ୍ବରେ ଥିଲେ। ଆଜି ଭଙ୍ଗା କାର୍ଯ୍ୟରେ ୪ ହାଇଡ୍ରା ଓ ୩ ଡ୍ରିଲର ମେସିନ୍ ଲଗାଯାଇଥିଲା। ୨୦ ଜଣ ଶ୍ରମିକଙ୍କ ସମେତ ଅନ୍ୟମାନେ ଭଙ୍ଗା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ସମ୍ବନ୍ଧିତ ଖବର