ମଠ ପରିସରରେ ଚେମିଣି ବସା

ପୁରୀ : ଜିଲ୍ଲା ପ୍ରଶାସନ ଏମାର ମଠର ପୁରାତନ କୋଠା ଭାଙ୍ଗିବା ପରେ ଏହା ପରିସରରେ ଏକ ଚେମିଣି ଘରକୁ ଠାବ କରାଯାଇଛି। ଯେଉଁଠି ହଜାର ହଜାର ସଂଖ୍ୟାରେ ଚେମିଣି ରହୁଥିବା ଦେଖିବାକୁ ମିଳିଛି। ଘର ଭାଙ୍ଗି ଦିଆଯିବା ପରେ ଏମାନଙ୍କର କିପରି ସୁରକ୍ଷା ହୋଇପାରିବ ସେ ଦିଗରେ ପ୍ରଶାସନ ଚିନ୍ତା କରିବା ଆବଶ୍ୟକ ବୋଲି ପଶୁପକ୍ଷୀ ପ୍ରେମୀମାନେ କହିଛନ୍ତି। ଚେମିଣି ଏକ ବିରଳ ପକ୍ଷୀ। ସବୁଜିମା ତଥା ଚାଳଘର ଧ୍ବଂସ ଯୋଗୁଁ ଏମାନଙ୍କ ବଂଶ ‌ଲୋପ ପାଇବାକୁ ବସିଛି। କିନ୍ତୁ ଶ୍ରୀକ୍ଷେତ୍ରରେ ଚେମିଣି ଧାର୍ମିକ ବିଶ୍ବାସ ସହିତ ଜଡ଼ିତ। ଶ୍ରୀମନ୍ଦିରର ଉତ୍ତର ଦ୍ବାରରେ ଲକ୍ଷ ଲକ୍ଷ ସଂଖ୍ୟାରେ ଚେମିଣି ରହୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିର ଉତ୍ତରଦ୍ବାରକୁ ଚେମିଣି ଦ୍ବାର ବୋଲି କୁହାଯାଏ। ଏଠାରେ ଥିବା ଚେମିଣିକୁ କେହି ଆଘାତ ଦିଅନ୍ତିନି। ସୁରକ୍ଷିତ ଅବସ୍ଥାରେ ଏମାନେ ଶ୍ରୀମନ୍ଦିର ଉତ୍ତରଦ୍ବାର ଉପର ପାର୍ଶ୍ବରେ କାହିଁ କେଉଁ କାଳରୁ ରହି ଆସୁଛନ୍ତି। କିନ୍ତୁ ଫନି ବାତ୍ୟା ପରଠାରୁ ଶ୍ରୀମନ୍ଦିର ଉତ୍ତରଦ୍ବାରରେ ଥିବା ଚେମିଣିମାନେ ଅନ୍ତର୍ଦ୍ଧାନ ହୋଇ ଯାଇଛନ୍ତି। ଯେଉଁଠି ଲକ୍ଷ ଲକ୍ଷ ସଂଖ୍ୟାରେ ଚେମିଣି ଥିଲେ, ସେଠି ଏମାନଙ୍କ ସଂଖ୍ୟା ବହୁ କମିଯାଇଛି। ଯେଉଁଥିରୁ କିଛି ଚେମିଣି ବାତ୍ୟା ପରଠାରୁ ଆସି ଏମାର ମଠରେ ଆଶ୍ରୟ ନେଇଥିଲେ ବୋଲି କୁହାଯାଏ। ତେବେ ମଠ ଭାଙ୍ଗି ଦିଆଯିବା ପରେ ଏମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଚେମିଣିମାନେ ଉଜ୍ଜ୍ବଳ ଆଲୋକରେ ବାହାରକୁ ବାହାରନ୍ତି ନାହିଁ। ସଂଧ୍ୟା ଗଡ଼ିଲେ ଏମାନଙ୍କର ଚଳପ୍ରଚଳ ଆରମ୍ଭ ହୁଏ। ମଠ ଘର ଭାଙ୍ଗି ଦିଆଯିବା ପରେ ଏମାନଙ୍କ ଜୀବନ ଏବେ ଅସୁରକ୍ଷିତ ହୋଇପଡ଼ିଛି।

ସମ୍ବନ୍ଧିତ ଖବର