ଟ୍ରଷ୍ଟ ହାତକୁ ଗଲା ଏମାର ମଠ

ଦାୟିତ୍ବରୁ ହଟିଲେ ବିବାଦୀୟ ମହନ୍ତ, ପୁଲିସ ଛାଉଣିରେ ଦାୟିତ୍ବ ହସ୍ତାନ୍ତର

ପୁରୀ : ଶ୍ରୀକ୍ଷେତ୍ରର ସବୁଠୁ ଧନୀ ମଠ ‘ଏମାର’ର ପରିଚାଳନା ଦାୟିତ୍ବରୁ ଶେଷରେ ବିବାଦୀୟ ମହନ୍ତ ଗୋପାଳ ରାମାନୁଜ ଦାସଙ୍କୁ ହଟାଯାଇଛି। ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନବଗଠିତ ଟ୍ରଷ୍ଟକୁ ମଠ ପରିଚାଳନା ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଆଜିଠାରୁ ମଠର ହିସାବ ନିକାଶଠାରୁ ଆରମ୍ଭ କରି ଯାହା ବି କାର୍ଯ୍ୟ ହେବ, ଏହି ଟ୍ରଷ୍ଟ ହିଁ ସଂପାଦନ କରିବ। ହାଇକୋର୍ଟଙ୍କ ଆଦେଶକ୍ରମେ ଦେବୋତ୍ତର କମିସନରଙ୍କ ନିର୍ଦ୍ଦେଶରେ ଆଜି ବିଧିବଦ୍ଧ ଭାବେ ଏହି ଟ୍ରଷ୍ଟକୁ ମଠର ସଂପୂର୍ଣ୍ଣ ପରିଚାଳନା ଦାୟିତ୍ବ‌ ଅର୍ପଣ କରାଯାଇଛି। ମଠର ମହନ୍ତ କେବଳ ମଠର ପୂଜାପାଠ, ନୀତିକାନ୍ତି କରିପାରିବେ। କିନ୍ତୁ ପରିଚାଳନାରେ ହସ୍ତକ୍ଷେପ କରିପାରିବେନି। ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ବେଳେ ମଠ ପରିସରରୁ ବହୁ ପରିମାଣର ରୁପା ଅଳଙ୍କାର ମିଳିଛି। ଏହାର ଆକଳନ ଜାରି ରହିଛି।

ରୁପା ଇଟାକୁ ନେଇ ଅତୀତରେ ସିଂହଦ୍ବାରରେ ଥିବା ଏମାର ମଠ ଚର୍ଚ୍ଚା ପରିସରକୁ ଆସିଥିଲା। ୨୦୧୧ ମସିହାରେ ମଠର ଏକ ବନ୍ଦ କୋଠରୀରୁ ୫୨୨ ଖଣ୍ଡ ରୁପା ଇଟା ଜବତ ହୋଇଥିଲା। ସେ ସମୟରେ ଏହାର ଆନୁମାନିକ ମୂଳ୍ୟ ୯୦ କୋଟି ଟଙ୍କା ହେବ ବୋଲି ପ୍ରାଥମିକ ଆକଳନ କରାଯାଇଥିଲା। ଏହି ମାମଲା ଏବେ କୋର୍ଟଙ୍କ ବିଚାରାଧୀନ ରହିଛି। ତେବେ ଏହି ଘଟଣାକୁ ନେଇ ଦେବୋତ୍ତର ବିଭାଗକୁ ସେ ସମୟରେ ବଦନାମର ବୋଝ ମୁଣ୍ଡାଇବାକୁ ପଡ଼ିଥିଲା। ସେ ସମୟରେ ଏମାର ମଠ ମହନ୍ତ ଗୋପାଳ ରାମାନୁଜ ଦାସ ବି ଗିରଫ ହୋଇଥିଲେ। ପରେ ୨୦୧୯ ମସିହାରେ କୋର୍ଟଙ୍କ ଆଦେଶକ୍ରମେ ଦେବୋତ୍ତର ବିଭାଗ ମଠ ପରିଚାଳନା ପାଇଁ ନୂଆ ଟ୍ରଷ୍ଟ ଗଠନ କରିଥିଲେ। ମଠ ମହନ୍ତଙ୍କ ହାତରୁ ପରିଚାଳନା ଦାୟିତ୍ବ ହଟାଇ ଏହି ଟ୍ରଷ୍ଟକୁ ଦାୟିତ୍ବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମଠ ମହନ୍ତ ଗୋପାଳ ରାମାନୁଜ ଦାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ଉପରେ ସେ ସମୟରେ ସ୍ଥିତାବସ୍ଥା ଜାରି ହୋଇଥିଲା। ପରେ ୨୦୨୦ ମସିହାରେ ପୁନର୍ବାର ଟ୍ରଷ୍ଟ ଗଠନ କରି ପରିଚାଳନା ଦାୟିତ୍ବ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ସେ ସମୟରେ ବିରୋଧ ଯୋଗୁ ଏହା ସମ୍ଭବ ହୋଇ ପାରିନଥିଲା। ଆଜି ସକାଳୁ ମାଜିଷ୍ଟ୍ରେଟ୍‌ ଓ ପୁଲିସ ଉପସ୍ଥିତିରେ ମହନ୍ତଙ୍କଠାରୁ ପରିଚାଳନା ଦାୟିତ୍ବ କାଢ଼ି ନିଆଯାଇଛି।

ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ମଠ ଚାରିପଟେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ। ପରେ ଦେବୋତ୍ତର ବିଭାଗର ଅଧିକାରୀ, ମାଜି‌ଷ୍ଟ୍ରେଟ୍‌ଙ୍କ ସହ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ମଠ ମହନ୍ତଙ୍କଠାରୁ ଦାୟିତ୍ବ କାଢ଼ି ନୂଆ ଟ୍ରଷ୍ଟକୁ ପରିଚାଳନା ଦାୟିତ୍ବ ଦିଆଯାଇଛି। ଏହି ଟ୍ରଷ୍ଟରେ ନୂଆ ଟ୍ରଷ୍ଟି ଭାବେ ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ମହାରାଜ, ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ଡ. ନରେଶ ଚନ୍ଦ୍ର ଦାସ, ଆଇନଜୀବୀ ବନବିହାରୀ ନାୟକ ଓ ସମାଜସେବୀ ପ୍ରତିମା ମିଶ୍ର ରହିଛନ୍ତି।

ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଠ ପରିସରରେ ଥିବା ଘର ସବୁ ଖୋଲାଯାଇ ସମ୍ପତ୍ତି ଆକଳନ କରାଯାଇଛି। ଏହି ସମୟରେ ମଠ ମହନ୍ତ ବିରୋଧ କରିଥିଲେ। କିନ୍ତୁ ପୁଲିସ ଉପସ୍ଥିତିରେ ମଠର ଦୁଇଟି କୋଠରୀ ଭଙ୍ଗାଯିବା ସହ ଯାଞ୍ଚ କରାଯାଇଛି। ସେହିଭଳି ମଠ ପରିସରରେ ଥିବା ଏକ ସିନ୍ଦୁକ ତାଲା ଭାଙ୍ଗିବା ପରେ ଏଥିରେ ସୁନା ଓ ରୁପାର ଅଳଙ୍କାର ଠାବ ହୋଇଥିଲା। ଶ୍ରୀମନ୍ଦିର ବଣିଆଙ୍କ ସହଯୋଗରେ ଏହାର ଆକଳନ କରାଯାଉଛି। ରିପୋର୍ଟ ଲେଖା ହେବା ସୁଦ୍ଧା ଏହାର ପରିମାଣ ଜଣାପଡ଼ିନି। ସେପଟେ ସ୍ଥିତାବସ୍ଥା ଜାରି ରହିଥିବାବେଳେ ଜୋର ଜବରଦସ୍ତ ଦାୟିତ୍ବ ହସ୍ତାନ୍ତରକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମଠ ମହନ୍ତଙ୍କ ଓକିଲ। ସେ ଏ ସଂପର୍କରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମଠର ସ୍ଥିତାବସ୍ଥା ଜାରି ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର