ଆଜି ମାଟିରେ ମିଶିବ ଏମାର ମଠ, ଭଙ୍ଗାଯିବ ୯୦୦ ବର୍ଷର ମଠ

ପୁରୀ: ଶ୍ରୀକ୍ଷେତ୍ରର ସୁରକ୍ଷା ଏବଂ ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀ କରିବା ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପର୍ଯ୍ୟନ୍ତ ଜାରି ରହିଛି ଉଚ୍ଛେଦ ଅଭିଯାନ । ଗତକାଲି ଲଙ୍ଗୁଳି ମଠ ଭାଙ୍ଗିବା ପରେ ଆଜି ଐତିହାସିକ ଏମାର ମଠର ପାଳି । ଏମାର ମଠ ସହ ଏହି କୋଠାରେ ଥିବା ଐତିହାସିକ ରଘୁନନ୍ଦନ ଲାଇବ୍ରେରୀ ଭାଙ୍ଗିବ । ଏହା ଏକାଧିକ ଦୋକାନ ଘରକୁ ମଧ୍ୟ ଭଙ୍ଗାଯିବ । ଏହା ପୂର୍ବରୁ ମଠ ମହନ୍ତ ଓ ଏଠାରେ ଖୋଲିଥିବା ଦୋକାନୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ତେଣୁ ଏମାର ମଠ ତଳେ ଥିବା ଦୋକାନ ଘର ସବୁ ଖାଲି ହୋଇଯାଇଛି । ବ୍ୟବସାୟୀମାନେ ସେମାନଙ୍କ ଆସବାବପତ୍ର ସବୁ ଗାଡି ଲଗାଇ ବୋହି ନେଇଛନ୍ତି ।

ମାଜିଷ୍ଟ୍ରେଟ୍, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଏସ୍ପି ଓ ୩୦ ପ୍ଲାଟୁନ୍ ଫୋର୍ସଙ୍କ ଉପସ୍ଥିତିରେ ମଠ ଓ ଦୋକାନ ଉଛେଦ କରାଯିବ । ମେଘନାଦ ପାଚେରୀ ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏମାର ମଠକୁ ପୂର୍ବରୁ ଜିଲ୍ଲାପ୍ରଶାସନ ବିପଦସଂକୁଳ ଘୋଷଣା କରିଥିଲେ । ତେବେ ମଠ ପରିସରରେ ଥିବା ମନ୍ଦିର ଓ ପୂଜାପାଉଥିବା ଠାକୁରଙ୍କୁ ପୁର୍ବଭଳି ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହାପରେ ବଡ ଆଖଡା ମଠ ଭଙ୍ଗାଯିବ । ବହୁ ପୁରାତନ ଐତିହ୍ୟ ମଠ ଏମାରମଠ ଧରାଶାୟୀ ହେବା ସହ ଇତିହାସ ପାଲଟିଯିବ ଏହି ମଠ ପରିସରରେ ଥିବା ରଘୁନନ୍ଦନ ପାଠାଗାର । ଏହି ଲାଇବ୍ରେରୀରେ ଜଗନ୍ନାଥ ସଂସ୍କୃତି ସହ ବହୁ ପୁସ୍ତକ ଓ ତାଳପତ୍ର ପୋଥି ରହିଛି ।

ଏହା ସହ ବହୁ ହିନ୍ଦୀ, ଇଂରାଜୀ, ସଂସ୍କୃତ ଓ ଓଡିଆ ଭାଷାର ବହୁ ଦୁର୍ମୁଲ୍ୟ ପୁସ୍ତକ ରହିଛି । କିନ୍ତୁ ଏହାକୁ ଭାଙ୍ଗିବା ପରେ ଏହା ଅସ୍ତିତ୍ୱ ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି । କାରଣ ଏହାକୁ ସ୍ଥାନାନ୍ତର କରିବାକୁ ନୋଟିସ ହୋଇଥିଲେ ବି ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ । ଫଳରେ ୧୯୨୧ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ପ୍ରାଚୀନ ଗ୍ରନ୍ଥାଗାରର ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ ।

ସମ୍ବନ୍ଧିତ ଖବର