ଭଙ୍ଗା ହେଲା ଏମାର ମଠର ପୁରୁଣା କୋଠା, ମାଟି ତଳେ ଏକାଧିକ ଗୁପ୍ତ କୋଠରି

ସାପ ଭୟ ଯୋଗୁଁ ଜଗିଛନ୍ତି ସାପ ଧରାଳି, ଖାଲି ହେଲା ବଣିଆପଟି ସୁନା ଦୋକାନ, ବାଗେଡ଼ିଆ ଧର୍ମଶାଳାରେ ଖୋଲିଲା ସିଂହଦ୍ବାର ଥାନା

ପୁରୀ : ରାଜ୍ୟର ସର୍ବପୁରାତନ ତଥା ସବୁଠୁ ଧନୀ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଗତକାଲି ମଠ ଜାଗା ପରିସରରେ ଥିବା ଗୁହାଳ ଘର ଭଙ୍ଗାଯିବା ପରେ ଆଜିଠୁ ମୁଖ୍ୟ ମଠ ଘର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ମଠର ପ୍ରାୟ ୪୦ ପ୍ରତିଶତ ‌କୋଠାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଏହି ସମୟରେ ମଠ ଜାଗାରୁ ଅନେକ ଗୁପ୍ତ କୋଠରିର ସନ୍ଧାନ ମିଳିଛି। କେହି କେହି ଏହାକୁ ଗୁପ୍ତ ସୁଡ଼ଙ୍ଗର ଆଖ୍ୟା ଦେଉଥିବା ବେଳେ ଆଉ କେହି ଏହାକୁ ମଠର ଧାନ କୋଠି ବୋଲି କହୁଛନ୍ତି। ତେବେ ଉଚ୍ଛେଦ ପ୍ରକ୍ରିୟା ଅଧାରେ ଅଟକିଥିବାରୁ ସଂପୂର୍ଣ୍ଣ ଘଟଣା ଉପରୁ ପରଦା ହଟିପାରିନି। ଯେଉଁଥିପାଇଁ ଏହା ଉପରେ ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି। ସେପଟେ ଉଚ୍ଛେଦ ପୂର୍ବରୁ ଆଜି ସିଂହଦ୍ବାର ନିକଟ ବଣିଆପଟି ସୁନା ଦୋକାନ ଓ ସିଂହଦ୍ବାର ଥାନାକୁ ଖାଲି କରି ଦିଆଯାଇଛି।

ଗତକାଲି ବ୍ରିଟିସ୍‌ ଅମଳର ରଘୁନନ୍ଦନ ପାଠାଗାରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବାରୁ ଏମାର ମଠର ଉଚ୍ଛେଦ ପ୍ରକ୍ରିୟା ବିଳମ୍ବ ହୋଇଥିଲା। ତଥାପି ସଂଧ୍ୟାରେ ମଠ ଜାଗାରେ ଥିବା ଗୁହାଳ ଘରକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା। ଆଜି ସକାଳୁ ଶହ ଶହ ପୁଲିସଙ୍କ ସୁରକ୍ଷା ବଳୟ ଭିତରେ ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମଠ ପଛପାଖରେ ଥିବା ପୁରାତନ କୋଠରିଗୁଡ଼ିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଥିଲା। କେବଳ ମଠ ମହନ୍ତଙ୍କ କୋଠରି ଓ ଏହାର ପାଖ କିଛି କୋଠରି ବାକି ରହିଛି। ବିଷଧର ସାପଙ୍କ ଭୟରେ ସ୍ନେକ୍ ହେଲପ୍‌ ଲାଇନ ସଦସ୍ୟଙ୍କ ସହଯୋଗ ଲୋଡ଼ା ଯାଇଥିଲା। ସ୍ନେକ୍ ହେଲପ୍‌ ଲାଇନର ସଦସ୍ୟମାନେ ଯାଞ୍ଚ କରିବା ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ପୁରାତନ ଘର ସବୁ ଭଙ୍ଗାଯିବା ପରେ ମାଟିତଳେ ଅନେକ ଗୁପ୍ତ କୋଠରି ଥିବା ଦେଖିବାକୁ ମିଳିଥିଲା। ସନ୍ଦେହରେ କିଛି କୋଠରିକୁ ପ୍ରଶାସନ ଜେସିବି ଲଗାଇ ଭାଙ୍ଗିଥିଲେ ବି ସେଥିରୁ କିଛି ସନ୍ଦେହଜନକ ଜିନିଷ ମିଳିନାହିଁ। ଖୋଳିବା ପରେ ଏହା ମଠର କାନ୍ଥ ବୋଲି ଜଣାପଡ଼ିଛି। କିନ୍ତୁ କିଛି କୋଠରି ଏଯାବତ ଭଙ୍ଗା ଯାଇନଥିବାରୁ ଏହା ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି। ଆସନ୍ତାକାଲି ପ୍ରଶାସନର ଏହାକୁ ଭାଙ୍ଗିବା ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ। ସିଂହଦ୍ବାର ସମ୍ମୁଖରେ ଥିବା ଏମାର ମଠର ନୂଆ କୋଠାରୁ ବି ଆଜି କିଛିକାଂଶ ଭଙ୍ଗାଯାଇଛି। ରଘୁନନ୍ଦନ ପାଠାଗାର ଓ ଆଖପାଖ ଘର ସହ ନିର୍ମାଣାଧୀନ ଶୌଚାଳୟକୁ ଭାଙ୍ଗି ଦିଆଯାଇଛି। ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାରୁ ବଣିଆପଟିରେ ଥିବା ୫ରୁ ଅଧିକ ସୁନା ଦୋକାନୀ ଦୋକାନ ଘର ଖାଲି କରି ଦେଇଛନ୍ତି। ଏମାର ମଠ ପରେ ବଡ଼ଆଖଡ଼ା ମଠ ଭଙ୍ଗାଯିବା ଲାଗି ପ୍ରସ୍ତୁତି ହୋଇଥିବାରୁ ଏଠାରେ ଥିବା ସିଂହଦ୍ବାର ଥାନାକୁ ବାଗେଡ଼ିଆ ମଠକୁ ସ୍ଥାନାନ୍ତର କରାଯାଇଛି। ଏସିଆର ସବୁଠୁ ବଡ଼ ଥାନା କୁହାଯାଉଥିବା ସିଂହଦ୍ବାର ଥାନାର ସମସ୍ତ ଆସବାବପତ୍ର ବାଗେଡ଼ିଆ ଧର୍ମଶାଳାକୁ ସ୍ଥାନାନ୍ତର ପରେ ଆଜିଠାରୁ ଏଠାରେ ଅସ୍ଥାୟୀ ଥାନା କାର୍ଯ୍ୟକାରୀ ହୋଇଛି।

ସମ୍ବନ୍ଧିତ ଖବର