ପୁରୀ : ଶ୍ରୀସଂପ୍ରଦାୟ (ରାମାନୁଜ ସଂପ୍ରଦାୟ)ର ଆଦି ପ୍ରଚାରକ ତଥା ବିଶିଷ୍ଟ ଅଦୈତ୍ୟାଚାର୍ଯ୍ୟ ଶ୍ରୀରାମାନୁଜ ଖ୍ରୀଷ୍ଟୀୟ ଦ୍ବାଦଶ ଶତାଦ୍ଦୀର ପ୍ରଥମ ଭାଗରେ ପୁରୀ ଆଗମନ କରିଥିବା ଉଲ୍ଲେଖ ରହିଛି। ଐତିହାସିକଙ୍କ ମତରେ ଏହି ମଠ ପ୍ରାୟ ୯୦୦ ବର୍ଷ ତଳର। ଶ୍ରୀରାମାନୁଜ ୧୧୨୨ରୁ ୧୧୩୭ ମଧ୍ୟରେ ପୁରୀ ଆସିଥିଲେ ଏବଂ ରାମାନୁଜ ମଠର ଅୟମାରମ୍ଭ କରିଥିଲେ। ଅବଶ୍ୟ ଏବର ମଠ କଳେବରରେ ଅନେକ ପରିବର୍ତନ ଆସିଛି। ପୁରୀଠାରେ ଶ୍ରୀରାମାନୁଜ ଦୁଇଟି ମଠ ସ୍ଥାପନ କରିଥିଲେ। ଗୋଟିଏ ନିଜ ନାମରେ ଓ ଅନ୍ୟଟି ନିଜ ପ୍ରିୟ ଶିଷ୍ୟ ଗୋବିନ୍ଦଙ୍କ ନାମରେ ନାମିତ ହୋଇଥିଲା। ଏହା ମହାରାଜଙ୍କ ପୃ‌ଷ୍ଠପୋଷକତାରେ ହୋଇଥିବା ଜଣାଯା‌ଏ। ପ୍ରଥମଟି ପୁରୀ ବାସେଳିସାହିର ରାମାନୁଜକୋଟ ଓ ଅନ୍ୟଟି ସିଂହଦ୍ବାର ସମ୍ମୁଖରେ ସ୍ଥାପନ କରାଯାଇଥିଲା। ସିଂହଦ୍ବାର ସମ୍ମୁଖ ମଠରେ ଗୋବିନ୍ଦଙ୍କୁ ଅଧିଷ୍ଠିତ କରିଥିଲେ ବୋଲି ଉଲ୍ଲେଖ ରହିଛି। ସିଂହଦ୍ବାର ସମ୍ମୁଖ ଏମାର ମଠକୁ ଶ୍ରୀନିବାସ ରାମାନୁଜ ପ୍ରତିଷ୍ଠା କରିଥିବା କେହି କେହି କହୁଥିବା ବେଳେ ଆଉ କେହି ରାଜଗୋପାଳଚାରି ମଠ ବୋଲି କୁହନ୍ତି। ଏମାର ମଠର ବିଜେସ୍ଥଳୀରେ ଥିବା ମନ୍ଦିରରେ ଶ୍ରୀରଘୁନାଥ ଜିଉ ପୂଜା ପାଉଛନ୍ତି। ସେ ମଠର ମୁଖ୍ୟ ତଥା ଅଧିଷ୍ଠିତ ବିଗ୍ରହ ଅଟନ୍ତି। ଅନ୍ୟ ଦେବାଦେବୀଙ୍କ ମଧ୍ୟରେ ପତିତପାବନ (ଜଗନ୍ନାଥ), ଲକ୍ଷ୍ମଣ, ସୀତା, ହନୁମାନ, ନୃସିଂହ, ଶାଳଗ୍ରାମ ଆଦି ପୂଜା ପାଆନ୍ତି। ଅନ୍ୟ ଏକ କ୍ଷୁଦ୍ର ମନ୍ଦିରରେ ରାମାନୁଜଙ୍କ ମୂର୍ତି ପୂଜା ପାଉଛି। ଏମାର ମଠ ଅଧୀନସ୍ଥ ପ୍ରସିଦ୍ଧ ଦେଉଳି ମଠ କାକଟପୁର ମା’ ମନ୍ଦିର ନିକଟରେ ରହିଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ଦାରୁ ଚୟନ ସମୟରେ ଏଠାରେ ବନଜାଗ ନୀତି ସଂପନ୍ନ ହୋଇଥାଏ। ଦଇତାପତିମାନେ ଏଠାରେ ରହି ପୂଜାର୍ଚ୍ଚନା ପରେ ଦାରୁ ଅନ୍ବେଷଣରେ ବାହାରିଥାନ୍ତି।

Advertisment

publive-image

ଏଇଠୁ ମିଳିଥିଲା ୪ ଶହରୁ ଅଧିକ ରୁପା ଇଟା

ଏମାର ମଠ ଧନପ୍ରାଚୁର୍ଯ୍ୟରେ ଭରପୁର ଥିଲା। ଅତୀତରେ ଏହି ମଠରୁ ରୁପାଇଟା ଜବତ ଘଟଣାରୁ ଏହା ପ୍ରମାଣିତ। କିଛି ବର୍ଷ ତଳେ ଏମାର ମଠର ଏକ ଅନ୍ଧାର କୋଠରିରୁ ୪ ଶହରୁ ଅଧିକ ରୁପା ଇଟା ଜବତ କରାଯାଇଥିଲା। ସେବେଠୁ ମଠର ଅଧୋପତନ ଆରମ୍ଭ ହୋଇଥିଲା। ବିବାଦୀୟ ହୋଇ ପଡ଼ିଥିଲେ ମଠର ମହନ୍ତ ଓ କିଛି ସୁନା ଦୋକାନୀ। ଏ ନେଇ ଅନେକଙ୍କୁ ଜେଲ୍‌ ବି ଯିବାକୁ ପଡ଼ିଥିଲା। ଯେଉଁ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି। ୪ ଶହରୁ ଅଧିକ ରୁପାଇଟା ଜବତ ଘଟଣା କେବଳ ଓଡ଼ିଶା ନୁହେଁ, ପୂରା ଦେଶରେ ବି ଚହଳ ସୃଷ୍ଟି କରିଥିଲା। ସେ ସମୟରେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ଏହି ଘଟଣାକୁ ଚର୍ଚ୍ଚାର ଶିରୋନାମାରେ ରଖିଥିଲେ।

ଧନ, ଦାନ, କୀର୍ତ୍ତି...ସବୁଥିରେ ଆଗରେ

ଅତୀତରେ ଓଡ଼ିଶାର ସବୁଠୁ ଧନୀ ମଠ ଭାବେ ପରିଚିତ ଥିବା ଏମାର ମଠ ବିପତ୍ତି ସମୟରେ ଲୋକଙ୍କ ସହିତ ରହିଥିଲା। ଦୁଃଖୀରଙ୍କିଙ୍କ ପାଇଁ ଦୁଇଟି ଅନ୍ନଛତ୍ର ଖୋଲିଥିଲା, ଯାହା ରୀମା ଛତ୍ର ଓ ଏମାର ଛତ୍ର ନାମରେ ପରିଚିତ। ମହନ୍ତ ଗଦାଧର ରାମାନୁଜ ଦାସଙ୍କ ସମୟରେ ଓଡ଼ିଶାରେ ଦୁର୍ଭିକ୍ଷ ଦେଖା ଦେଇଥିଲା। ସେ ସମୟରେ ମଠରେ ଯେତେ ସବୁ ଧାନଚାଉଳ ଗଚ୍ଛିତ ଥିଲା, ତାହା ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କୁ ଦିଆଯାଇଥିଲା। ଅଚଳାଚଳ ସମ୍ପତ୍ତିର ମାଲିକ ଥିଲେ ଏଠାକାର ମହନ୍ତ। ସୁନାରୁପାର ଅମାର, ବିରାଟ ଧାନକୋଠି ଆଦି ଏଠାରେ ରହିଥିଲା। ଶ୍ରୀମନ୍ଦିର ପରିଚାଳନାରେ ବି ଏହି ମଠର ଅନେକ ଅବଦାନ ରହିଛି। ଅତୀତରେ ଶ୍ରୀମନ୍ଦିରରେ ଆର୍ଥିକ ସଂକଟ ସମୟରେ ସହଯୋଗର ହାତ ବଢ଼ାଇଥିଲା ଏହି ମଠ। ଶ୍ରୀକ୍ଷେତ୍ର ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କ୍ଷେତ୍ରରେ ଏହି ମଠ ଅନେକ ସହାୟତା ଦେଇଛି। ଲିଙ୍ଗରାଜ ମନ୍ଦିର ବିନ୍ଦୁସାଗର ପୁଷ୍କରିଣୀର ପୁନରୁଦ୍ଧାର, ଶ୍ରୀମନ୍ଦିର ମରାମତି ଓ ପରିଚାଳନା ପାଇଁ ମଠର ମହନ୍ତ ଗଦାଧର ରାମାନୁଜ ଦାସ ବହୁ ଅର୍ଥ ଦାନ କରିଥିଲେ। ୧୯୨୧ ମସିହାରେ ନରେନ୍ଦ୍ର ପୁଷ୍କରିଣୀ ପାଇଁ ୮୪ ହଜାର, ଶ୍ବେତଗଙ୍ଗା ପୁଷ୍କରିଣୀ ପାଇଁ ୨୫ ହଜାର, ଶ୍ରୀମନ୍ଦିର ପାଇଁ ୧୫ ହଜାର ଟଙ୍କା ସହାୟତା ଦେଇଥିଲେ।

ଗୁରୁଙ୍କ ନାମରେ ରଘୁନନ୍ଦନ ପାଠାଗାର

ମହନ୍ତ ଗଦାଧର ରାମାନୁଜ ଦାସଙ୍କ ଝାନ୍‌ସୀର ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଗୁରୁ ମହାରାଜ ରଘୁନନ୍ଦନ ରାମାନୁଜ ଦାସ ମହନ୍ତ ଗଦାଧରଙ୍କୁ ପିଲାଟି ଦିନରୁ ଆଣି ପୁରୀ ଏମାର ମଠରେ ରଖିଥି‌ଲେ। ଏଠାରେ ତାଙ୍କ ଶିକ୍ଷାଦାନ ଶେଷ ପରେ ସେ ମହନ୍ତ ମାନ୍ୟତା ପାଇଥିଲେ। ମହନ୍ତ ଗଦାଧର ରାମାନୁଜ ଦାସ ଥିଲେ ରାଜ୍ୟର ଏକ ପରିଚିତ ବ୍ୟକ୍ତିତ୍ବ। ଶ୍ରୀକ୍ଷେତ୍ର ତଥା ମଠ ସଂସ୍କୃତି ସଂସ୍କାରରେ ତାଙ୍କର ବହୁ ଅବଦାନ ରହିଛି। ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ମହନ୍ତ ଗଦାଧର ରଘୁନନ୍ଦନ ପାଠାଗାର ପ୍ରତିଷ୍ଠା କରିଥିଲେ। ଏହା ସହ ଦାତବ୍ୟ ଚିକିତ୍ସାଳୟ ଓ ଅନେକ ଶିକ୍ଷାନୁଷ୍ଠାନ ବି ଏମାର ମଠ ଜରିଆରେ ପ୍ରତିଷ୍ଠା କରାଯାଇଛି।

ମଠର ଆୟତନ ୪ ଏକର ୫୦୦ ଡେସିମିଲ୍‌, ଥିଲା ହଜାରେ ଏକର ଭୂସମ୍ପତ୍ତି

ଏମାର ମଠ ରାଜ୍ୟର ସବୁଠାରୁ ଧନୀ ମଠ ଭାବେ ପରିଗଣିତ ହେଉଥିବା ବେ‌ଳେ ଭୂସମ୍ପତ୍ତିରେ ଏହା ଆଗରେ ରହିଥିଲା। ରାଜ୍ୟର ବିଭିନ୍ନ ପ୍ରଗଣାରେ ଏହି ମଠ ନାଁରେ ହଜାରେ ଏକରରୁ ଅଧିକ ଭୂସମ୍ପତ୍ତି ରହିଥିଲା। କାଳକ୍ରମେ ଏହା ଜବରଦଖଲକୁ ଚାଲିଗଲାଣି। ପୁରୀ ସିଂହଦ୍ବାର ସମ୍ମୁଖ କାଳିକା ଦେବୀ ସାହି ମୌଜାରେ ପ୍ରାୟ ୪ ଏକର ୫୦୦ ଡେସିମିଲ୍ ଜାଗାରେ ଏହି ବୃହତ ମଠ ରହିଛି। ୪ ଏକର ୫୦୦ ଡେସିମିଲ୍ ପରିମିତ ଜାଗାରେ ମଠ ବିଜେସ୍ଥଳୀ, ବଲ୍ଲଭ ଘର, ‌ରୋଷଶାଳା, ମହନ୍ତ ନିବାସ, ମଠ କାର୍ଯ୍ୟାଳୟ, ରଘୁନନ୍ଦନ ପାଠାଗାର, ଧାନକୋଠି ଆଦି ରହିଥିଲା। ଯେଉଁ ଜାଗା ଖାଲି ରହିଥିଲା, କାଳକ୍ରମେ ଏହା ଜବରଦଖଲକୁ ଚାଲିଯାଇଛି।

ଶ୍ରୀମନ୍ଦିର ସହ ଜଡ଼ିତ ମଠ ପରମ୍ପରା

ଶ୍ରୀମନ୍ଦିରରେ ଚାମର ସେବା ବର୍ଷ ବର୍ଷ ହେଲା ଏମାର ମଠ ତୁଲାଇ ଆସୁଥିଲା। ମହାପ୍ରଭୁଙ୍କୁ ପନ୍ତିଭୋଗ ବି ମଠ ଲାଗି କରି ଆସୁଥିଲା। ଏହାସହ ଝୁଲଣ ଯାତ୍ରା ବହୁ ଜାକଜମକରେ ପାଳନ ହୋଇଥାଏ। ଶ୍ରୀକ୍ଷେତ୍ରରେ ଯେତେ ସବୁ ମଠ ରହିଛି ତନ୍ମଧ୍ୟରୁ ଏମାର ମଠରେ ଅଧିକ ଆଡ଼ମ୍ବର ସହକାରେ ଝୁଲଣ ଯାତ୍ରା ପାଳିତ ହୋଇଥାଏ। ଏହି ମଠ ମହାପ୍ରଭୁଙ୍କୁ ଚନ୍ଦ୍ରିକା ସହ ଅନ୍ୟାନ୍ୟ ପୂଜା ସାମଗ୍ରୀ କାହିଁ କେଉଁ କାଳରୁ ଯୋଗାଇ ଆସୁଛି।