ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ କଳା ଦିବସ ପାଳନ, ଜରୁରୀକାଳୀନ ପରିସ୍ଥିତିକୁ ଭୁଲି ହେବନାହିଁ : ଧର୍ମେନ୍ଦ୍ର

ଭୁବନେଶ୍ୱର : ୧୯୭୫ ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ କେବେ ଭୁଲି‌ହେବନି କି କ୍ଷମା କରି ହେବନାହିଁ। ରାଜ୍ୟ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ‘ଜରୁରୀକାଳୀନ ପରିସ୍ଥିତି’ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ସେ କହିଲେ ଯେ ମାତୃଭୂମିର ସ୍ୱାଧୀନତା ପାଇଁ ଶହ ଶହ ସଂଗ୍ରାମୀ, ବୀର ସୈନିକ ବ୍ରିଟିସ୍ ବିରୋଧରେ ଲଢ଼ି ନିଜର ବଳିଦାନ ଦେଇ ଦେଶକୁ ସ୍ୱାଧୀନତା ଦେଇଥିଲେ। କିନ୍ତୁ ୪୬ ବର୍ଷ ପୂର୍ବେ ଆଜିର ଦିନରେ ସେତେବେଳର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରର ହତ୍ୟା କରିଥିଲେ । ସେହି ସମୟରେ ଦେଶର ନେତା, ଛାତ୍ରଛାତ୍ରୀ, ଗଣମାଧ୍ୟମ ଏବଂ ସାଧାରଣ ଜନତାଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ଆମକୁ ସର୍ବଦା ସ୍ମରଣୀୟ ରଖିବା ପାଇଁ ହେବ। ସେ କହିଥିଲେ ଯେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଇନ୍ଦିରା ଗାନ୍ଧୀ ଦେଶରେ ଏକଛତ୍ରବାଦ ଶାସନ କରିଥିଲେ। ଲୋକଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଥିବା ଆସ୍ଥା ଅତ୍ୟାଚାରରେ ପରିଣତ ହୋଇଥିଲା। ପ୍ରଜାତନ୍ତ୍ରରେ ସମାଲୋଚନା ଓ ତର୍କବିତର୍କ ହେବ। ଅନ୍ୟ ମତକୁ ଯଥାର୍ଥତା ଦେବା ହେଉଛି ଗଣତନ୍ତ୍ରର ମୂଲ୍ୟବୋଧ। ଆମକୁ ମଧ୍ୟ ଆଗାମୀ ଦିନରେ ଗଣତନ୍ତ୍ରର ନିଷ୍ପତ୍ତିକୁ ମୁଣ୍ଡ ପାତି ସ୍ୱୀକାର କରିବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଏହି ଦିବସକୁ ବିଜେପି ପକ୍ଷରୁ କଳା ଦିବସ ଭାବେ ପାଳନ କରାଯାଇଛି। ସମସ୍ତ ଜିଲ୍ଲା ଓ ରାଜ୍ୟ ସ୍ତରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଳା ଦିବସ ପାଳନ କରାଯିବା ସହ ମିଶା ବନ୍ଦୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମକୁ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସଂଯୋଜନା କରିଥିଲେ। ଏହି ଜିଲ୍ଲାସ୍ତରୀୟ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କଟକ ନଗରରେ ରାଜ୍ୟ ସଭାପତି ସମୀର ମହାନ୍ତି, କଳାହାଣ୍ଡିରେ ସାଂସଦ ବସନ୍ତ ପଣ୍ଡା, ମୟୂରଭଞ୍ଜ(ବାରିପଦା), ବାଲେଶ୍ୱର ଓ ଗଞ୍ଜାମରେ ସୁରେଶ ପୂଜାରୀ, ଖୋର୍ଦ୍ଧାରେ ଅପରାଜିତା ଷଡ଼ଙ୍ଗୀ, ରାଉକେଲା(ପାନପୋଷ) ଓ କୋରାପୁଟରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୟୂରଭଞ୍ଜ(ରାଇରଙ୍ଗପୁର)ରେ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରମୁଖ ଯୋଗ ଦେଇ ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ନିଜ ନିଜ ମତ ରଖିଥିଲେ।

ସମ୍ବନ୍ଧିତ ଖବର