ବିଶିଷ୍ଟ ଶିକ୍ଷାବିତ୍ ଡ. ଅକ୍ଷୟ କୁମାର ନନ୍ଦଙ୍କ ପରଲୋକ

ଭବାନୀପାଟଣା/କେସିଙ୍ଗା : ବିଶିଷ୍ଟ ଶିକ୍ଷାବିତ୍‌ ତଥା ରାଜେନ୍ଦ୍ର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ନନ୍ଦଙ୍କ ରବିବାର ପରଲୋକ ହୋଇଛି। ସକାଳ ସାଢ଼େ ୧୧ଟାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ତାଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ତାଙ୍କ ମରଶରୀରକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳପଡ଼ିଆରେ ଥିବା ତାଙ୍କ ବାସଭବନକୁ ଅଣାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ତାଙ୍କ ଛାତ୍ରମାନେ ଶେଷଦର୍ଶନ କରିଥିଲେ। ସଦର ଥାନା ନିକଟରେ ଥିବା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବାବେଳେ ଭାଇ ଅନୀଲ କୁମାର ନନ୍ଦ ମୁଖାଗ୍ନି ଦେଇଥିଲେ। ତାଙ୍କ ଶବାଧାରରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ପଞ୍ଚାୟତର ଧନେର ଗ୍ରାମର ମୂଳନିବାସୀ ଡ.ଅକ୍ଷୟ ନନ୍ଦ ୧୯୪୫ ମସିହା ମେ ୫ ତାରିଖ ଭବାନୀପାଟଣାରେ ବାପା ଶଶିଭୂଷଣ ନନ୍ଦ ଓ ମା ଇନ୍ଦ୍ରମଣି ଦେବୀଙ୍କ କୋଳ ମଣ୍ଡନ କରିଥିଲେ। ସେ ଭବାନୀପାଟଣା ବ୍ରଜମୋହନ ହାଇସ୍କୁଲ୍‌ରେ ମାଟ୍ରିକ୍‌ ପାସ୍‌ କରିଥିଲେ। ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ୧୯୭୮ ମସିହାରେ ବଲାଙ୍ଗୀରର ରାଜେନ୍ଦ୍ର ମହାବିଦ୍ୟାଳୟରେ ନିଜର ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ। ୨୦୦୩ ମସିହାରେ ସେହି କଲେଜରୁ ଅଧ୍ୟକ୍ଷ ଭାବେ ଅବସର ନେଇଥିଲେ। ଏହାସହିତ ଡ. ନନ୍ଦ ଭବାନୀପାଟଣା, ଅନୁଗୁଳ କଲେଜରେ ମଧ୍ୟ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟାପନା କରିଥିଲେ। ସେ ଜେନେଟିକ ମୁଟେସନ ଉପରେ ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ। ତାଙ୍କ ପୁଅ ଅନୁପମ ନନ୍ଦଙ୍କ ୨୦୧୭ ମସିହାରେ ଦେହାନ୍ତ ହୋଇଥିଲା। ଏଥିଯୋଗୁଁ ସେ ପତ୍ନୀ ସୁନୀତି ନନ୍ଦ ଓ ଝିଅ ଅପରାଜିତାଙ୍କ ସହିତ ଭବାନୀପାଟଣା ବାସଭବନରେ ରହୁଥିଲେ।

ଡ. ନନ୍ଦ କଳାହାଣ୍ଡିରେ ମେଡ଼ିକାଲ କଲେଜ ଆନ୍ଦୋଳନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଯେତେବେଳେ ସର୍ଦ୍ଦାର ମେଡିକାଲ କଲେଜ ବନ୍ଦ ହୋଇଥିଲା, ସେହି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ ୨୧ ଦିନରୁ ଅଧିକ ଆନ୍ଦୋଳନ କରି ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ପରେ ଏନେଇ ସରକାର ପଦକ୍ଷେପ ନେଇ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କଲେଜରେ ନାମ ଲେଖାଇବାକୁ ଅନୁମତି ଦେଇଥିଲେ। ସେହିଭଳି ନିର୍ମାଣ ଚାଲିଥିବା ମେଡିକାଲ କଲେଜ ପାଇଁ ତାଙ୍କ ସଂଘର୍ଷ ଅତୁଳନୀୟ। ବିଶେଷକରି, ଜିଲ୍ଲାର ଅଧିକାଂଶ ରାଜନେତା ତାଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷରେ ଛାତ୍ର ହୋଇଥିବାରୁ ତାଙ୍କ କଥା ରହୁଥିଲା। ଏମିତିକି ଜିଲ୍ଲାର ବିକାଶ ପାଇଁ ତାଙ୍କ ସହ ସେ ଆଲୋଚନା କରିବା ସହ ଅଧିକାରର ସହିତ ତାଗିଦ୍ ବି କରୁଥିଲେ। ଛାତ୍ରଛାତ୍ରୀ ପ୍ରିୟ ସାର ଡ. ନନ୍ଦଙ୍କୁ ସବୁ ଦଳର ଲୋକେ ସମ୍ମାନ ଦେଉଥିଲେ।  ଛାତ୍ରବତ୍ସଳ ଥିବାରୁ ଏବେ ବି ଜିଲ୍ଲାର ଅଧିକାଂଶ ଛାତ୍ର ସମ୍ମାନ କରୁଥିଲେ। ଜିଲ୍ଲାରେ କିଛି ଅସୁବିଧା ହେଉ, ଶିକ୍ଷା ବିଭାଗରେ କିଛି ଅବ୍ୟବସ୍ଥା ହେଉ, ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସଚିବ, ମନ୍ତ୍ରୀ ଯାଏ ସମସ୍ତଙ୍କୁ ଚିଠି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରୁଥିଲେ। ବ୍ୟକ୍ତିଗତ ଭାବରେ ଫୋନ୍‌ ମଧ୍ୟ କରୁଥିଲେ। ଗଣମାଧ୍ୟମ ଉଠାଉଥିବା ବିଭିନ୍ନ ପ୍ରସଙ୍ଗରେ ନିଜ ମତ ରଖି ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। ଭୁଲ ଥିଲେ ଯିଏ ହେଉନା କାହିଁକି ସମାଲୋଚନା ମଧ୍ୟ କରୁଥିଲେ।

ଡ. ନନ୍ଦଙ୍କ ରଚିତ ଉଦ୍ଭିଦ ବିଜ୍ଞାନ ପୁସ୍ତକ ଯୁକ୍ତ ଦୁଇ ଶ୍ରେଣୀ ଛାତ୍ର ମହଲରେ ବିଶେଷ ଆଦୃତ ହୋଇଥିଲା। ଏହାସହିତ ତାଙ୍କର ୪ଟି ବହି ପାଠ୍ୟକ୍ରମରେ ପ୍ରଚଳିତ ହୋଇଛି। ଆନ୍ତର୍ଜାତୀୟ ଉଦ୍ଭିଦ ବିଜ୍ଞାନ ଜର୍ଣ୍ଣାଲରେ ତାଙ୍କ ଲେଖା ପ୍ରକାଶ ପାଉଥିଲା। ଡ. ନନ୍ଦ ଓଡ଼ିଶା ବଟାନିକାଲ ସୋସାଇଟି ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କର ଅବର୍ତ୍ତମାନରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର