ଭୁବନେଶ୍ବର : ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ପ୍ରଫେସର ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ ୭୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଗତ କିଛିଦିନ ହେଲା ସେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତକାଲି ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା ଏବଂ ତାଙ୍କର ଦେହାନ୍ତ ଘଟିଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅନେକ ତାଙ୍କର ଅନେକ ଛାତ୍ର, ବରିଷ୍ଠ କଥାକାର, ଲେଖକ ଓ ବୁଦ୍ଧିଜୀବୀ ଶୋକ ପ୍ରକାଶ କରିଛନ୍ତି।

Advertisment

୨୦୦୭ରୁ ୨୦୦୯ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ପ୍ରଫେସର ପଟ୍ଟନାୟକ ଅନେକ ପିଏଚ୍‌ଡି ସ୍କଲାର୍‌ଙ୍କ ମାର୍ଗଦର୍ଶକ ଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ୧୭ଜଣ ପିଏଚ୍‌ଡି ଡିଗ୍ରିପ୍ରାପ୍ତ ତାଙ୍କ ତତ୍ତ୍ବାବଧାନରେ ବିଭିନ୍ନ ବିଷୟରେ ଗବେଷଣା କରୁଥିଲେ। ପ୍ରଫେସର୍ ପଟ୍ଟନାୟକ ୧୯୬୩ରେ ଓଡ଼ିଶା ଶିକ୍ଷା ସେବାରେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ୨୦୦୦ ମସିହାରେ ଇଂରାଜୀର ପ୍ରାଧ୍ୟାପକ ତଥା ରାଜ୍ୟ ଚୟନକର୍ତ୍ତା ବୋର୍ଡର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ଅବସର ପରେ ସେ ବିଭିନ୍ନ ବିଶ୍ବବିଦ୍ୟାଳୟର ପରିଦର୍ଶକ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ଚାକିରି ଜୀବନ ସମୟରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶନୀ ‘ଓଡ଼ିଶା ରିଭ୍ୟୁ’ର ସଂପାଦକ ଭାବେ ୬ ବର୍ଷ କାର୍ଯ୍ୟ କରିଥିଲେ। ସେ ପ୍ରସିଦ୍ଧ ଋଷୀୟ ଲେଖକ ଲିଓ ଟଲଷ୍ଟୟଙ୍କ ଜୀବନୀ ଓ ତାଙ୍କ କାର୍ଯ୍ୟଧାରା ଉପରେ ଗବେଷଣା କରି ଏକ ପୁସ୍ତକ ମଧ୍ୟ ରଚନା କରିଥିଲେ। ଯେଉଁଥିପାଇଁ ସେ ୧୯୮୭ରେ ସୋଭିଏତ୍-ଲ୍ୟାଣ୍ଡ୍ ନେହରୁ ପୁରସ୍କାର ପାଇଥିଲେ।

ତାଙ୍କ ଦ୍ବାରା ରଚିତ ବହୁ ପୁସ୍ତକ ଉଚ୍ଚମାନର ଗବେଷଣାଧର୍ମୀ ପ୍ରକାଶନୀ ଭାବେ ଆଦୃତ। ପ୍ରଫେସର ପଟ୍ଟନାୟକ ସାମ୍ପ୍ରତିକ ପାଶ୍ଚାତ୍ୟ ସମାଲୋଚନା ତତ୍ତ୍ବ, ଓଡ଼ିଆ ଉପନ୍ୟାସ: ଆରମ୍ଭରୁ ଆଜିଯାଏଁ, ଗ୍ରୋଥ୍ ଅଫ୍ ଦ ଓଡ଼ିଆ ନୋବେଲ, ଫକୀର ମୋହନ ସେନାପତି: ପାରାଗନ୍ ଅଫ୍ ଓଡ଼ିଆ ଆଇଡେଣ୍ଟିଟି, ବହୁତ ଦିନ ତଳେ ଆଦି ପ୍ରମୁଖ ପୁସ୍ତକ ଖୁବ୍ ଲୋକଦୃତ ହୋଇଛି।