ବିଶିଷ୍ଟ ଶିଳ୍ପପତି ହିମାଂଶୁ ଦାସଙ୍କ ପରଲୋକ

ଶିକ୍ଷା ଓ ଶିଳ୍ପ ସମୂହର ପ୍ରତିଷ୍ଠାତା ଥିଲେ, ଜଣେ ମୁରବିଙ୍କୁ ହରାଇଲେ ବାଲେଶ୍ବରବାସୀ

ବାଲେଶ୍ବର : ବାଲେଶ୍ବରର ବିଶିଷ୍ଟ ଶିଳ୍ପପତି ତଥା ବିଭିନ୍ନ ଅନୁଷ୍ଠାନର ପୃଷ୍ଠପୋଷକ ହିମାଂଶୁ ଦାସ(୭୬)ଙ୍କ ପରଲୋକ। ଶ୍ରୀ ଦାସ କିଛିଦିନ ହେଲା ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ଥିଲେ। ରବିବାର ଅପରାହ୍ନରେ ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଫକୀରମୋହନ ମେଡିକାଲ କଲେଜ ହସ୍‌ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଥିବା ବେଳେ ରାତି ୧୧ଟା ୪୦ ମିନିଟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି।

ଶ୍ରୀ ଦାସ ବାଲେଶ୍ବର ଜିଲ୍ଲା ତଥା ଓଡ଼ିଶାର ଶିଳ୍ପ ଜଗତରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଜଣେ ବିଶିଷ୍ଟ ସମାଜସେବୀ ଭାବେ ଜଣାଶୁଣା ଥିଲେ। ହରି ପ୍ଲାଷ୍ଟ, ହରି ମେରାଇନ୍, ହରି ମୋଟର୍ସ, ଓଡ଼ିଶା ରବର ଓ ମଡର୍ଣ୍ଣ ପବ୍ଲିକ ସ୍କୁଲର ସେ ପ୍ରତିଷ୍ଠାତା ଥିଲେ। ବାଲେଶ୍ବର ଆର୍ଟ କଲେଜ, ବାଲେଶ୍ବର ଲ’ କଲେଜ ଆଦି ଅନୁଷ୍ଠାନ ପ୍ରତିଷ୍ଠା ହେବାରେ ତାଙ୍କର ଅବଦାନ ରହିଥିଲା। ଏଥିସହ ବାଲେଶ୍ବର ଶିଳ୍ପ ଓ ବଣିକ ସଂଘ, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଆଲୁମ୍‌ନି ସଂଘର ସଭାପତି ଦାୟିତ୍ବ ତୁଲାଉଥିଲେ। ବାଲେଶ୍ବର ସହର ଉପକଣ୍ଠରେ ଥିବା ନୋସି ବିଜ୍‌ନେସ୍‌ ପାର୍କ ପ୍ରତିଷ୍ଠାରେ ମଧ୍ୟ ସେ ବିଶେଷ ଭୂମିକା ନିର୍ବାହ କରିଥିଲେ। ବାଲେଶ୍ବର ସହରର ବିକାଶ ସହିତ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହି ଶିକ୍ଷା, ସଂସ୍କୃତି, ସାହିତ୍ୟ ଓ କଳାର ବିକାଶ ପାଇଁ ଉଦ୍ୟମ ଜାରି ରଖିଥିଲେ। ଜଣେ ଜନଦରଦୀ ଓ ଅମାୟିକ ବ୍ୟକ୍ତିତ୍ବ ଥିଲେ ଶ୍ରୀ ଦାସ। ସାଧାରଣ ଲୋକଙ୍କ ସୁଖଦୁଃଖରେ ସାମିଲ ହେଉଥିଲେ।

ତାଙ୍କର ଅକାଳ ବିୟୋଗ ସମଗ୍ର ବାଲେଶ୍ବର ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗ ଖବର ପାଇ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର