ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର ଦାଶଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଦେବେନ୍ଦ୍ର କୁମାର ଦାଶ(୬୮)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ୩ ଦିନ ତଳେ ପେଟରେ ଗଭୀର ଯନ୍ତ୍ରଣା ଅନୁଭବ କରିବାରୁ ପରିବାରଲୋକ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ପୂର୍ବାହ୍ନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ପୁଅ ଶ୍ରୀୟାଂଶୁ ଦାଶ, ସାନ ଭାଇ ରାଜେନ୍ଦ୍ର ଦାଶ, ସଚ୍ଚୀନ୍ଦ୍ର ଦାଶ ଓ ସମୁଦି ନୃସିଂହ ଦାଶଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଭୁବନେଶ୍ବରସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ବନ୍ଧୁ, ପରିଜନ ଶେଷ ଦର୍ଶନ କରିବା ପରେ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ଶ୍ରୀୟାଂଶୁ ମୁଖାଗ୍ନି ଦେଇଥିଲେ।

୧୯୫୪ ଜୁଲାଇ ୨୮ରେ ଜଗତ୍‍ସିଂହପୁର ଜିଲ୍ଲା ମାଛଗାଁ ନିକଟବର୍ତ୍ତୀ ବୀରନରସିଂହପୁର ଶାସନରେ ଜନ୍ମିତ ଦେବେନ୍ଦ୍ର ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଓଚିଣ୍ଡା ଉଚ୍ଚବିଦ୍ୟାଳୟରୁ ହାଇସ୍କୁଲ, ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ସ୍ନାତକ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ। ପରେ ସେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅଧ୍ୟାପନାରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଦୀର୍ଘ ୩୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ବିଭିନ୍ନ ମହାବିଦ୍ୟାଳୟରେ ଶିକ୍ଷାଦାନ ପରେ ଭୁବନେଶ୍ବର କମଳା ନେହେରୁ ମହାବିଦ୍ୟାଳୟରୁ ସେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗବେଷଣା ଓ ଅଧ୍ୟୟନ ପାଇଁ ସଂପୂର୍ଣ୍ଣ ସମୟ ଦେବା। ସେ ଜଣେ ଆତ୍ମପ୍ରଚାର ବିମୁଖ, ନିରଳସ ସାରସ୍ୱତ ସାଧକ ଭାବରେ ନିରୁତା ସାହିତ୍ୟ କର୍ମ ପାଇଁ ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାର କରିପାରିଥିଲେ। ସାହିତ୍ୟ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ପାଇଁ ୨୦୨୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଲୋଚନା ସାହିତ୍ୟରେ ସେନାପତି ବୋଲି ତାଙ୍କୁ କୁହାଯାଉଥିଲା।

‘ସମ୍ବାଦ’-‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ସାହିତ୍ୟକୋଷ’ର ସେ ଅନ୍ୟତମ ସଂପାଦକ ଥିଲେ। ସେ ଜୀବନ କାଳରେ ଯେଉଁ ସବୁ କାମ କରି ଯାଇଛନ୍ତି, ତାହା ଗୁଣାତ୍ମକ ଓ ଗବେଷଣାତ୍ମକ ଦୃଷ୍ଟିରୁ ଅନନ୍ୟ। ‘ସାହିତ୍ୟକୋଷ’ରେ ଥିବା ତାଙ୍କ ସଂପର୍କିତ ଲେଖାରେ କୁହାଯାଇଛି, ବିଂଶ ଶତାବ୍ଦୀର ସପ୍ତମ ଦଶନ୍ଧିରୁ, ମୌଳିକ, ଓଡ଼ିଆ ପ୍ରବନ୍ଧ ଓ ଓଡ଼ିଆ ସାହିତ୍ୟ ସମାଲୋଚନା ଏବଂ ପତ୍ର ପତ୍ରିକା ସମ୍ପାଦନା ସହିତ ଆଧୁନିକ ସାହିତ୍ୟର ଅପବାଦମୁକ୍ତ କାଳ ନିରୂପଣ, ବ୍ୟାଖ୍ୟ‌ା ଓ ସାହିତ୍ୟମାନଙ୍କର ଜୀବନ ଚରିତ ନିର୍ମାଣରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ। ତାଙ୍କର ପ୍ରାୟ ଅର୍ଦ୍ଧ ଶତାବ୍ଦୀର ସାହିତ୍ୟ ସାଧନାରେ ଓଡ଼ିଆ ସାହିତ୍ୟ ବହୁ ଭାବରେ ପୁଷ୍ଟ ହୋଇଛି। ରାଧାନାଥ ରାୟ ଓ ନଗେନ୍ଦ୍ରବାଳାଙ୍କ ସମ୍ପର୍କ ସମ୍ବନ୍ଧିତ ପ୍ରାମାଣିକତା ଦର୍ଶାଇବାରେ ସେ ଥିଲେ ପ୍ରଥମ ଗବେଷକ। ନଗେନ୍ଦ୍ରବାଳାଙ୍କ ଲିଖିତ ‘ଅମିୟଗାଥା’ ଓ ‘ବଜ୍ରଗାଥା’ ପୁସ୍ତକରେ ରାଧାନାଥ ଲେଖିଥିବା ମୁଖବନ୍ଧ ହିସାବରେ ସେ ସେହି ସମ୍ପର୍କକୁ ପ୍ରମାଣିକ ଭାବେ ପ୍ରତିପାଦନ କରିଥିଲେ। ନନ୍ଦକିଶୋର ବଳ ଓ ଗଙ୍ଗାଧର ମେହେରଙ୍କ କବିକୀର୍ତ୍ତି ଦର୍ଶାଇବାକୁ ଗୋଟିଏ ‘ଫୁଲ ଫୁଟିବାର କାହାଣୀ‘ ଓ ‘ଗଙ୍ଗାଧର: କବିତା ଓ କବିଆତ୍ମା’ ପୁସ୍ତକଦ୍ବୟ ରଚନ‌ା କରିଥ‌ିଲେ। ସେହିଭଳି ଅନେକ ଇଂରାଜୀ ପ୍ରବନ୍ଧ ଓ ପୁସ୍ତକ ମଧ୍ୟ ସେ ଆଚାର୍ଯ୍ୟ ଭାବାନନ୍ଦ ଓ ଦୀପ୍ତିରଞ୍ଜନ ପଟ୍ଟନାୟକ ପ୍ରମୁଖଙ୍କ ସହ ମିଶି ରଚନା କରିଛନ୍ତି। ସେହିଭଳି ବାହାର ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କୁ ‘ଲକ୍ଷ୍ମୀପୁରାଣ’ ଆଦିର ଆଲୋଚନାରେ ସହାୟତା କରିଛନ୍ତି। ସେ ଓଡ଼ିଶା ସାହିତ୍ୟର ଅନେକ ଐତିହାସିକ ତ୍ରୁଟିର ସଂଶୋଧନ କରି ଆମର ଅଶେଷ କଲ୍ୟାଣ ସାଧନ କରିଛନ୍ତି। ‘ଉତ୍କଳ ସମ୍ମିଳନୀ, ୧୮୦୩-୧୯୩୬ ମଧ୍ୟ ତାଙ୍କର ଏକ ଉଲ୍ଲେଖନୀୟ ଗ୍ରନ୍ଥ। ସେହିଭଳି ସଦ୍ୟତମ ଫକୀରମୋହନ ସେନାପତିଙ୍କ ଗଳ୍ପ ସମଗ୍ରରେ ମଧ୍ୟ ସେ ପଚାଶ ପୃଷ୍ଠାର ଉପାଦେୟ ମୁଖବନ୍ଧ ଲେଖିଛନ୍ତି।

ସ୍ୱର୍ଗତ ଦାଶଙ୍କ ସମ୍ପାଦନାରେ ରାଧାନାଥ, ଫକୀରମୋହନ, ଗୋପବନ୍ଧୁ ଓ ମଧୁସୂଦନ ଗ୍ରନ୍ଥାବଳୀ ପ୍ରକାଶ ପାଇଥିଲା। ରାମକୃଷ୍ଣ କାବ୍ୟ ସଂଗ୍ରହ ମଧ୍ୟ ସେ ସମ୍ପାଦନା କରିଥିଲେ। ଜଣେ କୃତବିଦ୍ୟ ଗବେଷକ ଭାବରେ ତାଙ୍କର ସୁନାମ ରହିଥିଲା। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ସଭାପତି ହୃଷୀକେଶ ମଲ୍ଲିକ, ଉପସଭାପତି ସଂଗ୍ରାମ ଜେନା, ସଚିବ ପ୍ରବୋଧ ରାଉତ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହାକ ବିଜୟାନନ୍ଦ ସିଂହ, ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାନସଭା ସଚିବ ଦାଶରଥି ଶତପଥୀ, ନିରଞ୍ଜନ ପଣ୍ଡା, ବୈରାଗୀ ଚରଣ ରାଉତ, ବାଲିକୁଦା ପିପୁଲ୍ସ ଆସୋସିଏସନ୍‌ର ସଭାପତି ପ୍ରମୋଦ ବିଶ୍ବାଳ, ସଂପାଦକ ପ୍ରଫେସର୍‌ ଜ୍ୟୋତିରଂଜନ ଦାସ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର