ବିଶିଷ୍ଟ ସାହିତ୍ୟିକ ଇନ୍ଦୁଭୂଷଣ କରଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଚିବ ଇନ୍ଦୁଭୂଷଣ କରଙ୍କର ଆଜି ଅପରାହ୍‌ଣ ୨ଟାରେ ତାଙ୍କ ଭୁବନେଶ୍ବର ସ୍ଥିତ ବିବେକାନନ୍ଦ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକ ପ୍ରକାଶ ପାଇଥିବାବେଳେ ତାଙ୍କ ଜନ୍ମମାଟି ବାଲେଶ୍ବରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ଇନ୍ଦୁଭୂଷଣ ୧୯୩୫ ମସିହା ମାର୍ଚ୍ଚ ୧୨ ତାରିଖରେ ବାଲେଶ୍ବର ଜିଲ୍ଲାସ୍ଥିତ ଭୋଗରାଇ ବ୍ଲକ୍‌ର ଚଣ୍ଡୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ଥିଲେ ପ୍ରଖ୍ୟାତ ଲେଖକ ସ୍ବର୍ଗତ ମନୋଜ ଦାସଙ୍କ ବାଲ୍ୟବନ୍ଧୁ। ୧୯୫୭ରେ ଫକୀରମୋହନ କଲେଜରେ ବିଏ ପଢ଼ୁଥିବାବେଳେ ସେ ଛାତ୍ରସଂସଦର ସଭାପତି ନିର୍ବାଚିତ ହୋଇଥି‌ଲେ। ୧୯୫୯ ମସିହାରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ୧୯୬୦ରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଜଣେ ଅଧିକାରୀ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଛାତ୍ର ଜୀବନରୁ ସାହିତ୍ୟ ରଚନାରେ ବ୍ରତୀ ଥିବା ଶ୍ରୀ କରଙ୍କର ପ୍ରଥମ କବିତା ସଂକଳନା ‘ନିଃସଙ୍ଗ ଆକାଶ’ ୧୯୭୬ରେ ପ୍ରକାଶ ପାଇଥିଲା। ଏହା ବ୍ୟତୀତ ସେ ‘ସାହିତ୍ୟ, ସମାଜ ଓ ସଂସ୍କୃତି’, ‘ଆଶାର ଆଲୋକ’, ‘ଶବ୍ଦର ଆକାଶ’, ‘ଯାଇପାରେ କାହିଁକି ଯିବି?’ ଓ ‘ଉଲଙ୍ଗରାଜା’ ଆଦି ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ। ବିଭିନ୍ନ ପଦପଦବିରେ ଦକ୍ଷତାର ସହ କାର୍ଯ୍ୟ କରିଥିବା ଶ୍ରୀ କର ସାହିତ୍ୟ ଏକାଡେମିର ସଚିବ ଭାବେ ୧୯୯୦ରୁ ୧୯୯୪ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରି ନିଜର ସାରସ୍ବତ ପରାକାଷ୍ଠା ଓ ପ୍ରଶାସନିକ ଦକ୍ଷତାର ପରି‌ଚୟ ଦେଇଥିଲେ। ଅନେକ ପ୍ରବନ୍ଧ, କବିତା ଓ ନାଟକ ରଚନା ସହିତ ଜଣେ ସୁଦକ୍ଷ ଓ କୁଶଳୀ ଅନୁବାଦକ ଓ ବିଭିନ୍ନ ପତ୍ରପତ୍ରିକ‌ାର ସଂପାଦକ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା। ବାଲେଶ୍ବରର ସୌଖୀନ ନାଟ୍ୟସଂସ୍ଥା ‘ସ୍ରଷ୍ଟା’ର ସେ ଥିଲେ ପ୍ରତିଷ୍ଠାତା ଓ ପରାମର୍ଶଦ‌ାତା। ଏସବୁର ଊର୍ଦ୍ଧ୍ବରେ ନିଜର ଅମାୟିକ ବ୍ୟବହାର ଓ ଲୋକସଂପର୍କ ପାଇଁ ‌ସେ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ।

ତାଙ୍କ ବିୟୋଗରେ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ, ଉପସଭାପତି ସଂଗ୍ରାମ ଜେନା, ସଚିବ ପ୍ରବୋଧ ରାଉତ, ବିଶିଷ୍ଟ କଥାକାର ଗୌରହରି ଦାସ, ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର