ଓଡ଼ିଆ ସାହିତ୍ୟରେ ଯୁଗାବସାନ: ମହାଯାତ୍ରାରେ ମନୋଜ ଦାସ

ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ଆଖି ବୁଜିଲେ

ଭୁବନେଶ୍ବର : ଭାରତୀୟ କଥା ସାହିତ୍ୟର ଶିଖର ପୁରୁଷ, ଆଧୁନିକ ବିଷ୍ଣୁଶର୍ମା, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ, ଶ୍ରୀଅରବିନ୍ଦ ଦର୍ଶନର ବିଦ୍ବାନ ଭାଷ୍ୟକାର ପଦ୍ମଭୂଷଣ ମନୋଜ ଦାସ ଆଉ ନାହାନ୍ତି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗ ସାଂଗକୁ କର୍କଟରେ ପୀଡ଼ିତ ହେବା ପରେ ଆଜି ରାତି ପ୍ରାୟ ୮ଟାବେଳେ ସେ ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ କଥା ସାହିତ୍ୟ ଜଗତରେ ଏକ ଯୁଗର ଅବସାନ ଘଟିଛି। କିଶୋରଠାରୁ ତରୁଣ ଏବଂ ଯୁବକଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସେ ଥି‌େଲ ସବୁ ବର୍ଗର କୋଟିକୋଟି ପାଠକଙ୍କ ହୃଦୟର ପ୍ରିୟ କଥାକାର। ସମ୍ଭବତଃ ଭାରତୀୟ ସାହିତ୍ୟ ଜଗତର ଏକମାତ୍ର ପ୍ରଜ୍ଞାପୁରୁଷ ଭାବେ ସେ ଥିଲେ ତିନି ପିଢ଼ିର ଶିକ୍ଷକ, ଅଭିଭାବକ ଓ ଦିଗଦର୍ଶକ। ତେଣୁ ତାଙ୍କର ମହାପ୍ରସ୍ଥାନ ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶ ତଥା ଓଡ଼ିଶାର ସାହିତ୍ୟ, ସଂସ୍କୃତି ଜଗତରେ ଶୋକର ଛାୟା‌ ଖେଳି ଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

୧୯୬୩ ମସିହାରୁ ଶ୍ରୀଅରବିନ୍ଦ ଦର୍ଶନରେ ଅନୁପ୍ରାଣିତ ହୋଇ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆଶ୍ରମରେ ଜଣେ ସାଧକର ଜୀବନ ଅତିବାହିତ କରୁଥିବା ଶ୍ରୀ ଦାସ ପ୍ରାୟ ୧୦ ବର୍ଷ ତଳେ ଅସୁସ୍ଥ ହୋଇ ପଡ଼ି‌ଥିଲେ। ୨୦୧୨ରେ ତାଙ୍କର ପ୍ରୋଷ୍ଟେଟ୍ ଗ୍ଲାଣ୍ଡ ଅପରେସନ୍ ବେଳେ କର୍କଟର ସନ୍ଧାନ ମିଳିଥିଲା। ତେବେ ନିୟମିତ ଭାବେ ଚିକିତ୍ସା ଭିତରେ ଥାଇ ମଧ୍ୟ ସେ ତାଙ୍କ ସାହିତ୍ୟ ସାଧନା ଓ ‌ଗବେଷଣା ଜାରି ରଖିଥିଲେ। କିନ୍ତୁ ୨୦୧୮ରେ ଦୀର୍ଘ ଅସୁସ୍ଥତା ପରେ ତାଙ୍କ ପତ୍ନୀ ପ୍ରତିଜ୍ଞା ଦେବୀଙ୍କର ପରଲୋକ ହୋଇଯିବା ପରେ କର୍କଟର ନିୟମିତ ଚିକିତ୍ସାରେ କିଛିଟା ବାଧା ସୃଷ୍ଟି ‌ହୋଇଥିଲା। ଗତବର୍ଷ ତାଙ୍କ ଅସୁସ୍ଥତା ବେଶ୍ ବଢ଼ି ଯାଇଥିଲା ଏବଂ ତାଙ୍କୁ ପ୍ରଥମେ ଆଶ୍ରମ ଚିକିତ୍ସାଳୟ ଏବଂ ପରେ ପଣ୍ଡିଚେରୀସ୍ଥିତ ଜିପମାର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀଦଳ ତାଙ୍କ ଚିକିତ୍ସା କରିବା ପରେ ଅବସ୍ଥାରେ କିଛିଟା ସୁଧାର ଆସିଥିଲା। ପରେ ତାଙ୍କୁ ପୁଣିଥରେ ଆଶ୍ରମ ଚିକିତ୍ସାଳୟକୁ ଫେରାଇ ଅଣାଯାଇଥିଲା। ମାତ୍ର ଆଜି ସକାଳେ ସେ ପୁଣିଥରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଅକ୍ସିଜେନ ଦିଆଯିବା ସହ ଜିପମାର ଡାକ୍ତରମାନଙ୍କ ସହ ଯୋଗା‌େଯାଗ କରାଯାଇଥିଲା। ମାତ୍ର ଡାକ୍ତରମାନଙ୍କ ସବୁ ଚେଷ୍ଟା ସତ୍ତ୍ବେ ସନ୍ଧ୍ୟାରେ ସେ ସବୁଦିନ ପାଇଁ ଆରପାରିକୁ ବାହୁଡ଼ି ଯାଇଥିଲେ।

୧୯୩୪ ଫେବ୍ରୁଆରି ୨୭ ତାରିଖରେ ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ୍ ସ୍ଥିତ ଶଙ୍ଖାରୀ ଗ୍ରାମରେ ପିତା ମଧୁସୂଦନ ଦାସ ଓ ମାତା କାଦମ୍ବିନୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ମନୋଜ। ପିଲାବେଳରୁ ପ୍ରଚଣ୍ଡ ପ୍ରତିଭାବାନ ମନୋଜ କବିତା ଲେଖିବା ଆରମ୍ଭ କରି ଦେଇଥିଲେ। ସେ ହାଇସ୍କୁଲରେ ପଢ଼ିଲାବେଳେ ‌ହିଁ ୧୯୪୯‌ ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ‘ଶତାବ୍ଦୀର ଆର୍ତ୍ତନାଦ’ ପ୍ରକାଶ ପାଇଥିଲା। ଏହାର ବର୍ଷକ ପରେ ନବମ ଶ୍ରେଣୀରେ ପଢ଼ିଲାବେଳେ ସେ ‘ଦିଗନ୍ତ’ ନାମକ ଏକ ସାହିତ୍ୟ ପତ୍ରିକା‌ର ସଂପାଦକ ହୋଇ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ଜମାଳପୁର ଓ ଜଳେଶ୍ବରପୁର ସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ସେ ବାଲେଶ୍ବର ଜିଲ୍ଲା ସ୍କୁଲରେ ଭର୍ତ୍ତି ହେବା ପରେ ବଡ଼ ଭାଇ ପ୍ରଫେସର ମନ୍ମଥନାଥ ଦାସଙ୍କ ସହିତ ବାଲେଶ୍ବର ସହରର ମଲ୍ଲିକାଶପୁର ସ୍ଥିତ ଫକୀରମୋହନଙ୍କ ପୁରୁଣା ଘରେ ରହିଥିଲେ। ୧୯୫୧ରେ ସେ କଲେଜରେ ପାଦ ଦେବା ବର୍ଷ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇ ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ‌ସେହି ତରୁଣ ବୟସରେ ହିଁ ଜଣେ ପ୍ରଚଣ୍ଡ ପ୍ରତିଭାବାନ ଗାଳ୍ପିକ ଭାବେ ତାଙ୍କ ନାଁ ଓଡ଼ିଶାର ଆଗଧାଡ଼ିର ପ୍ରତିଷ୍ଠିତ କଥାକାରମାନଙ୍କ ସହିତ ନିଆଯିବା ଆରମ୍ଭ ହୋଇ ଯାଇଥିଲା।

ତେବେ କେବଳ ସାହିତ୍ୟ ରଚନା କ୍ଷେତ୍ରରେ ନୁହେଁ, ଫକୀରମୋହନ କଲେଜରେ ପଢ଼ିଲା ବେଳେ ସେ ବାମପନ୍ଥୀ ବିଚାରଧାରା ପ୍ରତି ଆକୃଷ୍ଟ ହେବା ସହ ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ ଏବଂ କଲେଜ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଥିଲେ। ଅଳ୍ପଦିନ ଭିତରେ ଜଣେ ବିପ୍ଳବୀ ଛାତ୍ର ନେତା ଭାବେ ତାଙ୍କର ଲୋକପ୍ରିୟତା ଏତେ ବଢ଼ିଗଲା ଯେ କଟକ କଲେଜରେ ପଢ଼ିଲା ବେଳେ ସେ ଭାରତୀୟ ଛାତ୍ର ସଂଘର ରାଜ୍ୟ ସଭାପତି ମନୋନୀତ ହେଲେ। ଛାତ୍ର ଆନ୍ଦୋଳନରେ ନେତୃତ୍ବ ନେବା ଯୋଗୁଁ ସେତେବେଳେ ତାଙ୍କୁ ବେଶ୍ କିଛି କାଳ ଜେଲ୍‌ରେ ମଧ୍ୟ କଟାଇବାକୁ ପଡ଼ିଥିଲା। ୧୯୫୯ରେ ସେ ଇଣ୍ଡୋନେସିଆର ବାଂଦୁଂଠାରେ ହୋଇଥିବା ଆଫ୍ରୋଏସୀୟ ଛାତ୍ର ସମ୍ମିଳନୀରେ ଭାରତର ପ୍ରତିନିଧି ଭାବେ ଯୋଗ ଦେଇଥିଲେ ଏବଂ ସେଠାରେ ଏକ ହୋଟେଲରେ ଅବସ୍ଥାନ ସମୟରେ ଅଳ୍ପକେ ଏକ ଉଗ୍ରବାଦୀ ଅାକ୍ରମଣରୁ ବର୍ତ୍ତି ଯାଇଥିଲେ। କଲେଜରେ ପଢ଼ିଲା ବେଳେ ସେ ପ୍ରଥମ ଉପନ୍ୟାସ ‘ଜୀବନର ସ୍ବାଦ’, ଦ୍ବିତୀୟ ଗଳ୍ପ ସଂକଳନ ‘ବିଷକନ୍ୟାର କାହାଣୀ’ ଓ ଦ୍ବିତୀୟ କବିତା ସଂକଳନ ‘ପଦଧ୍ବନି’ ରଚନା କରିଥିଲେ। ୧୯୫୫ରେ ସେ ସାମନ୍ତ ଚନ୍ଦ୍ରଶେଖର କଲେଜ ପୁରୀରେ ସ୍ନାତକ ଏବଂ ପରେ ରେଭେନ୍ସା କଲେଜରୁ ଇଂରାଜୀ ସାହିତ୍ୟରେ ସ୍ନା‌ତକୋତ୍ତର ଶେଷ କରିବା ପରେ କଟକର ଖ୍ରୀଷ୍ଟ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଏହି ସମୟରେ କୁଜଙ୍ଗର ତତ୍କାଳୀନ ଜମିଦାର ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନାରାୟଣ ବୀରବର ସାମନ୍ତ ଓ ରତ୍ନମାଳି ଜେମାଙ୍କ କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା।

ତେବେ ଅଧ୍ୟାପନା ତାଙ୍କୁ ବେଶିଦିନ ଧରି ବାନ୍ଧି ରଖି ପାରିନଥିଲା। ବାମପନ୍ଥୀ ଆଦର୍ଶରୁ ସେ କ୍ରମଶଃ ଶ୍ରୀଅରିବନ୍ଦ ଦର୍ଶନ ପ୍ରତି ଆକୃଷ୍ଟ ହୋଇଥିଲେ। ୧୯୬୩ ମସିହାରେ ସେ ଅଧ୍ୟାପନା ଛାଡ଼ି ସବୁଦିନ ପାଇଁ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆଶ୍ରମକୁ ଚାଲି ଯାଇଥିଲେ ଏବଂ ସେଠାରେ ଆଧ୍ୟାତ୍ମିକ ସାଧନା ଓ ସାରସ୍ବତ ସାଧନା ଜାରି ରଖିବା ସହିତ ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଇଂରାଜୀ ଭାଷା ସାହିତ୍ୟର ପ୍ରାଧ୍ୟା‌ପକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୭୧ ମସିହାରେ ସେ ଲଣ୍ଡନର ଏଡିନବରାରେ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଶ୍ରୀଅରବିନ୍ଦଙ୍କ ନେତୃତ୍ବରେ ହୋଇଥିବା ଭାରତୀୟ ସ୍ବାଧୀନତା ସଂଗ୍ରାମ ଉପରେ ଗବେଷଣା କରିଥିଲେ।

ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ଶ୍ରୀ ଦାସ ତାଙ୍କର ଦୀର୍ଘ ସାରସ୍ବତ ଜୀବନରେ ଅନେକ କାଳଜୟୀ ଉପନ୍ୟାସ, ଗଳ୍ପ ସଂକଳନ ଲେଖି ବିଶ୍ବବ୍ୟାପି ସୁନାମ ସାଉଁଟିବା ସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। କଥା ସାହିତ୍ୟରେ ‘ସମୁଦ୍ରର କ୍ଷୁଧା’ରୁ ସୃଜନଯାତ୍ରା ଆରମ୍ଭ କରିଥିବା ଶ୍ରୀ ଦାସଙ୍କ ଶେଷ ଉପନ୍ୟାସ ଥିଲା ‘ଶେଷ ତାନ୍ତ୍ରିକର ସନ୍ଧାନରେ’ ଯାହା ‘କଥା’ରେ ଧାରାବାହିକ ଭାବେ ପ୍ରକାଶ ପାଉଥିଲା। ୨୦୨୦ ଫେବ୍ରୁଆରି ମାସରେ ‌ସେ ଶେଷଥର ପାଇଁ ଭୁପନେଶ୍ବରରେ ଅନୁଷ୍ଠିତ ଏକ ସାହିତ୍ୟ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ।

ପୁରସ୍କାର ଓ ସମ୍ମାନ
ପଦ୍ମଭୂଷଣ, ପଦ୍ମଶ୍ରୀ, ସରସ୍ବତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଅକାଦମି ଫେଲୋସିପ୍, ଶାରଳା ପୁରସ୍କାର, ସାହିତ୍ୟ ଭାରତୀ, ବିଷୁବ ପୁରସ୍କାର, ଉତ୍କଳ ରତ୍ନ, କେନ୍ଦ୍ର ସାହିତ୍ୟ ଅକାଦମି ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଶେଷକୃତ୍ୟରେ ଯୋଗ ଦେବେ ସଂସ୍କୃତି ମନ୍ତ୍ରୀ
ବିଶିଷ୍ଟ ସାରସ୍ବତ ସାଧକ ମନୋଜ ଦାସଙ୍କ ଶେଷକୃତ୍ୟ ପଣ୍ଡିଚେରୀରେ କରାଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପଣ୍ଡିଚେରୀ ସରକାରଙ୍କୁ ଅନୁରୋଧ କରାଯାଇଛି। ଶେଷକୃତ୍ୟ ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁଡ଼ୁଚେରୀ ଉପରାଜ୍ୟପାଳଙ୍କ ସହ କଥା ହୋଇ ସ୍ବର୍ଗତ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବା ପାଇଁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର