ପରଲୋକରେ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକ

ବାରିପଦା/ଭୁବନେଶ୍ବର : ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କର ଗୁରୁବାର ଦିନ ୮୧ ବର୍ଷ ବୟସରେ ହୃଦ୍‌ଘାତରେ ବାରିପଦା ବଡ଼ବଜାରସ୍ଥିତ ବାସଗୃହରେ ଦେହାନ୍ତ ହୋଇଯାଇଛି। ଶ୍ରୀ ପଟ୍ଟନାୟକ ଥିଲେ ଜଣେ ଉଚ୍ଚକୋଟିର ସଙ୍ଗୀତ ନିର୍ଦେଶକ ତଥା ଗୀତିକାର। ସେ ରାଜ୍ୟ ସରକାରଙ୍କ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟ କରି ବାଲେଶ୍ୱରରୁ ଅବସର ଗ୍ରହଣ କରିଥିଲେ। ଚାକିରି ସହ ଦୀର୍ଘ ୪ ଦଶନ୍ଧି ଧରି ତାଙ୍କର ସଙ୍ଗୀତ ସାଧନା ଜାରି ରହିଥିଲା।

୧୯୪୦ ଜୁନ୍‌ ୨ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ପିଲାଟି ବେଳରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଓ ବଡ଼ ଭଉଣୀ କବିତା ପଟ୍ଟନାୟକଙ୍କ ପାଖରୁ ହାର୍‌ମୋନିୟମ ଧରି ଗୀତ ଶିଖୁଥିଲେ। ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ତାଙ୍କୁ ସଙ୍ଗୀତ ପ୍ରତି ପ୍ରଭାବିତ କରିଥିଲା। ତାଙ୍କ ନିର୍ଦ୍ଦେଶିତ ଗୀତ ସ୍ବରରେ ଏ ସବୁର ପ୍ରଭାବ ଦେଖିବାକୁ ମିଳେ। ୧୯୫୮-୫୯ ମସିହାରେ ତାଙ୍କ ସ୍ବର ସଂଯୋଜନାରେ ଆକାଶବାଣୀରେ ବାଜୁଥିଲା ଅନେକ ସମଧୁର ଗୀତ। ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ବନିଯାଇଥିଲେ। ୧୯୭୭ ମସିହାରେ ‘ଅଭିମାନ’ ଚଳଚ୍ଚିତ୍ରରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଜୀବନ ଆରମ୍ଭ ହୋଇଥିଲା। ଏଥିରେ ତାଙ୍କୁ ସୁଯୋଗ ଦେଇଥିଲେ ପ୍ରଯୋଜକ ଗଣେଶ ଚନ୍ଦ୍ର ଜିଉ। ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଆଉ ‘ଅଭିମାନ’ର ପ୍ରତିଟି ଗୀତ ସୁପରହିଟ୍‌ ହୋଇଥିଲା। ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ଅନେକ କାଳଜୟୀ ସଙ୍ଗୀତର ସ୍ବର ସଂଯୋଜନା ଓ ନିର୍ଦ୍ଦେଶନା ଧାରା।

ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ବହୁ ଲୋକପ୍ରିୟ ଗୀତର ନିର୍ଦ୍ଦେଶନା ଓ ସ୍ୱର ସଂଯୋଜନା କରିଥିଲେ ସରୋଜ। ଏଇ ଯେ ବନଲତା ପାହାଡ଼, ତୋ ବିନା ଲାଗେନା ଭଲ କିଛି, ଏଇ ଝୁମା ଝୁମା ଗୋଲାପୀ ବେଳାରେ, ଭସା ମେଘ ମୁଁ ଯେ ଭାସିଯାଏ ଦୂରେ, ଏଇ ମନକୁ ଭୁଲାଇ ରଖିଥିଲି ସଜାଇ, ଚୁପି ଚୁପି ଗୋରୀ କାନେ କହି ଯାଏ ମହୁରୀ, ଚିକ ମିକିଆ ଯଉବନ ଜହ୍ନ ରାତି ଆଦି କାଳଜୟୀ ସଙ୍ଗୀତ ଶ୍ରୋତାଙ୍କୁ ମତୁଆଲା କରିଥିଲା। ଅମ୍ବିକା ମା, ରସିଆ ଠାକୁର, ଅଧର୍ମେ ନୌକା ବୁଡିଯିବ କିରେ ଆଦି ଭଜନର ନିର୍ଦେଶନା ଦେବା ସହ ‘ବକୁଳ ଫୁଲ ଝୁମର କ୍ୟାସେଟ୍‌ର ମଧ୍ୟ ନିର୍ଦେଶନା ଦେଇଥିଲେ। ୧୯୮୨ର ମୁକ୍ତିଲାଭ କରିଥିବା ଅଭିଳାଷ ସିନେମାର ଗୀତ ଝୁମା ଝୁମା ଗୋଲାପୀ ବେଳାରେ..ର ସ୍ବର ସଂଯୋଜନା କରିଥିଲେ ସରୋଜ। ଆଉ ଏହାକୁ ଗାଇଥିଲେ ବଲିଉଡ୍‌ର ଲୋକପ୍ରିୟ ଗାୟକ ହରିହର ଓ ଗାୟତ୍ରୀ ମୁଖାର୍ଜୀ। ଏଥିସହ ବଲିଉଡ୍ ଗାୟିକା ୟଲ୍‌କା ୟାଗନିକ୍‌, ଅନୁରାଧା ପଢ଼ୁଆଲଙ୍କ ଭଳି ଅଗଧାଡ଼ିର ଗାୟିକା ମଧ୍ୟ ତାଙ୍କ ନିର୍ଦ୍ଦେଶନାରେ ଗୀତ ଗାଇଥିଲେ। ଚଳଚ୍ଚିତ୍ର ସହ ବିଭିନ୍ନ ନାଟକ, ଟିଭି ସିରିଏଲ, ଚଳଚ୍ଚିତ୍ର, ଟେଲିଫିଲ୍ମ ଆଦିରେ ନିଜର ସଙ୍ଗୀତର ଯାଦୁ ଦେଖାଇଥିଲେ ସରୋଜ। ‘ଫୁଲ ଚନ୍ଦନ’ ତାଙ୍କ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାତେଇଥିଲା। ସେ ୩ଟି ଚଳଚ୍ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ‘ଫୁଲ ଚନ୍ଦନ’, ‘ଅଭିଳାଷ’ ଓ ‘ଭିନ୍ନ ସମୟ’ ଆଦି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାତେଇଥିଲେ।

ସରୋଜ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାର ଲୋକସଙ୍ଗୀତ ‘ଝୁମର୍‌’ର ପ୍ରଚାରପ୍ରସାର ଓ ବିକାଶ ପାଇଁ ବହୁ କାମ କରିଛନ୍ତି। ଏଥିସହ ସେ ଜଣେ ଭଲ ଗୀତିକାର ମଧ୍ୟ ଥିଲେ। ଅକ୍ଷୟ ମହାନ୍ତିଙ୍କ ଗୀତ ‘ମନରେ କିନ୍ତୁ ରଖି ଭଲ ପାଅନା…, ଦୂର ବିଦେଶରେ ମନେ ପଡ଼େ ସେ… ’ ଆଦି ଚିରସବୁଜ ଗୀତର ଗୀତିକାର ଥିଲେ ସ୍ବର୍ଗତ ପଟ୍ଟନାୟକ। ଏଥିସହ ଅଲ୍‌ ଇଣ୍ଡିଆ ରେଡିଓର ସେ ଥିଲେ ସ୍ବୀକୃତପ୍ରାପ୍ତ ଗୀତିକାର। ବିଶିଷ୍ଟ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି, ସିକନ୍ଦର ଆଲମ୍‌ ଓ ପ୍ରଣବ ପଟ୍ଟନାୟକଙ୍କ ପାଇଁ ସେ ଅନେକ ଗୀତ ରଚନା କରିଥିବା ବେଳେ ଅନେକ ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବିଶିଷ୍ଟ ସଙ୍ଗୀତଜ୍ଞ ହରିହରନଙ୍କୁ ପ୍ରଥମଥର ଓଡ଼ିଆ ସିନେମାକୁ ଆଣି ଚିରସବୁଜ ସଙ୍ଗୀତ ଏଇ ଝୁମାଝୁମା ଗୋଲାପି ବେଳାରେ… ବୋଲାଇଥିଲେ ସ୍ବର୍ଗତ ପଟ୍ଟନାୟକ। ‘ହାକିମ ବାବୁ’ ଚଳଚ୍ଚିତ୍ରର ସଙ୍ଗୀତର ସଫଳତା ତାଙ୍କ ପାଇଁ ଭିନ୍ନ ଏକ ସଫଳତାର ଅଧ୍ୟାୟ ସୃଷ୍ଟି କରିଥିଲା। ୨୦୧୦ରେ ସେ ନିଜର ଶେଷ ଚଳଚ୍ଚିତ୍ର ‘ତୁମେ ହିଁ ସାଥୀ ମୋର’ରେ ଶାନ୍ତନୁ ମହାପାତ୍ର, ବାସୁଦେବ ରଥଙ୍କ ସହ ମିଶି ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ। ‘ମୋ ମନ ଖାଲି ତୋରି ପାଇଁ’ ଓ ‘ଝିଅଟି ସୀତା ପରି’ ଆଦି ଚଳଚ୍ଚିତ୍ର ତାଙ୍କର ଅନ୍ୟତମ ସଫଳ ଚଳଚ୍ଚିତ୍ର। ଏଥିସହ ସେ ବିଭିନ୍ନ କଳାତ୍ମକ ଚଳଚ୍ଚିତ୍ରରେ ଭିନ୍ନ ଶୈଳୀର ସଙ୍ଗୀତ ଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଅଧିକ ଋଦ୍ଧିମନ୍ତ କରିଯାଇଛନ୍ତି।

ସେ ଜନ୍ମମାଟିକୁ ବହୁତ ଭଲ ପାଉଥିଲେ। ଆଉ ଖାସ୍‌ ସେଥିପାଇଁ ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରୁ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଅନେକ ସୁଯୋଗ ମିଳିଥିଲେ ବି ସେ କେବେ ବାରିପଦା ମାଟିକୁ ଛାଡ଼ିନଥିଲେ। ବାରିପଦାରେ ରହି ହିଁ ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଆଉ ଆଜି ସେଇ ବାରିପଦାରେ ହିଁ ରାତି ପ୍ରାୟ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ପ୍ରଥମ ପତ୍ନୀଙ୍କ ଆଡ଼ୁ ୩ ପୁଅ ଗୋଟିଏ ଝିଅ ଓ ଦ୍ବିତୀୟ ପତ୍ନୀଙ୍କ ଆଡ଼ୁ ୨ ଝିଅ ଅଛନ୍ତି। ସରୋଜଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ ପାଇଁ ବାରିପଦାସ୍ଥିତ ବାସଭବନରେ ଉପସ୍ଥିତ ଥିଲେ। ଆସନ୍ତାକାଲି ବାରିପଦା ବାରୁଣୀଘାଟ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା କରାଯିବ।

ସମ୍ବନ୍ଧିତ ଖବର