ସମ୍ବଲପୁର: ବିଶିଷ୍ଟ ଦର୍ଶନଶାସ୍ତ୍ରବିତ୍, ପ୍ରାବନ୍ଧିକ ତଥା ସୁବକ୍ତା ସୁଦର୍ଶନ ପୂଜାରୀଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ହୃଦ୍ଘାତରେ ପରଲୋକ ହୋଇଛି। ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ଅନୁଭବ କରିବାରୁ ଗତକାଲି ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତି ଗୋଟାଏ ସମୟରେ ସେଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଆଜି ତାଙ୍କ ପାର୍ଥିବ ଶରୀରକୁ ସମ୍ବଲପୁର ଗୋବିନ୍ଦତୋଲାସ୍ଥିତ ବାସଭବନକୁ ଅଣାଯାଇଥିଲା। ଶେଷଶଯ୍ୟା ନିକଟରେ ବଡ଼ଭାଇ ପଞ୍ଚାନନ ପୂଜାରୀ, ପତ୍ନୀ ଶାନ୍ତା ପୂଜାରୀ, ଦୁଇଝିଅ ଜିଜ୍ଞାସା ଓ ଡ.ଜିଗୀଷା, ନାତୁଣୀ ବାଗ୍ମୀବରେଣ୍ୟା ଏବଂ ଆତ୍ମୀୟ ପରିଜନ ଉପସ୍ଥିତ ଥିଲେ। ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଡ.ପୂଜାରୀଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ଥାନୀୟ ରାଜଘାଟଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସାନଝିଅ ଜିଗୀଷା ମୁଖାଗ୍ନି ଦେଇଥିଲେ।
ବରଗଡ଼ ଜିଲ୍ଲା ଲୁପୁରସିଂହା ଗ୍ରାମର ମୂଳନିବାସୀ ସ୍ବର୍ଗତ ପୂଜାରୀ ରେମଣ୍ଡା ସ୍କୁଲରୁ ପ୍ରାଥମିକ ଶିକ୍ଷା ଗ୍ରହଣ ପରେ ବରଗଡ଼ ଜର୍ଜ ହାଇସ୍କୁଲରୁ କୃତିତ୍ବର ସହିତ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ବରଗଡ଼ ପଞ୍ଚାୟତ କଲେଜରୁ ଟି.ୟୁ. ଏବଂ ସମ୍ବଲପୁର ଜିଏମ୍ କଲେଜରୁ ସ୍ନାତକ, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୧୯୭୩ରେ ଅନୁଗୁଳ ଜିଲ୍ଲା ତାଳଚେର କଲେଜରୁ ଅଧ୍ୟାପନା ଜୀବନ ଆରମ୍ଭ କରି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା କଲେଜ, ଝାରସୁଗୁଡ଼ାର ଏଲଏନ୍ କଲେଜରେ ଅଧ୍ୟାପନା କରିଥିଲେ। ପରେ ବରଗଡ଼ ଜିଲ୍ଲା ଅତାବିରା କଲେଜର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଥିଲେ ଏବଂ ବରଗଡ଼ ପାର୍ବତୀ ଗିରି ମହିଳା କଲେଜରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ସ୍ବର୍ଗତ ପୂଜାରୀ ବିଭିନ୍ନ ସମୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିନେଟ୍ ଏବଂ ସିଣ୍ଡିକେଟ୍କୁ ନିର୍ବାଚିତ ହୋଇଥିଲେ। ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜ ତଥା ଓଡ଼ିଶା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ୍ ଓ ଅନ୍ୟାନ୍ୟ କମିଟିର ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
ସେ ମଧ୍ୟ ଶିକ୍ଷା ବିକାଶ ସମିତି, ଓଡ଼ିଶା (ପଶ୍ଚିମ ପ୍ରାନ୍ତ)ର ସଭାପତି ରହିବା ସହ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କାଉନ୍ସିଲ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏକାଡେମିକ୍ ମେମ୍ବର ଦାୟିତ୍ୱରେ ରହିଥିଲେ। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ରାଜ୍ୟ ଓ ଜାତୀୟସ୍ତରର ଦର୍ଶନଶାସ୍ତ୍ର ସଂଗଠନମାନଙ୍କ ପକ୍ଷରୁ ଅନେକବାର ସମ୍ମାନିତ ହୋଇଛନ୍ତି। ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ପବ୍ଲିକ୍ ଲାଇବ୍ରେରି, ଭାରତ ବିକାଶ ପରିଷଦ, ‘ସେତୁ’, ଭାରତୀୟ ଶିକ୍ଷଣ ମଣ୍ଡଳ, ସମ୍ବଲପୁରୀ ଭାଷା ପରିଷଦ ପ୍ରଭୃତି ଅନେକ ଅନୁଷ୍ଠାନର ପଦପଦବିରେ ରହିଥିଲେ। ତାଙ୍କ ସମ୍ପାଦନାରେ ଅନେକ ସଂକଳନ, ପତ୍ରିକା ଓ ପୁସ୍ତକ ପ୍ରକାଶ ପାଇଛି। ତାଙ୍କ ରଚିତ କବିତା ସଂକଳନ ‘ଜୀବନ ଚିତ୍ର’ ଓ ପ୍ରବନ୍ଧ ସଂକଳନ ‘ଆମେ ଆଗେଇବା ଓ ଅନ୍ୟାନ୍ୟ’ ବେଶ୍ ପାଠକାଦୃତ ହୋଇଥିଲା। ଡ.ଏପିଜେ କଲାମ ରାଷ୍ଟ୍ରପତି ଥିବା ସମୟରେ ତାଙ୍କୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ କରାଯାଇଥିଲା। ଦେହାନ୍ତ ଖବର ପାଇବା ପରେ ଆଜି ରାଉରକେଲା, କୁଚିଣ୍ଡା, ଝାରସୁଗୁଡ଼ା, ବରଗଡ଼ର ବିଭିନ୍ନ କଲେଜ, ବିଭିନ୍ନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା, ଅଧ୍ୟାପକ, ଅଧ୍ୟାପିକାମାନେ ଆସି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/29/9mfpuiPrG4kJqUuBRdyw.jpg)