ବିଶିଷ୍ଟ ଚିକିତ୍ସକ ଡା. ରାଜେନ୍ଦ୍ର ପ୍ରଧାନଙ୍କ ପରଲୋକ

ବୀରମହାରାଜପୁର : ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ଚିକିତ୍ସିକ ତଥା ସମାଜସେବୀ ଡା. ରାଜେନ୍ଦ୍ର ପ୍ରଧାନ (୮୧ବର୍ଷ)ଙ୍କ ଶୁକ୍ରବାର ପରଲୋକ ଘଟିଛି। ସ୍ବର୍ଗତ ପ୍ରଧାନ ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ୍‌ରେ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ବୁର୍ଲା ମେଡିକାଲ କଲେଜରୁ ୧୯୭୦ ମସିହାରେ ଡାକ୍ତରୀ ଶିକ୍ଷା ଶେଷ କରିଥିଲେ ମଧ୍ୟ ସରକାରୀ ଚାକିରିରେ ଯୋଗଦାନ ନକରି ଘରୋଇ ଭାବରେ ଚିକିତ୍ସା କରି ଜନ ସାଧାରଣଙ୍କୁ ସେବା ଯୋଗାଇ ଦେଉଥିଲେ।

ଡା. ପ୍ରଧାନ ୧୯୭୪ରେ ବୀରମହାରାଜପୁରକୁ ଆସି ନିଜର ଏକ କ୍ଲିନିକ୍‌ ଖୋଲି ଚିକିତ୍ସା ସେବା ଆରମ୍ଭ କରିଥିଲେ। ଏହା ସହିତ ସେ ୧୯୮୧ରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସହିତ ଜଡ଼ିତ ଥିଲେ। ସେ ବୀରମହାରାଜପୁର ହାଇସ୍କୁଲ ସଭାପତି ରହିବା ସହ ବୀରମହାରାଜପୁର ପଞ୍ଚାୟତ ସମିତି ହାଇସ୍କୁଲରେ ଗଭର୍ଣ୍ଣିଂ ବଡି ସଦସ୍ୟ ରହିଥିଲେ। ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା ସଦସ୍ୟ ଓ ପୂଜା କମିଟି ସଦସ୍ୟ ବି ରହିଥିଲେ। ଶେଷ ସମୟରେ ତାଙ୍କ ପତ୍ନୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସାହୁ ଦୁଇ ଝିଅ ଈଶାନୀ, ଶିବାନୀ ଓ ଏକମାତ୍ର ପୁଅ ବ୍ରତିନ ଉପସ୍ଥିତ ଥିଲେ। ସ୍ବର୍ଗତ ପ୍ରଧାନଙ୍କ ଆଣ୍ଠୁରେ ଯନ୍ତ୍ରଣା ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କ ଅସ୍ତ୍ରୋପଚାର ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କର ଅନ୍ତିମ ସଂସ୍କାର ପଣ୍ଡାପାଲି ସ୍ବର୍ଗଦ୍ବାରଠାରେ ସମ୍ପନ୍ନ ହୋଇଛି। ପୁଅ ବ୍ରତିନ ମୁଖାଗ୍ନି ଦେଇଥିଲେ।

ଅନ୍ତିମ ସଂସ୍କାରରେ ବୀରମହାରାଜପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ବରିଷ୍ଠ ଆଇନଜୀବୀ ତଥା ପୂର୍ବ ମନ୍ତ୍ରୀ କାର୍ତ୍ତିକ ପ୍ରସାଦ ତରିଆ, ବୀରମହାରାଜପୁର ମହାବିଦ୍ୟାଳୟର ପୂର୍ବ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ ରଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଶତପଥୀ, ପ୍ରତ୍ୟୁଷ ଶତପଥୀଙ୍କ ସମେତ ତାଙ୍କର ଦୁଇ ଭାଇ ସୁବାସ, ରମେଶ ଓ ଦୁଇ ଜ୍ବାଇଁ ମଧ୍ୟ ସାମିଲ ହୋଇଥିଲେ। ସ୍ବର୍ଗତ ପ୍ରଧାନଙ୍କ ବିୟୋଗରେ ସମଗ୍ର ବୀରମହାରାଜପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଶନିବାର ନନ୍ଦିଘୋଷ ଆଧ୍ୟାତ୍ମିକ ପରିଷଦରର ସଭାପତି ଯୁଗଳ କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ୨୭ ତାରିଖ ସନ୍ଧ୍ୟାରେ ଦିଲ୍ଲୀପ ତ୍ରିପାଠୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦକ ଦ୍ବିତୀ କୃଷ୍ଣ ପଣ୍ଡା ଓ ବରିଷ୍ଠ ଉପଦେଷ୍ଟା ଦିଲ୍ଲୀପ ତ୍ରିପାଠୀ, ସତ୍ୟ ନାରାୟଣ ଚାନ୍ଦ, ଗିରିଧାରୀ ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର