ବିଶିଷ୍ଟ ସାହିତ୍ୟିକ ରାହାସ ରାୟଙ୍କ ପରଲୋକ

କଟକ : ବିଶିଷ୍ଟ ନାଟ୍ୟକାର, ପ୍ରବୀଣ ସାରସ୍ବତ ସାଧକ ରାହାସ ରାୟଙ୍କର ଶୁକ୍ରବାର ଅପରାହ୍‌ଣ ୪ଟା ୨୫ ମିନିଟ୍‌ରେ କଟକ ଏସ୍‌ସିବି ମେଡିକାଲରେ ପରଲୋକ ଘଟିଛି। କିଛିଦିନ ତଳେ ଖଟରୁ ପଡ଼ିଯିବାରୁ ତାଙ୍କ ଅଣ୍ଟା ହାଡ଼ ଭାଙ୍ଗି ଯାଇଥିଲା। ପରିବାର ପକ୍ଷରୁ ତାଙ୍କୁ ବଡ଼ ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତରେ ତାଙ୍କର ପର‌ଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ହୋଇଥିଲା। ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ଫ୍ରେଣ୍ଡସ୍‌ କଲୋନିସ୍ଥିତ ବାସଭବନକୁ ନିଆଯାଇଥିଲା। ଅନ୍ତିମ ଶଯ୍ୟା ନିଟକରେ ପୁଅ ବିକ୍ରମାଦିତ୍ୟ ରାୟ, ଶିଳାଦିତ୍ୟ ରାୟ, ଝିଅ ଲାବଣ୍ୟବତୀ ଦେବତା, ବୋହୂ ଲକ୍ଷ୍ମୀ ରାୟ, ଦୀପ୍ତି ରାୟ, ପୁତୁରା ନିହାର ରଞ୍ଜନ ରାୟ, ପୁତୁରା ବୋହୂ ଅର୍ଚ୍ଚନା ରାୟ, ନାତି ଚିନ୍ମୟ ରାୟ, ଶ୍ରୀମୟ ରାୟଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ‌ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଖାନନଗର ସ୍ବର୍ଗଧାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ପୁଅ ବିକ୍ରମାଦିତ୍ୟ ମୁଖାଗ୍ନି ଦେଇଥିଲେ।

ଶ୍ରୀ ରାୟ ୧୯୩୨ ଜୁନ୍ ୧୫ରେ ଜଗତସିଂହପୁର ଜିଲ୍ଲା ତ‌ିର୍ତ୍ତୋଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ସାହିତ୍ୟ ଓ ନାଟକ ପ୍ରତି ତାଙ୍କର ଗଭୀର ଅନୁରାଗ ଥିଲା। କଲେଜର ପଢ଼ିବା ବେଳେ ତାଙ୍କର ପ୍ରଥମ କବିତା ‘ଶିଶୁ’ର ଆବିର୍ଭାବ ପ୍ରକାଶ ପାଇଥିଲା। ଛାତ୍ରଜୀବନରେ ଆକାଶବାଣୀର ଖୋଲାମଞ୍ଚରେ ‘ସୁନା ପିଲା’ ଥିଲା ତାଙ୍କ ପ୍ରଥମ ନାଟକ। ରାଜ୍ୟ ସରକାରଙ୍କ ମତ୍ସ୍ୟ ନି‌ର୍ଦ୍ଦେଶାଳୟରେ ସୂଚନା ଅଧିକାରୀ ଭାବେ ବୃତ୍ତିଗତ ଚାକିରି କରିଥ‌ିଲେ ମଧ୍ୟ ସାରସ୍ବତ ସାଧନା ଥିଲା ତାଙ୍କ ପ୍ରବୃ୍ତ୍ତି। ପରବର୍ତ୍ତି କାଳରେ ସେ ମନୋଜ ଦାସଙ୍କ ‘ଦିଗନ୍ତ’ ପତ୍ରିକାର ସଂପାଦନା କାର୍ଯ୍ୟ ତୁଲାଇଥିଲେ। ତାଙ୍କର ଅନେକ ଲେଖା ପୌରୁଷ, ଡଗର, ପ୍ରଗତିବାଦୀ, ସମାବେଶ, ରାଷ୍ଟ୍ରଦୀପ, କଲ୍ୟାଣୀ, ଝଙ୍କାର, ଉତ୍କଳ ପ୍ରସଙ୍ଗ ଆଦି ପତ୍ରିକାରେ ପ୍ରକାଶ ପାଇଛି। ତାଙ୍କ କବିତା ସଂକଳନ ‘ଶିଳା ଶୃଙ୍ଗାର, ‘ଚଇତାଳି, ଉପନ୍ୟାସ ‘ନର୍କ ଆଡ଼କୁ, ‘ଡକ୍ଟର ହଂସରାଜ, ‘ରୂପଶ୍ରୀର ରାତ୍ରୀ, ଅନୁବାଦ ପୁସ୍ତକ ‘ଉଜାଡ଼ି ଢେଉ, ଗୀତିକବିତା ‘ଗୀତରେ ଗୀତରେ ଆଦି ସାରସ୍ବତ କୃତି ଅଜସ୍ର ପାଠକୀୟ ଶ୍ରଦ୍ଧା ଓ ସ୍ବୀକୃତି ଅର୍ଜନ କରିଛି। ସାରସ୍ୱତ ସାଧନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ହେବା ସହିତ ବିଷୁବ ମିଳନରେ ପ୍ରବନ୍ଧ ଓ ଶିଶୁସାହିତ୍ୟରେ ପୁରସ୍କାର, ଚିତ୍ରପୁରୀ ପୁରସ୍କାର, ରାଷ୍ଟ୍ରଦୀପ ବସନ୍ତ ମିଳନ ପୁରସ୍କାର, ଚେଳିତୋଳ ପୁରସ୍କାର, ‘ଅତିଆପଣାର ଟିକି ପିଲାଟି ପକ୍ଷରୁ ଶ୍ରେଷ୍ଠ ଶିଶୁସାହିତ୍ୟ ଲେଖକ ସମ୍ମାନ ଆଦି ଲାଭ କରିଥିଲେ। ଏଥି ସହିତ ଅନେକ ସାରସ୍ବତ ଅନୁଷ୍ଠାନ ସହିତ ସେ ସଂପୃକ୍ତ ଥିଲେ। ତାଙ୍କ ପରଲୋକରେ ‘ସମ୍ବାଦ’ର ସଂପାଦକ(ଫିଚର) ଡକ୍ଟର ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଉପଦେଷ୍ଟା ପରିଷଦ ଆବାହକ ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, ଶିଶୁସାହିତ୍ୟ ଲେଖକ ସମ୍ମେଳନ ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଓଡ଼ିଆ ଗୀତିକବି ସମାଜର ସଭାପତି ମନୋଜ ପଟ୍ଟନାୟକ, ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁ, ଉପସଭାପତି ସଞ୍ଜିତ କୁମାର ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର