ଆଜିଠୁ ତାତି କମିବ : ବାୟୁର ଦିଗ ପରିବର୍ତ୍ତନ ଓ କାଳବୈଶାଖୀ ଯୋଗୁ ୬ ଯାଏ ତାତି କମିବ

ଭୁବନେଶ୍ବର : ଗତକାଲି ରାଜ୍ୟ ଅତ୍ୟଧିକ ଉତ୍ତପ୍ତ ଖଣ୍ଡରେ ପରିଣତ ହୋଇଥିବା ବେଳେ ଆଜି ତାତିରୁ ଟିକେ ଆଶ୍ବସ୍ତି ମିଳିଛି। ଉପକୂଳ ଓଡ଼ିଶାର ତାପମାତ୍ରା ଅପେକ୍ଷାକୃତ କମିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସେମିତି ତାତି ଜାରି ରହିଛି। ରାଜ୍ୟର ୧୫ ସହର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୧ ଡିଗ୍ରି ଉପରକୁ ଏଥିମଧ୍ୟରୁ ୧୧ଟି ସହରର ପାରଦ ଡେଇଁଛି। ଆସନ୍ତାକାଲିଠାରୁ ରାଜ୍ୟର ତାପମାତ୍ରାରେ ହ୍ରାସ ଘଟିବ। ବାୟୁର ଦିଗ ପରିବର୍ତ୍ତନ ଯୋଗୁ ରାଜ୍ୟର ପାରଦ ନିମ୍ନଗାମୀ ହେବ। ୨ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ‌ର ତାପମାତ୍ରାରେ ହ୍ରାସ ଘଟିବ। ଏଥିସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ଯୋଗୁ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ କହୁଛି ଯେ ଆସନ୍ତାକାଲି ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିବ। ଏଥିସହ ୩ ତାରିଖ ଦିନ ନୟାଗଡ଼, ଖୋର୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କନ୍ଧମାଳ, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟ ୩୦ରୁ ୪୦ କିମି ବେଗରେ ପବନ ବହିବ ଓ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀଜନିତ ବର୍ଷା ହୋଇପାରେ। ସେହିପରି ୪ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଧା ଓ ଜଗତସିଂହପୁର ଆଦି ୧୧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହି ୩ ଦିନ ପାଇଁ ଉକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀ କାରଣରୁ ରାଜ୍ୟର ତାପମାତ୍ରାରେ ବି ପରିବର୍ତ୍ତନ ଆସିବ ଓ ତାପମାତ୍ରା ଟିକେ ହ୍ରାସ ଘଟିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

english.fastnews.lk

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ କାଲିଠାରୁ ତାତି କମିପାରେ। ଡ. ମହାପାତ୍ରଙ୍କ କହିବା ଅନୁସାରେ ଆସନ୍ତାକାଲିଠାରୁ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ଅନୁମାନ କରାଯାଉଛି। ଯାହାଦ୍ବାରା ତାପମାତ୍ରା ହ୍ରାସ ପାଇବ। ସେ ପୁଣି କହିଛନ୍ତି, ଗତ ୨ ଦିନ ଧରି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ତାତି ହେଉଛି ଓ ଆଜି ମଧ୍ୟ ଏହା ଜାରି ରହିଛି। ସମୁଦ୍ରରୁ ଯଥେଷ୍ଟ ପରିମାଣର ବାୟୁ ଆସୁନଥିବାରୁ ତାତି ବଢ଼ୁଥିଲା। ପ୍ରତିବର୍ଷ ହିଟ୍‌ ୱେଭ୍‌ ଯେତିକି ପରିମାଣରେ ଏପ୍ରିଲ ଓ ଜୁନ୍‌ ମଧ୍ୟରେ ହୁଏ ତାହାଠାରୁ ଅଧିକ ଚଳିତ ବର୍ଷ ହୋଇପାରେ। ସାଧାରଣତଃ ୫ରୁ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରତିବର୍ଷ ହିଟ୍‌ ୱେଭ୍‌ ପରିଲକ୍ଷିତ ହୋଇଥାଏ। ଯେହେତୁ ଏଥର ହାରାହାରି ତାପମାତ୍ରା ପୂର୍ବାପେକ୍ଷା ଅଧିକ ରହିବ; ତେଣୁ ସାବଧାନତା ସହ ସତର୍କମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବାର ସେ କହିଛନ୍ତି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ଅନୁଯାୟୀ ମାର୍ଚ୍ଚ ୩୦ରୁ ଏପ୍ରିଲ ପହିଲା ଯାଏଁ ରା‌ଜ୍ୟର ପାରଦ ଊର୍ଧ୍ବମୁଖୀ ହୋଇଥିଲା। ଏଥିସହ ଗତକାଲି ଭୁବନେଶ୍ବର ସବୁଠୁ ଅଧିକ ଉତ୍ତପ୍ତ ସହର ଭା‌ବେ ରେକର୍ଡ କରିଛି। କିନ୍ତୁ ଆଜି ତାପମାତ୍ରା କିଛି ମାତ୍ରାରେ କମିଛି। ଆଗକୁ ମଧ୍ୟ ଏହି ତାପମା‌ତ୍ରା ଆହୁରି କମିବ ବୋଲି ଆଶା କରାଯାଉଛି।

European Commission – europa.eu

ଆକଳନ କରାଯାଉଛି କି, ଆସନ୍ତାକାଲିଠାରୁ ଉପକୂଳକୁ ପଶ୍ଚିମା ଗରମ ପବନ ଆସିବ ନାହିଁ। ଉତ୍ତର ଓଡ଼ିଶାକୁ ପୂର୍ବ-ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଉତ୍ତରା ପବନ ଆସିବା ବେଳେ ଦକ୍ଷିଣ ଓ କେନ୍ଦ୍ରୀୟ ଉପକୂଳକୁ ସାମୁଦ୍ରିକ ପବନ ବହିବ। ୫ ତାରିଖ ପର୍ଯ୍ୟନ୍ତ ଏହା ଅଧିକ ପ୍ରସନ୍ତ ରହିବ। ଯାହା ଫଳରେ କେନ୍ଦ୍ରୀୟ ଓଡ଼ିଶା‌ରେ ମଧ୍ୟ ତାପମାତ୍ରା ହ୍ରାସ ପାଇବ। ତେବେ ପଶ୍ଚିମ ସୀମାନ୍ତ ଜିଲ୍ଲା ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବା ପ୍ରାୟତଃ ଅପରିବର୍ତ୍ତିତ ରହିବ। ୬ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଗରମ ବଢ଼ିବାର ସମ୍ଭାବନା ରହିଛି। ସମ୍ଭବତଃ ଭୁବନେଶ୍ବର‌ର ତାପମାତ୍ରା‌ ଆସନ୍ତାକାଲି ୩୭ ଡିଗ୍ରି ହୋଇପାରେ। ଏହା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ଅପରିବର୍ତ୍ତିତ ରହିବ। ଯଦିବା ବାୟୁର ଦିଗ ପରିବର୍ତ୍ତନ ହେଉଛି ତାପମାତ୍ରା କମିବାର ମୁଖ୍ୟ କାରଣ, ତେବେ ୨ରୁ ୬ ତାରିଖ ଭିତରେ ଉପକୂଳ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଓ ଉତ୍ତର ଉପକୂଳରେ ବର୍ଷାର ସମ୍ଭବାନା ଅଧିକ। ଭୁବନେଶ୍ବରରେ ୩ରୁ ୪ ତାରିଖ‌ରେ କୁଆପଥର ବର୍ଷାର ସମ୍ଭାବନା ମଧ୍ୟ ରହିଛି। ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସୂଚନା ପ୍ରାୟ ନାହିଁ ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର