ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି : ଧର୍ମେନ୍ଦ୍ର

ପୂର୍ବବର୍ଷ ଅପେକ୍ଷା ଅଧିକ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ୱର : ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅର୍ଥ ଅନୁଦାନ ମାଧ୍ୟମରେ ରାଜ୍ୟରେ ରେଳ ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ ଦିଆଯିବା ସହ ରାଜ୍ୟରେ ରେଳ ଭିତ୍ତିଭୂମି ଓ ରେଳ ସଂଯୋଗ ସ୍ଥାପନକୁ ସୁଦୃଢ଼ କରିବା ଓ ଯାତ୍ରୀଙ୍କ ସୁବିଧା ବଢ଼ାଇବାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଥମିକତାରେ ରହିଛି। ମୋଦୀ ସରକାରରେ ବିଗତ ୬ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରାଯାଇ ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ରେଳର ଅନୁଦାନ ବଢ଼ିଛି। ମିସନ ପୂର୍ବୋଦୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି। ଓଡ଼ିଶାରେ ୬୧ ହଜାର ୯୪୯ କୋଟି ଟଙ୍କା ବ୍ୟୟରେ ୪,୮୭୭ କିମିର ୩୯ଟି ରେଳ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ କ୍ରିୟାନ୍ୱିତ ହେଉଛି। ମୋଦୀ ସରକାର ଓଡ଼ିଶାକୁ ପ୍ରାଥମିକତା ଦେଉଛନ୍ତି। କଂଗ୍ରେସ ସରକାରରେ ୨୦୦୯-୧୪ ମଧ୍ୟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ବାର୍ଷିକ ହାରାହାରି ମାତ୍ର ୮୩୮ କୋଟି ଟଙ୍କା ଦିଆଯାଇଥିଲା। ମାତ୍ର ମୋଦୀ ସରକାରରେ ୨୦୧୪-୧୯ ମଧ୍ୟରେ ୩୯୨ ପ୍ରତିଶତ ବୃଦ୍ଧି ପାଇ ବାର୍ଷିକ ହାରାହରି ୪,୧୨୬ କୋଟି ଟଙ୍କା ଦିଆଯାଉଛି। ପୂର୍ବୋଦୟର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର