ସୋନପୁର/ବଲାଙ୍ଗୀର/ପାଟଣାଗଡ଼: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ତାଙ୍କର ତିନିଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଆସି ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ସମୀକ୍ଷା କରିବା ସହ ଅନୁଦାନ ଘୋଷଣା କରିଥିଲେ। ଏହି ଗସ୍ତରେ ଡବ୍ଲ୍ୟୁଓଡିସି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସୋନପୁର ସହର ନିକଟ ଝିଙ୍କିଠାରେ ୬ କୋଟି ୪୫ ଲକ୍ଷ ଟଙ୍କା ଅନୁଦାନରେ ନିର୍ମାଣାଧୀନ ଡବ୍ଲ୍ୟୁଓଡିସି ହସ୍ତତନ୍ତ ମଲ୍‌ର କାର୍ଯ୍ୟ ଶୀଘ୍ର ସମାପନ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ନୂତନ ଡାଏଲିସିସ୍ ମେସିନ୍ ସହିତ ଅସ୍ଥି‌ଶଲ୍ୟ ଅସ୍ତ୍ରୋପଚାର ପାଇଁ ଉଭୟ ଜିଲ୍ଲାକୁ ଗୋଟିଏ ଲେଖାଏଁ ସି-ଆର୍ମ ମେସିନ ଯୋଗାଇ ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାରେ କୃଷକମାନଙ୍କ ଅର୍ଥନୈତିକ ବିକାଶ ପାଇଁ କୃଷି ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିଭାଗରେ ଉପଲବ୍ଧ ଥିବା ସମସ୍ତ ସଂସାଧନକୁ ବ୍ୟବହାର କରି କିଭଳି ଭାବରେ ସେମାନଙ୍କ ଆୟ ଦ୍ୱିଗୁଣିତ ହୋଇ ପାରିବ ସେ ଉପରେ ଗୁରୁତ୍ବ ଦେଇଥିଲେ।

Advertisment

ଏଥିପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହାୟତାରେ ଦୁଗ୍ଧ ଉତ୍ପାଦନ, ମାଛ ଚାଷ, ପ୍ରାଣୀପାଳନ, ଉଦ୍ୟାନ କୃଷି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ପାଇଁ ସମସ୍ତ ପ୍ରଚେଷ୍ଟା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁରର ଜିଲ୍ଲା ଗ୍ରନ୍ଥାଗାରର ଭିତ୍ତିଭୂମି ବିକାଶ ପାଇଁ ପରିଷଦ ତରଫରୁ ୫୦ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଏହାସହ ମିନି ଷ୍ଟାଡିୟମ ପାଇଁ ୧ କୋଟି ଟଙ୍କା ଅନୁଦାନ ଯୋଗାଇଦେବା ନେଇ ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ। ବୌଦ୍ଧ ଜିଲ୍ଲା ବୀରନରସିଂହପୁରଠାରେ ନିର୍ମାଣାଧୀନ ଇକୋପାର୍କ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହିତ ଏହାକୁ ଆକର୍ଷଣୀୟ କରି ଗଢ଼ି ତୋଳିବା ପାଇଁ ସେ ଗୁରୁତ୍ବାରୋପ କରିଥିଲେ। ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପର ଗୁଣାତ୍ମକ ମାନକୁ  ସୁନିଶ୍ଚିତ କରିବା ସହିତ ଆଗାମୀ ଡିସେମ୍ବର ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ତ୍ରିପାଠୀ ଗୁରୁତ୍ବ ଦେଇଥିଲେ।

ସେହିପରି ବଲାଙ୍ଗୀର ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ପାଟଣାଗଡ଼ ଜବାହରଲାଲ କଲେଜରେ ଏକ ଅଡିଟୋରିଅମ ନିର୍ମାଣ ପାଇଁ ୧ କୋଟି ଏବଂ ରାଜେନ୍ଦ୍ର କଲେଜସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଫ୍ଲଡ୍‌ଲାଇଟ ବ୍ୟବସ୍ଥା କରିବା ପାଇଁ ୩ କୋଟି ୩୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ। ପାଟଣାଗଡ଼ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିୟମର ପାରିପାର୍ଶ୍ବିକ ବିକାଶ ପାଇଁ ୧୫ ଲକ୍ଷ ଏବଂ ଜିଲ୍ଲା ମୁଖ୍ୟାଳୟରେ ଥିବା ପାଠାଗାରର ଉନ୍ନତୀକରଣ ପାଇଁ ୪ଟି ଶୀତାତପ ନିୟନ୍ତ୍ରଣ ଯନ୍ତ୍ର ଯୋଗାଇ ଦିଆଯିବାକୁ ଘୋଷଣା କରିଥିଲେ। ଜିଲ୍ଲାର ଦ୍ବିତୀୟ ଦିନ ଗସ୍ତ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡ଼ା ପ୍ରାଙ୍ଗଣ ପରିଦର୍ଶନ କରି ଦୁଇଟି ଅଭିନବ କ୍ରୀଡ଼ା ବୋଲିଂ ଓ ଫେନସିଂକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଭୀମଭୋଇ ମେଡିକାଲ୍ କଲେଜ ଓ ଡାକ୍ତରଖାନା ପରିଦର୍ଶନ କରିବା ସହ ଡିସେମ୍ବର ସୁଦ୍ଧା ଏଠାରେ ଖେଳପଡ଼ିଆ ପ୍ରକଳ୍ପ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଖେଳପଡ଼ିଆ ନିର୍ମାଣ ପାଇଁ ପରିଷଦ ପକ୍ଷରୁ ୨ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା।

ଏହାସହ ୫୦ ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ତତ୍ପରତାର ସହିତ ସାରିବା ପାଇଁ  ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ଜିଲ୍ଲାର ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ୍‌ର ସମ୍ମିଳନୀ କକ୍ଷରେ ଆପିକଲ୍ ଦ୍ବାରା ଆୟୋଜିତ ହୋଇଥିବା ସାକ୍ଷାତ କାର୍ଯ୍ୟକ୍ରମରେ ଜିଲ୍ଲାର ଉଦ୍ୟୋଗୀମାନଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସଫଳ ରୂପାୟନ ବିଷୟରେ ଅବଗତ ହୋଇଥିଲେ। ବଲାଙ୍ଗୀର ମ୍ୟୁନିସିପାଲିଟି ୱାର୍ଡ ନଂ ୧୭ରେ ଯୁବ ମହିଳା ଉଦ୍ୟୋଗୀ ମମତା ନାଏକଙ୍କୁ ଶ୍ରୀ ତ୍ରିପାଠୀ ସାକ୍ଷାତ କରିଥିଲେ। ବିକାଶ ପରିଷଦ ସହାୟତାରେ ନିର୍ମିତ ହେଉଥିବା ୧୦୦୦ ଆସନ ବିଶିଷ୍ଟ ନୂଆ ଅଡିଟୋରିୟମ ବୁଲି ଦେଖିଥିଲେ।  ମହାଲକ୍ଷ୍ମୀନଗରରେ ପରିଷଦର ସହାୟତାରେ ନିର୍ମିତ କଲ୍ୟାଣ ମଣ୍ଡପ ପରିସରରେ ଡ୍ରେନ୍ ଓ ଫାଟକ ନିର୍ମାଣ କାର୍ଯ୍ୟକୁ ମଧ୍ୟ ଶ୍ରୀ ତ୍ରିପାଠୀ ତଦାରଖ କରିଥିଲେ। ପରିଦର୍ଶନ ବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ ମିଶ୍ର, ତିନିଟି ଜିଲ୍ଲାର ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୈଷୟିକ ପରାମର୍ଶଦାତା ପ୍ରମୁଖ ଉପସ୍ଥିତ ଥିଲେ।