ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୫-ଟି ନୀତି ଅନୁସାରେ ପ୍ରଣିତ ‘ଆମ ହସ୍ପିଟାଲ’ ଯୋଜନାରେ ଅନ୍ତର୍ଭୁକ୍ତ ହସ୍ପିଟାଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ କ୍ଷମତା ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଛି। ଫଳରେ ଏଥିପାଇଁ ହେଉଥିବା ବିଳମ୍ବକୁ ଏଡ଼ାଯିବା ସହିତ କ୍ଷେତ୍ରସ୍ତରୀୟ ଆବଶ୍ୟକତା ଅନୁସାରେ ପ୍ରକଳ୍ପରେ ଆବଶ୍ୟକ ପରିବର୍ତ୍ତନ କରାଯାଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ।
ପ୍ରକଳ୍ପର ପ୍ରସ୍ତୁତି, ଏହାର ଅନୁମୋଦନ, କାର୍ଯ୍ୟାନୟନ ସଂସ୍ଥା ଚୟନ, କ୍ଷେତ୍ରସ୍ତରୀୟ ଅନୁଧ୍ୟାନ, ଅଗ୍ରଗତି ସମୀକ୍ଷା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆଦି କ୍ଷମତା ଜିଲ୍ଲାସ୍ତରୀୟ କମିଟିକୁ ପ୍ରଦାନ କରାଯାଇଛି। ଆଜି ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞାପନ ସଂଖ୍ୟା -୬୩୪୦ରେ ଆଦେଶନାମା ଓଡ଼ିଶା ଗେଜେଟରେ ପ୍ରକାଶ ପାଇବା ସହିତ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି।
ଉଲ୍ଲେଖ ଯେ ‘ଆମ ହସ୍ପିଟାଲ’ରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍ ସ୍ଥାନ ପାଇଛି। ଏହାସହ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଗୋଟିଏ ସ୍ବାସ୍ଥ୍ୟାନୁଷ୍ଠାନକୁ ସାମିଲ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Hospital.jpg)